ସୁନ୍ଦରଗଡ଼ ରେ ପୁଣି ୨ଟି ସ୍ଥାନରେ ଗୁଳିକାଣ୍ଡ

ସୁନ୍ଦରଗଡ଼, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)- ଗତକାଲି କିଞ୍ଜିରକେଲା ଥାନା ପାଟକିଶୋର  ଗାଁ ରେ ସମ୍ପର୍କୀୟ ସାନ ଭାଇ ସୁନିଲ ସାଙ୍କ ଗୁଳିମାଡ଼ରେ ବଡ଼ ଭାଇ ବାସୁଦେବ ସା ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବାବେଳେ ଆଜି ସୁନ୍ଦରଗଡ଼ରେ ପୁଣି ୨ଟି ସ୍ଥାନରେ ଗୁଳିକାଣ୍ଡ ହୋଇଛି । ଆଜି ଭୋର ୫ଟାରେ ହେମଗିର ଥାନା କନିକା ନିକଟରେ ଓ ବଡ଼ଗାଁ ଥାନା ଇତମା ନିକଟରେ ଗୁଳିମାଡ଼ ହୋଇଛି। ଏହା ସହ ଏକ ପିକଅପ ଗାଡ଼ିକୁ ଜାଳି ଦିଆଯାଇଛି। କନିକା ନିକଟରେ ଘଟିଥିବା ଘଟଣାରେ ଲେଫ୍ରିପଡ଼ା ଥାନା ଯୋଗୀମାଲ ନିକଟ ଗୁଲଠାର ଲେକ୍ଚରର ରୋହିଦାସ ନାମକ ଜଣେ ବ୍ୟକ୍ତି ୨ ସହଯୋଗୀଙ୍କ ସହ ପିକଅପ ଗାଡ଼ିରେ ୨ଟି ବଳଦ ନେଇ ଆସୁଥିବା ବେଳେ ୭ ଜଣ ଯୁବକ ବୋଲେରୋରେ ଆସି ନିଜକୁ ବଜରଙ୍ଗ ଦଳର କର୍ମୀ ବୋଲି ପରିଚୟ ଦେଇ ଅଟକାଇ ଧମକଚମକ ଦେଇଥିଲେ। ଏହା ପରେ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ଲେକ୍ଚରର ଓ ସହଯୋଗୀ ଭୟରେ ଦୌଡ଼ି ପଳାଇବା ପରେ ବଳଦକୁ ଓହ୍ଲାଇ ଗାଡ଼ିକୁ ଯୁବକମାନେ ଜାଳି ଦେଇଥିଲେ। ଏ ନେଇ ସର୍ଗିପାଲି ଫାଣ୍ଡିରେ ଲେକ୍ଚରରଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅନ୍ୟ ଘଟଣାଟି ଘଟିଛି ବଡ଼ଗାଁ ଥାନା ବିଜୁ ଏକ୍ସପ୍ରେସୱେର ଇତମା ନିକଟରେ । ଏକ ପିକଅପ ଭ୍ୟାନ ନେଇ କୁତ୍ରା ବ୍ଲକ ଅନ୍ତର୍ଗତ କିରିଙ୍ଗସେରାର ଯୁବକ ସୁବାସ ନାୟକ ଆସୁଥିବାବେଳେ ୪ ଜଣ ଯୁବକ କାରରେ ଆସି ଗୁଳିମାଡ଼ କରିଥିଲେ। ଗୁଳି ଥୋଡ଼ି ତଳେ ବାଜି ପାର ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଏ ଓ କାହିଁକି ଆସି ସୁବାସକୁ ଗୁଳି କଲେ ସେ ନେଇ ତଦନ୍ତ କରୁଛି ବଡ଼ଗାଁ ପୁଲିସ। ତେବେ ୨ ଦିନରେ ୩ଟି ଗୁଳିକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *