‘ଗୁହାରି ୨୦୨୪’ କାର୍ଯ୍ୟକ୍ରମର ଉଦଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ

ଭୁବନେଶ୍ୱର, ୧୨/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଆଜି ଥିଲା ଉଦଯାପନୀ ସଂଧ୍ୟା । ପୁରୀର ଶ୍ରୀମନ୍ଦିର ମୁକ୍ତିର ମାର୍ଗ  ପ୍ରଦର୍ଶକ । ଏ ମନ୍ଦିର ଏକ ଅପୂର୍ବ ରହସ୍ୟମୟ ମନ୍ଦିର । ଶ୍ରୀବତ୍ସ ଖଣ୍ଡଶାଳ ପ୍ରସ୍ତରରେ ଗଠିତ ମନ୍ଦିରର ଗର୍ଭଗୃହ, ମୁଖଶାଳା, ଭୋଗ ମଣ୍ଡପ, ନାଟ୍ୟ ମଣ୍ଡପ ତଥା ବିଜେ ମଣ୍ଡପ ଅନିନ୍ଦ୍ୟ ଓ ଅପରୂପ ସୌନ୍ଦର୍ଯ୍ୟର ପରିପାଟୀରେ ସର୍ବାଦୌ ଅନତିକ୍ରମଣୀୟ ।

ଉଦଯାପନୀ ସଂଧ୍ୟାର ପ୍ରଥମ କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ସେ ପରିବେଷଣ କରିଥିଲେ ବିଶ୍ୱମ୍ବରଙ୍କ ରଚନାରୁ ଦୁଃଖ ନାସନ ଗରୁଡ଼ାସନ ଓ କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ରଚିତ ସବୁଥିରୁ ବଂଚିତ କରି । ପରେ ପରେ ସ୍ୱାଗତ ମହାପାତ୍ର ବନମାଲୀଙ୍କ ରଚିତ ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ ଓ ମଣିମା ହେ ଏତିକି ମାଗୁଣୀ ମୋର ଗାୟନ କରିଥିଲେ । ପରବର୍ତ୍ତୀ ଗାୟିକା ଥିଲେ ଅମ୍ରିତା ନାୟକ, ସେ ପରିବେଷଣ କରିଥିଲେ ଥକାମନ ଚାଲ ଯିବା ଓ ଶ୍ରୀକୃଷ୍ଣ ବଂଶୀ ଧ୍ୱନୀ ଶୁଣି । ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ସୁଶାନ୍ତ କୁମାର ପାଣି, ସେ ଦୀନକୃଷ୍ଣଙ୍କ ରଚିତ ଜୟ ଜଗବନ୍ଧୁ ହେ ଯଦୁମଣି ଓ ଆହେ ନିଳାଦ୍ରୀ ବିହାରୀ ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ ଗୀତାମଞ୍ଜରୀ ବେହେରା ଗାୟନ କରିଥିଲେ ରାସେ ହରିମିହ ବିହିତ ବିଳାସମ୍‍ ଓ ମହାବାହୁ ହେ ଏହି କଥାରେ ମୋ ମନ । ତାଙ୍କ ପରେ ତନ୍ମୟ କୁମାର ହୋତା ଜଗବନ୍ଧୁ ପରି ଜଣେ ସାମନ୍ତ ଓ କର ନିଷ୍କାମ ଭକ୍ତି ସ୍ବରଚିତ୍ତେ ହୋ ଗାୟନ କରିଥିଲେ । ପରବର୍ତ୍ତୀ ଗାୟିକା ଥିଲେ ଭାରତୀ ଜେନା, ସେ ବନମାଳୀଙ୍କ ରଚିତ ଦୁଃଖ ନାସନ ହେ, ସୁଖ ନପାଇଲି ଦିନେ ଓ ତୁମ ପରି ମୋତେ କାଠ କରିଦିଅ ପରିବେଷଣ କରିଥିଲେ । ପରେ ପରେ ଅର୍ପିତା ଚୌଧୁରୀ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ମାନ ଉଦ୍ଧାରଣ ଓ ବନମାଳୀଙ୍କ ଦ୍ୱାରା ରଚିତ ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ ଗାୟନ କରିଥିଲେ । ଶେଷରେ ଗଗନବିହାରୀ ସ୍ୱାଇଁ କହ କହ ପ୍ରଭୁ କେଉଁ ପରି ତୁମେ ଓ ମନ ମନ୍ଦିର ମୋ ମୁକୁଳା ରଖିଛି ।  ସମସ୍ତ କଣ୍ଠଶିଳ୍ପୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ । ସେମାନଙ୍କୁ ତବଲାରେ ବିଭୂପ୍ରସାଦ ନନ୍ଦ, ଢୋଲକରେ ମନୀଷ ରାଜ ନନ୍ଦ, ବଂଶୀରେ ଶ୍ୟାମ ରାଓ, ଅକ୍ଟୋପ୍ୟାଡ଼ରେ ଅନିଲ ଦାସ, କିବୋର୍ଡ଼ରେ ପରମାନନ୍ଦ ସାହୁ ଏବଂ ହାରମୋନିୟମ୍   ରେ ବିବେକାନନ୍ଦ ରାଉତ ସହଯୋଗ କରିଥିଲେ ।

 ଉଦଯାପନୀ ଉତ୍ସବଟିକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ ପ୍ରସନ୍ନ ସ୍ୱାଇଁ; ଓଡ଼ିଆ ଅଧ୍ୟୟନ ଉତ୍କର୍ଷ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ଡ଼କ୍ଟର ବସନ୍ତ ପଣ୍ଡା; ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁରୁ ସିକତା ଦାସ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବିଶ୍ଵଜିତ ବଳିଆରସିଙ୍ଗ ।

Leave a Reply

Your email address will not be published. Required fields are marked *