ଅପର୍ଣ୍ଣା ମହାନ୍ତି ପାଇବେ ଚଳିତ ବର୍ଷର ସମ୍ମାନଜନକ ବିଷୁବ ପୁରସ୍କାର

କଟକ,୦୮/୦୪/୨୦୨୫ (ଓଡ଼ିଶା ସମାଚାର)- ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ଆସନ୍ତା ୧୨ ତାରିଖରୁ ୭୬ତମ ବିଷୁବ ମିଳନ ଉତ୍ସବ ଆରମ୍ଭ ହେବ । ସ୍ଥାନୀୟ ପ୍ରଜାତନ୍ତ୍ର ପରିସରରେ ଥିବା ବିଷୁବ ମଣ୍ଡପରେ ୩ ଦିନ ବ୍ୟାପୀ ଆୟୋଜିତ ବନ୍ଧୁମିଳନ ବାର୍ଷିକ ସମାବର୍ତନ ଉତ୍ସବରେ ଆସନ୍ତା ୧୪ ତାରିଖ ପୂର୍ବାହ୍ନ ୧୦ଘଟିକାରେ ବିଶିଷ୍ଟ କବି, ସ୍ରଷ୍ଟା ଓ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

ଅପର୍ଣ୍ଣା ମହାନ୍ତି

ବିଶିଷ୍ଟ କବୟିତ୍ରୀ ତଥା ସାହିତ୍ୟ ସମାଲୋଚକ ଅପର୍ଣ୍ଣା ମହାନ୍ତିଙ୍କୁ ଚଳିତ ବର୍ଷର ସମ୍ମାନଜନକ “ବିଷୁବ ପୁରସ୍କାର” ପ୍ରଦାନ କରାଯିବ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ସୂଚନା ଦିଆଯାଇଛି । ପୁରସ୍କାର ବାବଦରେ ତାଙ୍କୁ ଏକ ଲକ୍ଷ ଟଙ୍କା ଓ ତାମ୍ର ଫଳକ ସହ ସଂଗଠିତ କରାଯିବ । ସେହିପରି ପ୍ରବନ୍ଧ ଓ ସାହିତ୍ୟ ସମାଲୋଚନା ପାଇଁ ଅଧ୍ୟାପକ ବେଣୁଧର ପାଢ଼ି, କବିତା ପାଇଁ ରଂଜିତା ନାୟକ, ଗଳ୍ପ ପାଇଁ କ୍ଷୀରୋଦ ଦାସଙ୍କୁ ଚଳିତ ବର୍ଷର “ଝଙ୍କାର ପୁରସ୍କାର” ପ୍ରଦାନ କରାଯିବ । ଏହି ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ନଗଦ ୨୫ହଜାର ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯିବ ।

ଏହାଛଡ଼ା ଅନୁବାଦ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ କମଳା ଶତପଥିଙ୍କୁ “ଝଙ୍କାର ଅନୁବାଦ- ଭାରତୀ” ପୁରସ୍କାର ପ୍ରଦାନ କରାଯିବ । ଏ ବାବଦରେ ତାଙ୍କୁ ୧୦ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ବୋଲି ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *