ଜଗତସିଂହପୁର,୦୯/୦୪/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାର ସମୃଦ୍ଧ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସଂରକ୍ଷଣ ଏବଂ ପ୍ରଚାର କରିବା ଲକ୍ଷ୍ୟରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି ଓଡ଼ିଆ ପକ୍ଷ ପାଳନ ଅବସରର ନବମ ଦିବସରେ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳ ରେ ଥିବା ବିଦ୍ୟାଳୟ ଓ ମହା ବିଦ୍ୟାଳୟ ରେ ‘ଆସ ବହିଟିଏ କିଣିବା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନୂତନ ଓଡ଼ିଆ ଉପାଦେୟ ପୁସ୍ତକ କିଣି ବିଦ୍ୟାଳୟ ରେ ପ୍ରଦର୍ଶିତ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ,ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ନୂତନ ପୁସ୍ତକ କ୍ରୟ କରିବା ସହ ଯୁବପିଢୀ ଙ୍କୁ ଏହାର ଉପାଦେୟତା ସମ୍ପର୍କ ରେ ବୁଝାଇଥିଲେ।
ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଉପନ୍ୟାସ, ପ୍ରବନ୍ଧ, ନାଟକ ଓ ଶିଶୁ ସାହିତ୍ୟ ଆଦିରେ ଲିଖିତ ବହି ଥିଲା। ଆଗାମୀ ପିଢୀ ପାଇଁ ଓଡିଆ ସାହିତ୍ୟ ପ୍ରତି ଅନୁରାଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ।
