ଯାଜପୁର,୩୦/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାର ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରାଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଯାଇଅଛି। ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ପ୍ରସାରଣ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ଓଡ଼ିଶା ଶ୍ରୀ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଆଜି ଏକ ଐତିହାସିକ ଦିବସ କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଶୁଭାରମ୍ଭ ହୋଇଛି ଅନ୍ତ୍ୟୋଦୟ ଗୃହ ଯୋଜନା।

ସମାଜର ଶେଷ ଧାଡ଼ିରେ ଥିବା ଗରିବ ମାନଙ୍କ ପାଇଁ ପକ୍କା ଛାତ ଘର ଟିଏ ଗଢି ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରଦାନ କରିବା ନିମନ୍ତେ ଆମ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେଇ ଆଶା ଓ ଆକାଂକ୍ଷାକୁ ପୂରଣ କରିବାକୁ ଆଜି ଆମ ସରକାର ସମାଜର ନିମ୍ନ ଆୟ ବର୍ଗର ପରିବାରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ସଭିଙ୍କ ପାଇଁ ପକ୍କା ଘର ପ୍ରତିବଦ୍ଧତାକୁ ବଜାୟ ରଖି ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା।
ଏହା ବିକଶିତ ଗ୍ରାମ, ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନର ସ୍ବପ୍ନକୁ ପୂରଣ ଦିଗରେ ନିଶ୍ଚୟ ସହାୟକ ହେବ। ଏହି ଦୂରଦର୍ଶୀ ଯୋଜନା ଗ୍ରାମାଞ୍ଚଳର କଚ୍ଚା ଘରେ ରହୁଥିବା କିମ୍ବା ତୁରନ୍ତ ବାସସ୍ଥାନ ଆବଶ୍ୟକ କରୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେଇ ବିକଶିତ ଓଡ଼ିଶା ନିର୍ମାଣ ଲକ୍ଷ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ମୋର ଆଶା ଓ ବିଶ୍ବାସ। ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗ ଦର୍ଶନରେ ରାଜ୍ୟରେ ୨୩ ଲକ୍ଷରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଗୃହ ନିର୍ମାଣ ହୋଇସାରିଛି।

୪ ଲକ୍ଷ ରୁ ଉର୍ଦ୍ଧ୍ବ ଗୃହ ନିର୍ମାଣଧୀନ ଅବସ୍ଥାରେ ରହିଛି। ସେହିପରି ଗତ ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ନୂତନ ସର୍ଭେରେ ୨୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ତାଲିକାଭୁକ୍ତ ହୋଇ ସାରିଛନ୍ତି। ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ରୋଗରେ ପୀଡିତ ପରିବାର, ସହୀଦ ପରିବାର, ଘରପୋଡି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ୟ୍ୟୟରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ। କର୍କଟ, କୁଷ୍ଠ, କିଡନୀ ରୋଗ, ଲିଭର ସିରୋସିସ୍, ଥାଲାସେମିଆ ଅଥବା ଏଚ.ଆଇ.ଭି ପରି ଦୁରାବ୍ୟାଧି ରେ ପୀଡିତ ପରିବାର ଏବଂ ଅନାଥ ନିରଶ୍ରାୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇଦେବା ସହ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ମୁକ୍ତ ଗୋତି ଶ୍ରମିକ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡାବିତ ମାନେ ଏହି ଯୋଜନାରେ ବିଶେଷ ଭାବେ ଉପକୃତ ହୋଇପାରିବେ।

ଅନ୍ତ୍ୟୋଦୟ ଗୃହ ଯୋଜନାରେ ୩ ବର୍ଷରେ ୭ ହଜାର ୫ଶହ ୫୦ କୋଟି ଟଙ୍କା ବିନିଯୋଗ ହେବ।୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୨ ହଜାର ୬ ଶହ କୋଟି ଟଙ୍କାର ବଜେଟ୍ ଅଟକଳ କରାଯାଇଛି। ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ୟ୍ୟ ସମାପ୍ତ କରୁଛନ୍ତି ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଓ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଅଂନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀ ମାନଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରୁ ୯୦ ବା ୯୫ ଦିନ ପର୍ୟ୍ୟନ୍ତ ଅଣକୁଶଳୀ ଶ୍ରମ ପାରିଶ୍ରମିକ ସେବା ସହ ଅନ୍ୟାନ୍ୟ ଯୋଜନା ଆଦିର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଯାଜପୁର ଜିଲ୍ଲାରେ ୪୩୮୦ ଜଣ ହିତାଧିକାରୀ ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଆଜି ୧୦ ଟି ବ୍ଲକ ରେ ୩୩୨୧ ଜଣ ହିତାଧିକାରୀ ଙ୍କୁ କାର୍ୟ୍ୟାଦେଶ ପ୍ରଦାନ କରାଯାଇଛି।ଏହି କାର୍ୟ୍ୟକ୍ରମରେ ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ବ୍ଲକ ଅଧ୍ୟକ୍ଷାଶ୍ରୀମତୀ ସ୍ଵର୍ଣ୍ଣଲତା ପରିଡା,ଉପଜିଲ୍ଲାପାଳ ଲମ୍ବୋଦର ଖୁଣ୍ଟିଆ, ବିଭାଗୀୟ ଅଧିକାରୀ,ବି. ଡି. ଓ ହେମନ୍ତ କୁମାର ମହାନ୍ତ, ପଂଚାୟତ ପ୍ରତିନିଧି, ହିତାଧିକାରୀ, ମିଶନ ଶକ୍ତି ମହିଳା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।
