‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ : ‘ଶିକ୍ଷିତ ଓଡ଼ିଆ ଆଜି ଭାଷାର ଆତତାୟୀ ପାଲଟିଛନ୍ତି’ : କବି ବିପିନ ନାୟକ

ଭୁବନେଶ୍ୱର,୨୯/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆମ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଉଦ୍ୟମ ପର୍ଯ୍ୟାପ୍ତ ନୁହେଁ । ଜନଗଣଙ୍କ ସ୍ତରରେ ଭାଷା ଓ ସାହିତ୍ୟର ଉନ୍ନତି ହୋଇପାରୁ ନାହିଁ, କାରଣ ଶିକ୍ଷିତ ଓଡ଼ିଆମାନେ ହିଁ ଭାଷାର ଆତତାୟୀ ପାଲଟୁଛନ୍ତି ବୋଲି ବିଶିଷ୍ଟ କବି ବିପିନ ନାୟକ ଉଲ୍ଲେଖ କରିଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ କବି ଶ୍ରୀ ନାୟକ ଜୀବନ ଓ ସାହିତ୍ୟ ଯାବତୀୟ ଯୁକ୍ତିର ଊଦ୍ଧ୍ୱର୍ରେ ବୋଲି ପ୍ରକାଶ କରିଛନ୍ତି ।

ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି କବି ଶ୍ରୀ ରକ୍ଷକ ନାୟକଙ୍କ ସହିତ ଆଳାପ କ୍ରମେ ଶ୍ରୀ ନାୟକ କହିଛନ୍ତି ଯେ କବିମାନେ ଅତିମାତ୍ରାରେ ଅବେଗସିକ୍ତ, ପ୍ରବଣ । ଅତ୍ୟଧିକ ଉତ୍ପାଦନରେ ଯେପରି ଅର୍ଥନୀତି ଭୁଷୁଡ଼ି ପଡ଼େ, ସେହିପରି ପ୍ରଚୁର ଅକବିତା ଶୁଭଙ୍କର ନୁହେଁ । ଶ୍ରୀ ନାୟକ ତାଙ୍କ କାବ୍ୟଯାତ୍ରାର ବିସ୍ତୃତ ବିବରଣୀ ଦେବା ସହିତ ଜୀବନର ବିଭିନ୍ନ ଅନୁଭୂତି ବର୍ଣ୍ଣନା କରିଥିଲେ ।

ଡ. ପ୍ରଦୀପ୍ତ କୁମାର ବାରିକ, ବିଜୟ ପ୍ରସାଦ ମହାପାତ୍ର, ପବିତ୍ର ମୋହନ କର, ବିପିନ ବିହାରୀ ତି୍ରପାଠୀ, ଲକ୍ଷ୍ମୀଧର ଦାଶ ଓ କୁମୁଦିନୀ ଜୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ‘ଅତିଥି କବି’ ଭାବରେ କେ. ଶ୍ୟାମବାବୁ ଦୋରା କବିତା ପାଠ କରିଥିଲେ । ପ୍ରଥମେ କବି ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିବାବେଳେ କବି ଶ୍ରୀ ନାୟକ ଓ ଶ୍ରୀ ଦୋରାଙ୍କୁ ଅନୁଷ୍ଠାନ ପକ୍ଷରୁ ଉପହାର ପ୍ରଦାନ କରାଯାଇଥିଲା ।

ଶ୍ୟାମାକିଙ୍କର ମହାନ୍ତି କବି ରମାକାନ୍ତ କବିତା ପରିବେଷଣ କରିଥିଲେ । ପରେ ଉପସଭାପତି ମିନତୀ ଦାସ ଓ ତରୁଣ କବି ବେଦପ୍ରକାଶ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଧୁଭୂଷଣ ତି୍ରପାଠୀ, ରଜନୀକାନ୍ତ ପଟ୍ଟନାୟକ, ଆଶୋକ ସିଂହ, ପ୍ରଦୁ୍ୟମ୍ନ ପଟ୍ଟନାୟକ, ଦିଲ୍ଲୀପ ନାୟକ, ପ୍ରକାଶ ଚନ୍ଦ୍ର ବେହେରା, ଚିତ୍ତରଞ୍ଜନ ବ୍ରହ୍ମା, ଗୀତାଞ୍ଜଳି ଦଳାଇ, ମିନତୀ ମିଶ୍ର, ଚକ୍ରଧର ଦାଶ, ବାସନ୍ତୀ ତି୍ରପାଠୀ, ସଞ୍ଜୁଲତା ମହାନ୍ତି, ସବିତା ଶତପଥୀ, ରମାକାନ୍ତ ଗୋଛାୟତ, ପ୍ରବୀଣା ପରିଡ଼ା, ବିରଞ୍ଚି ଶତପଥୀ, ମହେନ୍ଦ୍ର କୁମାର ମଲ୍ଲିକ, ପ୍ରହରାଜ ଜୟ ନାରାୟଣ ନନ୍ଦ, ପବିତ୍ର ମୋହନ ବାରିକ, ମିହିରକାନ୍ତି ଦାସ, ପୀତାମ୍ବର ଭୋଇ, ନୃସିଂହ ତରାଇ, ମମତା ସାହୁ, ଦେବଦତ୍ତ ପତି, ବ୍ରହ୍ମାନନ୍ଦ ଖୁଣ୍ଟିଆ ଓ ବୀରେନ୍ଦ୍ର ନାୟକ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

-0-

ସୂର୍ଯ୍ୟ ମିଶ୍ର ଲୋକ ସଂପର୍କ ଅଧିକାରୀ  ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *