ଟେନିସ କୋଟରେ ସରକାର ପାଳିବେ ତାଙ୍କ ଜନ୍ମଦିନ
ରମାଦେବୀ ଚୌଧୁରୀ ସ୍ମାରକ ଟ୍ରଷ୍ଟର ପ୍ରତିବାଦ
ଭୁବନେଶ୍ୱର, ୦୨/୧୨/୨୦୨୫ (ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ମା’ ରମାଦେବୀ ଓଡ଼ିଶାର ଘରେ ଘରେ ମାଆ ରୂପେ ସୁ ପରିଚିତା। ଚଳିତ ବର୍ଷ ରାଜ୍ୟ ବ୍ୟାପୀ ଗାନ୍ଧୀବାଦୀ ସଂଗଠନ ତଥା ତାଙ୍କ ଅନୁଗାମୀ ମାନଙ୍କ ଦ୍ୱାରା ତାଙ୍କର ୧୨୫ତମ ଜୟନ୍ତୀବର୍ଷ ପାଳିତ ହେଉଛି। ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ରମାଦେବୀଙ୍କ କର୍ମକ୍ଷେତ୍ର କଟକର ଗୁଣନିଧି ଭବନରେ ଏକ ମ୍ୟୁଜିଅମ ସ୍ଥାପନ କରିବାକୁ ପଦକ୍ଷେପ ନେବେ ବୋଲି ପତ୍ର ସଂଖ୍ୟା2303 ତା05.04.2024 ଯୋଗେ ଜଣାଇଥିଲେ। ହେଲେ ସେ ବାବଦରେ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହାନ୍ତି।
ନିଜେ ମୁଖ୍ୟମନ୍ତ୍ରୀ ମାଆ ରମାଦେବୀଙ୍କର ୧୨୫ତମ ଜୟନ୍ତୀ ବର୍ଷକୁ ବର୍ଷବ୍ୟାପୀ ପାଳନ କରିବେ ବୋଲି ଗତ ଜାନୁଆରୀ ଦୁଇ ତାରିଖରେ ସ୍ବାଧୀନତା ସଂଗ୍ରାମୀ ପଡିଆରେ ଘୋଷଣା କରିଥିଲେ। ଅଥଚ ଗତ କିଛିଦିନ ତଳେ ନିର୍ଭୟ ଓ ପ୍ରଗତିବାଦୀ ଖବର କାଗଜରୁ ଜାଣିବାକୁ ପାଇଲୁ ଯେ, ରମାଦେବୀ କଂଗ୍ରେସ ଦଳରେ ସାମିଲ ହୋଇ ସ୍ବାଧୀନତା ସଂଗ୍ରାମ କରିଥିବାରୁ ବିଭାଗୀୟ ମନ୍ତ୍ରୀ ତାଙ୍କ ଜୟନ୍ତୀ ରାଜ୍ୟ ସରକାର ପାଳିବେ ନାହିଁ କହି ଫାଇଲ ଫେରାଇ ଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପୁଣି ଜାଣିବାକୁ ପାଇଲୁ ଯେ, ସରକାର ତରବରିଆ ଭାବରେ କଳିଙ୍ଗ ଷ୍ଟାଡିଅମସ୍ଥିତ ଟେନିସ ଅଡିଟୋରିଅମ ପରିସରରେ ତାଙ୍କ ଜୟନ୍ତୀ ପାଳନ କରିବାକୁ ଯାଉଛନ୍ତି।
ସରକାରଙ୍କ ହାତରେ ସଭା ସମିତି ପାଇଁ ଜୟଦେବ ଭବନ, ଗୀତଗୋବିନ୍ଦ ସଦନ ଭଳି ଅନେକ ଅଡିଟୋରିଅମ ରହିଛି। ମହାପୁରୁଷ ମାନଙ୍କ ନିମନ୍ତେ ସେ ସବୁ ହଲରେ ଜୟନ୍ତୀ ଓ ଶ୍ରାଦ୍ଧ ପାଳିତ ହେଉଥିବାବେଳେ ହଠାତ୍ ଟେନିସ କୋଟ ରେ ରମାଦେବୀଙ୍କ ଜୟନ୍ତୀ କ’ଣପାଇଁ? ରମାଦେବୀ ଖେଳାଳୀ ନଥିଲେ। ସରକାର ଯଦି ରମାଦେବୀଙ୍କ ଜୟନ୍ତୀ ନପାଳିବେ ତେବେ ରମାଦେବୀଙ୍କୁ ଓଡିଶାବାସୀ ଭୁଲିଯିବେ ନାହିଁ। ତେଣୁ ସରକାର ମାଆ ରମାଦେବୀଙ୍କ ପ୍ରତି ଆଉ ଦୟା ଦେଖାଇ ତାଙ୍କ ଜୟନ୍ତୀ ଉତ୍ସବ ପାଳନ ନକରନ୍ତୁ ରମାଦେବୀ ଚୌଧୁରୀ ସ୍ମାରକ ଟ୍ରଷ୍ଟର ସଭାନେତ୍ରୀ ପ୍ରଫେସର ସୀତା ସାହୁ, ଉପସଭାନେତ୍ରୀ ନମିତା ପଣ୍ଡା ଓ ସମ୍ପାଦିକା ଅନ୍ନପୂର୍ଣ୍ଣା ସାହୁ ଏକ ପ୍ରେସ ବିବୃତି ଯୋଗେ ଜଣାଇଛନ୍ତି।
