ଯାଜପୁର ଜିଲ୍ଲାରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ।

ପ୍ରଶାସନିକ ତଥ୍ୟର ସଦୁପଯୋଗ ହେଉଛି ପ୍ରମାଣଭିତ୍ତିକ ଶାସନ ଓ ସୁସ୍ଥାୟୀ ବିକାଶର ମୂଳ ଆଧାର”

ଯାଜପୁର, ୨୯/୦୬/୨୦୨୬ (ଓଡ଼ିଶା ସମାଚାର)- ଯୋଜନା ଓ ସଂଯୋଜନ ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଯାଜପୁରର ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୨୦ତମ ଜାତୀୟ ପରିସଂଖ୍ୟାନ ଦିବସ ଗମ୍ଭୀର ଓ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ପ୍ରଶାସନିକ ତଥ୍ୟର ସମ୍ଭାବନାକୁ ଉନ୍ମୋଚନ (Unlocking the Potential of Administrative Data)”। କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ଅବସରପ୍ରାପ୍ତ ପରିସଂଖ୍ୟାନ କର୍ମଚାରୀ, ବୀମା କ୍ଷେତ୍ରର କର୍ମଚାରୀ, ବ୍ଲକ୍ ପରିସଂଖ୍ୟାନ କର୍ମଚାରୀ, ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଯାଜପୁରର ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ମନୋଜ କୁମାର ନାୟକ ଅତିଥିମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ, ପରିସଂଖ୍ୟାନ କେବଳ ସଂଖ୍ୟାର ସଂଗ୍ରହ ନୁହେଁ; ବରଂ ଏହା ସୁଚିନ୍ତିତ ଯୋଜନା ପ୍ରସ୍ତୁତି, ପ୍ରମାଣଭିତ୍ତିକ ନୀତି ପ୍ରଣୟନ, ସମ୍ବଳର ଦକ୍ଷ ପରିଚାଳନା, ବିକାଶ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ ଏବଂ ଉତ୍ତମ ଶାସନ ବ୍ୟବସ୍ଥାର ଅନ୍ୟତମ ଆଧାର। ସେ ଜାତୀୟ ପରିସଂଖ୍ୟାନ ଦିବସ ପାଳନର ଉଦ୍ଦେଶ୍ୟ ଉପସ୍ଥାପନ କରିବା ସହ ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲନୋବିସଙ୍କ ଜୀବନାଦର୍ଶ ଓ ଅବଦାନକୁ ସ୍ମରଣ କରିଥିଲେ। ସେ ବିକଶିତ ଭାରତ–୨୦୪୭ ଏବଂ ବିକଶିତ ଓଡ଼ିଶା–୨୦୩୬ର ଲକ୍ଷ୍ୟ ହାସଲ ପାଇଁ ଗୁଣାତ୍ମକ ଓ ବିଶ୍ୱସନୀୟ ପରିସଂଖ୍ୟାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଶିବାନନ୍ଦ ସ୍ୱାଇଁ, ଓଏଏସ୍ (ଏସ୍.ଏସ୍.) ଯୋଗଦେଇ କହିଥିଲେ ଯେ, ବର୍ତ୍ତମାନ ସମୟରେ ତଥ୍ୟ ହିଁ ଉନ୍ନୟନର ମୂଳ ଶକ୍ତି। ଡାଟା ମାଇନିଂ, ଡାଟା ଆନାଲିଟିକ୍ସ, ଡାଟା ସାଇନ୍ସ ଏବଂ ପ୍ରଶାସନିକ ତଥ୍ୟର ଫଳପ୍ରଦ ବ୍ୟବହାର ଦ୍ୱାରା ଉନ୍ନତ ଯୋଜନା ପ୍ରସ୍ତୁତି, ସଠିକ୍ ନୀତି ପ୍ରଣୟନ, ସରକାରୀ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ଓ ସୁଶାସନ ସମ୍ଭବ ହୋଇପାରିବ। ସେ କହିଥିଲେ ଯେ, ଆଧୁନିକ ଡିଜିଟାଲ୍ ପ୍ରଯୁକ୍ତିକୁ ଆପଣେଇ ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଓ ବିଶ୍ୱସନୀୟ କରିବା ସମୟର ଆବଶ୍ୟକତା।

ମୁଖ୍ୟ ବକ୍ତା ଡ଼. ନିତ୍ୟସୁନ୍ଦର ମାଣିକ, ସହକାରୀ ପ୍ରାଧ୍ୟାପକ, ଅର୍ଥନୀତି ବିଭାଗ, ଏନ୍.ସି. ସ୍ୱୟଂଶାସିତ ମହାବିଦ୍ୟାଳୟ, ଯାଜପୁର, ପ୍ରଶାସନିକ ତଥ୍ୟର ବର୍ଦ୍ଧିତ ଗୁରୁତ୍ୱ, ପ୍ରମାଣଭିତ୍ତିକ ନୀତି ପ୍ରଣୟନ, ଡାଟା ଲିଙ୍କେଜ୍, ଡାଟା ହାର୍ମୋନାଇଜେସନ୍, ମେଟାଡାଟା, API, କ୍ଲାଉଡ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତ୍ତା (AI), ମେସିନ୍ ଲର୍ଣ୍ଣିଂ (ML), GIS ଏବଂ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ (DPDP) ଆଇନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଆଧାର, CoWIN, UPI, ଆୟୁଷ୍ମାନ ଭାରତ ଏବଂ PM-KISANକୁ ପ୍ରଶାସନିକ ତଥ୍ୟର ସଫଳ ବ୍ୟବହାରର ଉଲ୍ଲେଖନୀୟ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ।

ଅନ୍ୟତମ ବକ୍ତା ଡ଼. ଭବାନୀ ଶଙ୍କର ମହାନ୍ତି, ସହକାରୀ ପ୍ରାଧ୍ୟାପକ, ପରିସଂଖ୍ୟାନ ଓ ପ୍ରୟୋଗାତ୍ମକ ଗଣିତ ବିଭାଗ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ତାମିଲନାଡୁ, ପ୍ରଫେସର ପି. ସି. ମହାଲନୋବିସଙ୍କ ବୈଜ୍ଞାନିକ ଅବଦାନ, ତଥ୍ୟ ସଂଗ୍ରହ, ଉପସ୍ଥାପନ, ବିଶ୍ଳେଷଣ ଓ ରିଗ୍ରେସନ୍ ଆନାଲିସିସ୍‌ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଡାଟା ହେଉଛି କଞ୍ଚା ତଥ୍ୟ, ଯେତେବେଳେ ପରିସଂଖ୍ୟାନ ହେଉଛି ସେହି ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ ଓ ନିଷ୍କର୍ଷର ପ୍ରକ୍ରିୟା।

ଏହି ଅବସରରେ ପରିସଂଖ୍ୟାନ ବିଷୟକ କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ବ୍ଲକ୍ ପରିସଂଖ୍ୟାନ କାର୍ଯ୍ୟାଳୟଗୁଡ଼ିକୁ ମୁଖ୍ୟ ଅତିଥିଙ୍କ କରକମଳରେ ସମ୍ମାନିତ କରାଯାଇଥିଲା। କୁଇଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରଶସ୍ତିପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଉତ୍କୃଷ୍ଟ ପ୍ରଦର୍ଶନକାରୀ ବ୍ଲକ୍ ପରିସଂଖ୍ୟାନ କାର୍ଯ୍ୟାଳୟମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା।

ଶେଷରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟ, ଯାଜପୁରର ପରିସଂଖ୍ୟାନ ଅଧିକାରୀ ସୁଶ୍ରୀ ଉମାଭାରତୀ ସେନାପତି ଧନ୍ୟବାଦ ଅର୍ପଣ କରି ମୁଖ୍ୟ ଅତିଥି, ବକ୍ତାବୃନ୍ଦ, ଜିଲ୍ଲା ପ୍ରଶାସନ, ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ପ୍ରତିଯୋଗୀ, ସହଯୋଗୀ ଅନୁଷ୍ଠାନ ଏବଂ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *