ଘଟଗାଁ : ରଜ ସଂକ୍ରାନ୍ତିରେ ଚତୁର୍ଥ ଶତାବ୍ଦୀର ସଜୀଵ ପ୍ରତୀକ ପର୍ଯ୍ୟଟନ କ୍ଷେତ୍ର ସୀତାବିଞ୍ଜ ଉତ୍ସବ ମୁଖର

ଘଟଗାଁ,୧୫/୦୬/୨୦୨୬(ଓଡିଶା ସମାଚାର/ଚନ୍ଦ୍ରଶେଖର ସାହୁ)-ରଜ ସଂକ୍ରାନ୍ତିରେ ପୌରାଣିକ ପୀଠ ତଥା ପୁରାତନ ସ୍ମାରକୀ ଚତୁର୍ଥ ଶତାବ୍ଦୀର ଶୈଳ ଚିତ୍ରାଙ୍କନ ଏବଂ ଅମୁଲ୍ୟ ପ୍ରତ୍ନତତ୍ତ୍ୱ ଶିଳା ବିଶେଷର ସଜୀଵ ପ୍ରତୀକ ପର୍ଯ୍ୟଟନ କ୍ଷେତ୍ର ସୀତାବିଞ୍ଜ ଉତ୍ସବ ମୁଖର ହୋଇ ଉଠିଛି । କିମ୍ବଦନ୍ତୀ ପୂର୍ଣ୍ଣ ଏହି କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାବାସୀ ପ୍ରତିବର୍ଷ ରଜ ଉତ୍ସବ ପାଳନ କରିଥାନ୍ତି। ଘଟଗାଁ ବ୍ଲକ ଅନ୍ତର୍ଗତ ଏହି ପର୍ଯ୍ୟଟନ କ୍ଷେତ୍ର  ସୀତାବିଞ୍ଜରେ ପ୍ରତି ବର୍ଷ ପରି ଆଜି  ସଂକ୍ରାନ୍ତିରେ  ହଜାର ହଜାର ଲୋକଙ୍କ ସମାଗମ ଯୋଗୁ ପ୍ରବଳ ଗହଳି ଲାଗି ରହିଥିଲା ।

ପ୍ରାକୃତିକ ପରିବେଶରେ ଥିବା ଏହି ପୌରାଣିକ ପୀଠରେ ଆନନ୍ଦର ଉତ୍ସ ଏବଂ ଉଦ୍ଦୀପନାର ପ୍ରାଚୁର୍ଯ୍ୟ ଭରି ରହିଥିବା ଯୋଗୁ ପର୍ଯ୍ୟଟନ କ୍ଷେତ୍ର ରୁପେ ସୀତାବିଞ୍ଜ ଆକର୍ଷଣୀୟ ହୋଇ ରହିଛି ।  କେନ୍ଦୁଝର ଜିଲ୍ଲାକୁ ଆକର୍ଷଣୀୟ କରି ରଖିଥିବା ପର୍ଯ୍ୟଟନ କ୍ଷେତ୍ର ଗୁଡିକ ମଧ୍ୟରେ ଏହି ପୌରାଣିକ ପୀଠ ଅନ୍ୟତମ । ସୀତାବିଞ୍ଜ ସୀତା ଠାକୁରାଣୀଙ୍କ ପାଇଁ ଜନମାନସରେ ପ୍ରସିଦ୍ଧି ଲାଭ କରିଛି । ଏଠାରେ  ସୀତା ଠାକୁରାଣୀଙ୍କ ଭଣ୍ଡାର ଘର ରହିଛି । ଏହି ଭଣ୍ଡାର ଘରଟି ମନ୍ଦିର ସଦୃଶ ଦେଖା ଯାଉଥିବା  ଏକ ବିଶାଳ ପ୍ରସ୍ତର ଖଣ୍ଡ । ଏହାର ଉତ୍ତର ଓ ଦକ୍ଷିଣରେ ରହିଛି କବାଟ ଭଳି ଦୁଇଟି ବଡ଼ ବଡ଼ ପଥର। ଏହି ବଡ଼ ବଡ଼ ପଥର ଦୁଇଟି କବାଟ ବୋଲି ଜନସୃତି ରହିଛି। ଏଥି ସହିତ ଏକ ବିରାଟ ପଥର ଉପରେ  ଛାତ ଭଳି ରହିଛି ଗୋଟିଏ ପଥର।

ଏହି ପଥର ତଳେ ହୋଇଛି ଚିତ୍ରାଙ୍କନ। ତାହା ଅସ୍ପଷ୍ଟ ହୋଇଗଲାଣି। ତେବେ ବି ଏହା ଏକ ଯୁଦ୍ଧର ଦୃଶ୍ୟ ଭଳି ଜଣାପଡେ  । ଏହାକୁ ରାବଣ ଛାୟା କୁହାଯାଏ ବୋଲି କିମ୍ବଦନ୍ତୀ ରହିଛି । ପାଲି ଭାଷାରେ ଲିଖିତ ଅଭିଲେଖ ,ଯାହା ପଥରରେ ଖୋଦିତ ହୋଇ ଲେଖା ହୋଇଛି । ଲବକୁଶ ଏନ୍ତୁଡ଼ିଶାଳ , ନଟରାଜ ମୂର୍ତ୍ତି , ବାଲ୍ମୀକି ଆଶ୍ରମ  ସମେତ ରହିଛି ବହୁ ସ୍ମୁତିପୀଠ । ଏହି ସ୍ମୁତିପୀଠ ମଧ୍ୟରେ ରହିଛି ଧୋବା ଧୋବଣୀ , ବ୍ରାହ୍ମଣ ବ୍ରାହ୍ମଣୀ , ବାରଶ ଭେଣ୍ଡିଆ ତେରଶ ଢାଙ୍ଗୁଣି , କୁମ୍ଭାର କୁମ୍ଭାରୁଣୀ ,  ସତ୍ୟବନ୍ଧ , କନ୍ୟାଲୁଚା  ଓ  ଜରାସନ୍ଧ ପାହାଡ଼ ଏବଂ  ପଥର ଗୁମ୍ଫା ଇତ୍ୟାଦି। କିମ୍ବଦନ୍ତୀ କହେ ଏଠାରେ ବାଲ୍ମୀକି ଆଶ୍ରମ ଥିଲା । ଏଠାରେ ଲବକୁଶ ଜନ୍ମ ନେଇଥିଲେ ।

ଶିକ୍ଷାଲାଭ  କରୁଥିଲେ । ଏହା କହନ୍ତି ପୂଜକ ମାନେ । ସୀତା ଠାକୁରାଣୀଙ୍କୁ ଦର୍ଶନ କରି ମନାସିଲେ ଅପୁତ୍ରିକକୁ ପୁତ୍ର ମିଳେ ବୋଲି ବିଶ୍ୱାସ ରହିଛି । ଭଣ୍ଡାର ଘର ନିକଟରେ ବଡ଼ ବଡ଼ ପ୍ରାଚୀନ ଇଟା ଗୁଡିକର ଭଗ୍ନାବଶେଷ ପଡି ରହିଛି । ଏହି ଇଟା ଗୁଡିକ ମଧ୍ୟରେ ଧାନ ଅଗାଡି ରହିଥିବା ଦେଖିବାକୁ ମିଳେ । ଏହି ଭଙ୍ଗା ଇଟା ଗୁଡିକ ସାହାଯ୍ୟରେ  କେତେକ ସ୍ମୁତିପୀଠର କାନ୍ଥ ତିଆରି ହୋଇଥିବା ଦେଖିବାକୁ ମିଳେ ।  ଶୀତ ଋତୁରେ ଏହି କିମ୍ବଦନ୍ତୀ ପୂର୍ଣ୍ଣ ଐତିହ୍ୟ ପୀଠକୁ ଦର୍ଶନାର୍ଥୀ , ପର୍ଯ୍ୟଟକ , ଐତିହାସିକ ଓ ଗବେଷକ ବହୁ ସଂଖ୍ୟାରେ  ଆସିଥାନ୍ତି ।

Leave a Reply

Your email address will not be published. Required fields are marked *