ଭୁବନେଶ୍ୱର,୨୨/୦୩/୨୦୨୫ (ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଦ୍ୱାରା ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ “ସାମର୍ଥ୍ୟ’ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଂଚଳିକ ବର୍ଗରେ ଅନୁ ଚୌଧୁରୀ ଏବଂ ଶିବ ନାରାୟଣ ମହାନ୍ତିଙ୍କ “ମାଇଁ ଏକ୍ସପ୍ରେସନ୍’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଏବଂ “ଗ୍ଲୀଚ୍’ ରନର୍ସ ଅପ୍ ହୋଇଛି । ଯାହାର ନିର୍ମାତା ରଜନୀ ବାରିକ ଓ ନିର୍ଦ୍ଧେଶକ ରହିଛନ୍ତି ସ୍ୱରାଜ ବାରିକ ।
ସେହିପରି ଜାତୀୟସ୍ତରରେ ଶ୍ରେଷ୍ଠ ଫିଲ୍ମ ‘ଅନ୍ଧଦୃଷ୍ଟି’ ଏବଂ ରନର୍ସ ଅପ୍ ହୋଇଛି “କାବିଲ୍’ । ଶ୍ରେଷ୍ଠ ନିର୍ଦ୍ଧେଶକ (ଯୁଗ୍ମ ଭାବରେ) “ପସିବଲ୍’ ପାଇଁ ଅରବିନ୍ଦ ଜେନା ଓ “ଜୀବନ’ ପାଇଁ ପପୁ ସାହୁ ପୁରସ୍କୃତ ହୋଇଥିବାବେଳେ ଶ୍ରେଷ୍ଠ କାହାଣୀ ଫିଲ୍ମ “ଆରବ’, ସୁଧାଂଶୁ ମୋହନ ସାହୁଙ୍କ ସିନେମା “ରୀ-ଥୀଙ୍କ’ ପାଇଁ ସିନେମା ଫଟୋଗ୍ରାଫର ଦୀପକ କୁମାର, ଶ୍ରେଷ୍ଠ ଅଭିନେତା ଏ. ସୌରଭ କୁମାର ପାତ୍ର (ଦି ସ୍ପିରିଟ୍ ଅଫ୍ ଫ୍ରିଡମ୍), ଶ୍ରେଷ୍ଠ ଅଭିନେତ୍ରୀ ଉର୍ବସୀ ଦାଶ (ସାମର୍ଥ୍ୟ), ଶ୍ରେଷ୍ଠ ସାମାଜିକ ସନ୍ଦେଶ ପାଇଁ କୋଲକାତାର ଋତୁପର୍ଣ୍ଣା ସେନଗୁପ୍ତାଙ୍କ “ରୋଷନି ଏକ କାହାନୀ’ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କୃତ ହୋଇଛି ।
ଏହାସହ ଅନ୍ୟ ପ୍ରଯୋଜକ ଓ ନିର୍ଦ୍ଧେଶକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସମଗ୍ର ଭାରତ ବର୍ଷରୁ ପ୍ରାୟ ୧୫୦ରୁ ଅଧିକ ଫିଲ୍ମ ନିର୍ମାତା ପ୍ରତିଯୋଗିତାରେ ଆବେଦନ କରିଥିବାବେଳେ ପ୍ରାୟ ୭୧ଟି ସିନେମା ସାମିଲ୍ ହୋଇଥିଲେ । ଏହି ସମ୍ମାନ ପ୍ରଦାନ ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଭାଗୀୟ ଅର୍ଥ ପରାମର୍ଶଦାତା ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ସୁବାସ ପ୍ରଧାନ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ନମ୍ରତା ଥାପ୍ପା ପ୍ରମୁଖ ଯୋଗଦଇଥିଲେ ।
ଏହି ଫିଲ୍ମଗୁଡ଼ିକ ସମସ୍ତଙ୍କୁ ଉତ୍ସାହିତ କରିବା ସହ ସାମାଜିକ ସଚେତନତା ସୃଷ୍ଟି ଓ ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିବେ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆର୍ ଆର୍ ଇଭେଂଟ୍ସ ଆଣ୍ଡ୍ ସିନେ ପ୍ରଡକ୍ସନ ମୁଖ୍ୟ ପ୍ରଯୋଜକ ରମେଶ ବାରିକ ଓ ଫେଷ୍ଟିଭାଲ କ୍ରିଏଟିଭ୍ ହେଡ୍ ଶ୍ୟାମା ପ୍ରସାଦ ମିଶ୍ର ପରିଚାଳନା କରିଥିବାବେଳେ ଧନ୍ୟବାଦ ଦେଇଥିଲେ ଆର୍ ଆର୍ ଇଭେଂଟ୍ସ ଆଣ୍ଡ୍ ସିନେ ପ୍ରଡକ୍ସନର ଲୋକ ସମ୍ପର୍କ ଅଧିକାରୀ ଶାଶ୍ୱତୀ ପତି ।
ପ୍ରଥମେ ସମସ୍ତ କ୍ଷୁଦ୍ର ଚଳଚ୍ଚିତ୍ରକୁ ଅନୁଧ୍ୟାନ କଲାପରେ ତିନିଦିନ ତଳେ ଓଡ଼ିଶୀ ରିସର୍ଚ୍ଚ ସେଂଟର ରଙ୍ଗମଂଚଠାରେ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ହୋଇଥିଲା । ପ୍ରତି କ୍ଷୁଦ୍ର ସିନେମାର ଅବଧି ୨ରୁ ୫ ମିନିଟ୍ ରହିଥିଲା । ବିଚାରକ ମଣ୍ଡଳୀରେ ଓଡ଼ିଆ ବିଭାଗ ମୁଖ୍ୟ ଭାବେ ନିର୍ଦ୍ଧେଶକ ସବ୍ୟସାଚୀ ମହାପାତ୍ର, ଜାତୀୟ ବିଚାରକ ମୁଖ୍ୟ ଭାବେ ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍ଷ୍ଟିଚୁ୍ୟଟ୍ ର ନିର୍ଦ୍ଧେଶକ ହିମାଂଶୁ ଶେଖର ଖଟୁଆ, ନିର୍ଦ୍ଧେଶକ ଗଦାଧର ପୁଟି ପ୍ରମୁଖ ଯୋଗଦେଇଥିଲେ ।