ତୁରନ୍ତ ସେମାନଙ୍କୁ ଭତା ପ୍ରଦାନ କରାଯାଉ
ଭୁବନେଶ୍ୱର,୨୨/୦୩/୨୦୨୫ (ଓଡ଼ିଶା ସମାଚାର)- ଗତ ବିଧାନସଭା ନିର୍ବାଚନ ପୂର୍ବରୁ ଅର୍ଥାତ ନିର୍ବାଚନ ପାଇଁ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଜେଡ଼ି ଶାସନ ରେ ଥିବାବେଳେ ଅନେକ ଲୋକଙ୍କୁ ଭତା ପାଇବା ଯୋଗ୍ୟ ହୋଇନଥିଲେ ମଧ୍ୟ ବିଜେଡ଼ି ର ତଳ ସ୍ତରର କର୍ମୀମାନେ ହାତ ଚିକଣ କରି ବିଭିନ୍ନ ଭତା କରାଇଦେଲେ । ପରମୂହୂର୍ତରେ ଏହି ଭତା କେଳେଙ୍କାରୀ କେତେକ ସ୍ଥାନରେ ଧରାପଡ଼ିଥିବା ଗଣ ମାଧ୍ୟମରେ ପ୍ରକାଶ ପାଇ ଲୋକଲୋଚନକୁ ଆସିଛି । ଯେଉଁମାନେ ବିଜେଡ଼ି ର ତଳ ସ୍ତରର କର୍ମୀମାନଙ୍କୁ ଧରି ପାରିଲେ ନାହିଁ କି ତାଙ୍କ ହାତ ଚିକଣ କରିପାରିଲେ ନାହିଁ , ସେଭଳି ଲୋକମାନଙ୍କର ବର୍ଷେରୁ ଉଦ୍ଧ୍ୱର୍ ସମୟ ହେଲା ଭତା ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତା ପାଇପାରୁନାହାନ୍ତି ।
ଭତା ପାଇବା ପାଇଁ ବୟସ ହୋଇନଥିବାବେଳେ ଭେଣ୍ଡିଆ ଟୋକାଙ୍କୁ ଭତା ଦିଆଯାଉଛି ହେଲେ ପ୍ରକୃତ ଭତା ପାଇବା ଯୋଗ୍ୟ ବ୍ୟକ୍ତିମାନେ ଭତା ପାଇ ପାରୁନାହାନ୍ତି । ଏ ସମ୍ପର୍କରେ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଛିଠି ଦ୍ୱାରା ଗୁହାରୀ କରୁଥିଲେ ମଧ୍ୟ ଭତା ପାଇବା କଥା ତ ଦୂରର କଥା, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ପତ୍ର ପ୍ରାପ୍ତି ସ୍ୱୀକାର କିମ୍ବା ଉତର ଟିଏ ମିଳୁନାହିଁ । ଏହା କଣ ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟ କରିବାର ତରିକା ? ବୋଲି ସାଧାରଣରେ ଆଲୋଚନା ହେଲାଣି ।
ରାଜ୍ୟରେ ବର୍ତମାନ ୬ ଲକ୍ଷ ୪ ହଜାର ୬୮୮ ଜଣ ଭତ୍ତା ପାଇଁ ଅପେକ୍ଷାରେ ଅଛନ୍ତି। ଏ ନେଇ ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଉତ୍ତର ରଖିଛନ୍ତି। ଭିନ୍ନକ୍ଷମ ଭତ୍ତା ପାଇଁ ୪୦, ୯୨୭ ଆବେଦନ କରିଛନ୍ତି, ବିଧବା ଭତ୍ତା ପାଇଁ ୬୧,୫୭୯ ଆବେଦନ କରିଛନ୍ତି , ବାର୍ଦ୍ଧକ୍ୟ ଭତ୍ତା ପାଇଁ ୪ ଲକ୍ଷ ୬୪ ହଜାର ୮୪୯ ଆବେଦନ କରିଛନ୍ତି ଓ କୁଷ୍ଠ ରୋଗୀ ଭତ୍ତା ପାଇଁ ୨୬୯ ଜଣ ଆବେଦନ କରିଛନ୍ତି । ହେଲେ ସରକାର ଖାଲି ସୁଭଦ୍ରା ଯୋଜନାରେ ମାତିଛନ୍ତି । ବୃଦ୍ଧ ବୃଦ୍ଧା ଙ୍କ କଥା ଆଖି ବୁଜି ଦେଇଛନ୍ତି ବୋଲି ଲୋକେ କହିଲେଣି । ପଇସା ଖର୍ଚ୍ଚ କରି ରାଜଧାନୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ/ ଗୁହାରୀ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ଭତା ହିତାଧିକାରୀଙ୍କ ଯୋଗ୍ୟତା ଯାଂଚ କରି ତୁରନ୍ତ ସେମାନଙ୍କୁ ଭତା ପ୍ରଦାନ କରିବାକୁ ନିର୍ଦ୍ଧେଶ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜନ ସାଧାରଣ ନିବେଦନ କରିଛନ୍ତି ।
