ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଆୟୋଜିତ

ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ କଳାଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ସମ୍ବର୍ଦ୍ଧିତ ହେଲେ ବରିଷ୍ଠ ଲୋକକଳାକାର

ଓଡ଼ିଶାର ଲୋକକଳା ଓ ଲୋକସଂସ୍କୃତିକୁ ପୁନଃଶ୍ଚ ବିଶ୍ୱବିଦିତ  କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅଭିନବ ପ୍ରୟାସ

ଭୁବନେଶ୍ୱର,୧୦/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ଲୋକକଳା ହେଉଛି ଆମ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ। ଲୋକକଳାର ପ୍ରଚାର ଓ ପ୍ରସାର କରିବା ସହିତ ଏହାକୁ ପୁନଃଶ୍ଚ ବିଶ୍ୱବିଦିତ କରାଇବା ପାଇଁ ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଆୟୋଜିତ ହୋଇଛି।

“ଲୋକକଳା ପାଇଁ ଦିନଟିଏ” ଉତ୍ସବ ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲା ଏବଂ ଲୋକକଳା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଜି ବିଭିନ୍ନ ଲୋକନୃତ୍ୟ ଏବଂ ଆଞ୍ଚଳିକ କଳା ଓ ପରମ୍ପରାର ଏକ ନିଚ୍ଛକ ନିଦର୍ଶନ ଦେଖିବାକୁ ମିଳିଥିଲା। ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାଂସଦ, ବିଧାୟକ, ସ୍ଥାନୀୟ ଲୋକପ୍ରତିନିଧି, ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏଥିସହ ଜିଲ୍ଲାର ବରିଷ୍ଠ ଲୋକକଳାକାରମାନଙ୍କୁ ମଧ୍ୟ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯିବା ଏବଂ ଏହି ପରିପ୍ରେକ୍ଷୀରେ କଳାକାରମାନଙ୍କୁ ଉତ୍ସାହିତ କରିବା ସହ କଳାର ପ୍ରଚାର ଏବଂ ପ୍ରସାର ନିମନ୍ତେ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ପାଳନ କରାଯିବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି ବରିଷ୍ଠ କଳାକାରମାନେ ମତପ୍ରକାଶ କରିଥିଲେ।

ଏଥିସହିତ ଆଜି ଲୋକ କଳାକାରମାନେ ନିଜର କଳା ପ୍ରଦର୍ଶନ କରିବା ସଙ୍ଗେସଙ୍ଗେ ନିଜର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଫୋଟୋ ଓ ସେଲ୍ଫିକୁ ଓଡ଼ିଆ ପକ୍ଷ ପାଇଁ ନିର୍ମିତ ୱେବସାଇଟ (www.odiapakhya.com) ରେ ଅପଲୋଡ଼ କରିବା ସହିତ ଓଡ଼ିଆ ପକ୍ଷ କୁଇଜ୍‌ରେ ଭାଗନେଇ ନିଜର ଡିଜିଟାଲ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ଼ କରିଥିଲେ।

ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ଏପ୍ରିଲ ୧ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି “ଲୋକକଳା ପାଇଁ ଦିନଟିଏ” ପାଳନ ଅବସରରେ ଆମ ଲୋକକଳାର ସରଂକ୍ଷଣ, ଏହାର ବହୁଳ ପ୍ରଚାର ଓ ପ୍ରସାର ଏବଂ ଏହାକୁ ପୁନଃଶ୍ଚ ବିଶ୍ୱବିଦିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ସମସ୍ତଙ୍କୁ ପ୍ରୋତ୍ସାହିତ କରିଛନ୍ତି।

-0-

ଅମ୍ଳାନ ଦାସ, ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *