ଯାଜପୁର ଟାଉନ/ ଭୁବନେଶ୍ୱର,୩୦/୦୬/୨୦୨୬(ଓଡ଼ିଶା ସମାଚାର)-ବହୁଚର୍ଚ୍ଚିତ ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ରାୟ ଆସିଛି । ମୁଖ୍ୟ ଦୋଷୀ ରାକେଶ କୁମାର ସ୍ୱାଇଁ ଙ୍କୁ ଆଜୀବନ କାରାଦଣ୍ଡାଦେଶ କରାଯାଇଥିବାବେଳେ ସହଯୋଗୀଙ୍କୁ ୫ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି ଯାଜପୁର ଅତିରିକ୍ତ ଜିଲା ଦୌରାଜଜ୍ । ଝରାଫୁଲଙ୍କୁ ଭବନେଶ୍ୱର ର ଏକ ହୋଟେଲ ରୁମରେ ହତ୍ୟା କରି ଯାଜପୁରରେ ମୃତଦେହ ଫିଙ୍ଗା ଯାଇଥିଲା । ଘଟଣାର ମୁଖ୍ୟ ଦୋଷୀ ହେଲେ ଭୁବନେଶ୍ୱର ଏଆରଫିଲ୍ଡ଼ ଥାନା ସୁନ୍ଦରପଦା ଅଂଚଳର ରାକେଶ କୁମାର ସ୍ୱାଇଁ । ୨୦୨୧ ମସିହା ଜାନୁଆରୀ ୨୬ ତାରିଖରେ ଭୁବନେଶ୍ୱର ଶିବ ସାଇ ହୋଟେଲ ରୁମ୍ ରେ ତାଙ୍କ ମହିଳା ବନ୍ଧୁଙ୍କୁ ହତ୍ୟାକରି ସ୍କୁଟିରେ ଆଣି ଯାଜପୁର ଜିଲା କୁଆଖିଆ ଥାନା ମୂଳାପାଳ ନିକଟରେ ରାସ୍ତାକଡ଼ରେ ମୃତଦେହକୁ ପୋତି ଥିଲେ ।
ଏ ନେଇ କୁଆଖିଆ ଥାନାରେ ଝରାଫୁଲଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଘଟଣାରେ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୋମବାର ଏହି ମାମଲାର ଶୁଣାଣି ହୋଇଥିଲା । ୨୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ୩୬ ଗୋଟି ଦସ୍ତାବିଜକୁ ଆଧାର କରି ଦୋଷୀଙ୍କୁ ଆଇପିସର ଦଫା ୩୦୨ ଅନୁସାରେ ଆଜୀବନ କାରାଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜୋରିମାନା ପାଇଁ ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦାୟ ହେଲେ ୧୨ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦେଶ ଦେଇଛନ୍ତି ।
ଘଟଣାର ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନ ମିଳିବାରୁ ନିର୍ଦୋଷରେ ଖଲାସ ହୋଇଛନ୍ତି । ଏଥି ସହ ସହଯୋଗୀ ଅମରେଶ ରାଉତଙ୍କୁ ପ୍ରମାଣ ନଷ୍ଟ ଅଭିଯୋଗରେ ୫ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦାୟ ହେଲେ ୩ ବର୍ଷ ଅଧିକ ଜେଲ ପାଇଁ ରାୟ ଶୁଣାଣି କରିଛନ୍ତି ।
