କୋଣାର୍କ / ଭୁବନେଶ୍ୱର,୦୮/୧୨/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଡିସେମ୍ବର ୧୩ରୁ କୋଣାର୍କ ଇକୋ ରିଟ୍ରିଟ ଆରମ୍ଭ ହେବ । ଏବେଠାରୁ ରାମଚଣ୍ଡୀ ମୁହାଣ ଇକୋ ରିଟ୍ରିଟ ନିକଟରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ସମୁଦ୍ର ବେଳାଭୂମି ଚଳଚଂଚଳ ହୋଇଉଠିଛି । ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ-କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ କୋଣାର୍କ ଇକୋ ରିଟ୍ରିଟ ସପ୍ତମ ସଂସ୍କରଣ ଆରମ୍ଭ ହେବ ।ଏଥି ନିମନ୍ତେ ପ୍ରବେଶ ତୋରଣ, ସେଲ୍ସି ପଏନ୍ଟ,କନଫରେନ୍ସ ଓ ରିସେପସନ ପାଇଁ ଦୁଇଟି ବଡ଼ ହଲ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ସଂଯୋଗ ଆଦି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଥିବା ଜଣାଯାଇଛି । ବେଳାଭୂମିରେ ୭୦ ତମ୍ବୁଘର ଓ ବିଚ ବାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ପର୍ଯ୍ୟଟକ ମାନଙ୍କ ପାଇଁ ତମ୍ବୁ ଘରେ ତାରକା ହୋଟେଲ ଭଳି ସମସ୍ତ ସୁବିଧା ଉପଲବ୍ଧ ରହିବ । ଏହା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ ।
ପର୍ଯ୍ୟଟକମାନେ ବେଳାଭୂମିର ତମ୍ବୁ ଘରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜଳ କ୍ରୀଡ଼ାର ମଜା ନେବେ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱର୍ଣ୍ଣାଭବେଳାଭୂମିରେ ଜଳକ୍ରୀଡା, ପାରାସେଲିଙ୍ଗ, ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତିକ କାର୍ଯ୍ୟକ୍ରମ ରହିଛି ।କୋଣାର୍କ ଇକୋ ରିଟ୍ରିଟର ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି ଥିବାବେଳେ ଆଉ ଅଳ୍ପ ଦିନ ପରେ ଏହା ପର୍ଯ୍ୟଟକ ମାନଙ୍କ ପାଇଁ ଉପଲବ୍ଧ ହେବ ।ଏନେଇ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ପ୍ରକାଶ କରିଅଛନ୍ତି ।
୧୩ରୁ ଇକୋ-ରିଟି୍ରଟ୍ ଆରମ୍ଭ — ତମ୍ବୁରେ ତାରକା ହୋଟେଲର ମଜାନେବେ ପର୍ଯ୍ୟଟକ
