ଜଗତସିଂହପୁର, ୩୦/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିଥିଲେ।
ଗ୍ରାମାଞ୍ଚଳରେ ରହିଯାଇଥିବା ବହୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନା ରହିବା ପାଇଁ ପକ୍କା ବାସଗୃହ ଯୋଗାଇ ଦେଇ ପାରିଛି ବୋଲି କହିଥିଲେ। ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ, ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରବିନାରାୟଣ ଜେଠୀ, ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ କନକପ୍ରଭା ଲେଙ୍କା, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରତିରଞ୍ଜନ ବେହେରା ଯୋଗଦେଇ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ସଭାରେ ୩୬୨ ଜଣ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।
ଆଭାସୀ ଜରିଆରେ ଜିଲ୍ଲାର ସମସ୍ତ ୮ଟି ବ୍ଲକ ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ସଭାସ୍ଥଳ ସହ ଯୋଡି ହୋଇଥିଲେ । ପ୍ରାରମ୍ଭରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ମଧ୍ୟ ଉପସ୍ଥିତ ଜନସାଧାରଣ ଶୁଣିଥିଲେ।ସୂଚନାଯୋଗ୍ୟ,ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ । ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରୁ ରନ୍ଧନ ଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରୁ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯିବ । ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ ।
ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ ‘ପରିବାର’ ଓ ‘ପକ୍କା ଘର’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି । ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆର.ସି.ସି. ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି । ପ୍ରାରମ୍ଭରେ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଆଶୁତୋଷ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ମଞ୍ଚ ସଂଯୋଜନା କରଥିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରୂପରେଖା ସାହୁ। ଏଥିରେ ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ପଣ୍ଡା, ଚିତ୍ତରଞ୍ଜନ ମହାନ୍ତି , ସୁନନ୍ଦା ରାଉତ, ରାଜେଶ ରଞ୍ଜନ ସାହୁ, ମଧୁସ୍ମିତା ବିଶ୍ୱାଳ , ପ୍ରିୟଙ୍କା ସାହୁ ଉପସ୍ଥିତ ଥିବାବେଳେ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ରାଉତ, ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ଦାସ, କବି ରଞ୍ଜନ ମହାପାତ୍ର, ରାମଚନ୍ଦ୍ର ଷଡ଼ଙ୍ଗୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁନୀଲ କୁମାର ରାଉତରାୟ, କମ୍ପୁଟର ପ୍ରୋଗ୍ରାମର ବିବେକାନନ୍ଦ କାନୁନଗୋ, ନିଗମାନନ୍ଦ ଜେନା, ଦିଲ୍ଲୀପ କୁମାର ମହାରଣା, ସରିତା ବେହେରା, ପ୍ରିୟଙ୍କା ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।
