ରାଉରକେଲା, ୦୯/୦୪/୨୦୨୫ (ଓଡ଼ିଶା ସମାଚାର)- ହୁଲାଡ଼େକ ଏବଂ ୱାଇ.ଏମ.ଏଫ.ଆଇ ର ମିଳିତ ସହଯୋଗରେ ସ୍ଥାନୀୟ ଉଦିତନଗର ସରକାରୀ ହାଇସ୍କୁଲରେ ଇ – ୱେଷ୍ଟ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଗାୟତ୍ରୀ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟ ରେ କହିଲେଯେ, ସମ୍ପ୍ରତି ବିଭିନ୍ନ ବର୍ଜ୍ୟ ବସ୍ତୁ ଆମ ପରିବେଶ କୁ ପ୍ରଦୂଷିତ କରୁଛି । ଇ – ୱେଷ୍ଟ ମଧ୍ୟ ଏକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଦିନକୁ ଦିନ ମୋବାଇଲ ଫୋନ୍, କମ୍ପୁଟର ସହ ଇଲେକ୍ଟ୍ରି ଓ ଇଲେକ୍ଟ୍ରୋନିକ୍ସ ଉପକରଣ ର ବ୍ୟବହାର ବୃଦ୍ଧି ପାଇ ଚାଲିଛି ।
ଫଳରେ ଅଚଳ କିମ୍ବା ଅବ୍ୟବହୃତ ଉପକରଣ ଗୁଡିକୁ ଏଣେ ତେଣେ ନ ଫୋପାଡ଼ି ସେଗୁଡିକୁ ଉପଯୁକ୍ତ ପ୍ରଣାଳୀ ରେ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ । ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ବିଷୟ ବସ୍ତୁ ସମ୍ପର୍କ ରେ ଆଲୋକପାତ କରିଥିଲେ । ଆମ ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଜୀବନ ଶୈଳୀ ଆପଣାଇବାକୁ ସେ ଆହ୍ୱାନ କରିଥିଲେ । ୱାଇଏମଏଫ ର ଚେୟାରମ୍ୟାନ ଇଂ ନଳିନୀ କାନ୍ତ ଧର ଏଥିରେ ଅଧ୍ୟକ୍ଷତା କରିବା ସହ ନିଜ ବକ୍ତବ୍ୟରେ କହିଲେଯେ, ସାମ୍ପ୍ରତି ଇଲେକ୍ଟ୍ରିକ ଓ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ଭାରତ ରେ ସମସ୍ୟା ଭାବେ ଉଭା ହେଉଛି । ଏଦିଗରେ ବିଭିନ୍ନ ମହାଲରେ ସଚେତନତା ଜାଗ୍ରତ ହେଲେ ହିଁ ଏହାର ସମାଧାନ ବାଟ ବାହାରି ପାରିବ ବୋଲି କହିଥିଲେ ।
ହୁଳଡ଼େକ କମ୍ପାନୀ ର ରିସୋର୍ଷ ପର୍ସନ ସୁଶ୍ରୀ ଏପ୍ସିତା ପରିଡା ପି ପି ଟି ଉପସ୍ଥାପନ ପୂର୍ବକ ଇ ୱେଷ୍ଟ ର ସଂଜ୍ଞା, ପ୍ରକାର ଭେଦ, ବ୍ୟବହାର, ସମସ୍ୟା, ଅଚଳ ଉପକରଣ ର ପରିଚାଳନା ପ୍ରଭୃତି ସମ୍ପର୍କ ରେ ବିଷଦ ଭାବେ ବୁଝାଇଥିଲେ । ହାଇସ୍କୁଲ ର ଶିକ୍ଷକବୃନ୍ଦ ଓ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କର୍ମଶାଳାରେ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
