ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଦୁଇଦିନିଆ  ସମୀକ୍ଷା ବୈଠକ

ଭୁବନେଶ୍ୱର,୨୮/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଦୁଇ ଦିନିଆ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିମାନଙ୍କ ସମୀକ୍ଷା ବୈଠକ ରାଜ୍ୟ ସଚିବାଳୟ ଲୋକସେବା ଭବନଠାରେ ଉଦଘାଟିତ  ହୋଇଯାଇଛି ।

ଏହି ବୈଠକରେ ମାନ୍ୟବର ମନ୍ତ୍ରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୁଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଅଧ୍ୟକ୍ଷତା  କରିଥିଲେ ।

ସଂଧ୍ୟା ୪ ଘଟିକା ସମୟରେ ହୋଇଥିବା ସାଧାରଣ ସଭାରେ ମାନ୍ୟବର ମନ୍ତ୍ରୀ, ଶ୍ରୀ ଗଣ୍ଡ, ମୁଖ୍ୟଅତିଥି ଭାବରେ ଅଭିଭାଷଣଦେଇ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତଦୁର୍ଦ୍ଧ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡା ୮୦ କିମ୍ବା ତଦୁର୍ଦ୍ଧ ଭିନ୍ନକ୍ଷମତା ଥିବା ଭତ୍ତା ହିତାଧିକାରୀମାନଙ୍କ ଭତ୍ତା ରାଶିକୁ ୧୨୦୦ ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଏହାର ସଠିକ ପ୍ରତିପାଳନ ପାଇଁ ଜିଲ୍ଲା ଓ  ବ୍ଲକ ଅଧିକାରୀ ଦିଗଦର୍ଶନ ଦେଇଥିଲେ ।  ମାନ୍ୟବର ମନ୍ତ୍ରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାନଙ୍କଠାରୁ ଜିଲ୍ଲାର ବିଭିନ୍ନ ସମସ୍ୟା ମଧ୍ୟ ଶୁଣିଥିଲେ ଓ ସେଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶିକା, ଶ୍ରୀମତୀ ନିୟତି ପଟ୍ଟନାୟକ, ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ, ଶ୍ରୀ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ  କରିଥିଲେ ।  ଏତଦ ବ୍ୟତୀତ ବିଭାଗର ଅର୍ଥପରାମର୍ଶ ଦାତା ଜୟଶ୍ରୀ ତ୍ରିପାଠୀ, ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସୋନିଆ ବେହେରା ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିବାବେଳେ ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

          ଏହି ସମୀକ୍ଷା ବୈଠକରେ ବିଭିନ୍ନ କ୍ଷେତ୍ରରେ  ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରିତ କରାଯାଇ ସେମାନଙ୍କର ସୁଚିନ୍ତିତ ମତ ନିଆଯାଇଥିଲା  । ଉକ୍ତ  ଦୁଇ ଦିନିଆ ସମୀକ୍ଷା ବୈଠକ ଅବସରରେ ଆସନ୍ତାକାଲି ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାକୁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

-0-

ପ୍ରମୋଦିନୀ ଟେଟେ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *