ବ୍ରହ୍ମପୁର ପୁଲିସ୍ ଇତିହାସରେ ପ୍ରଥମ : ୭ ବେଆଇନ ହୁକ୍କା ବାର୍ ଉପରେ ପୁଲିସ୍ ର ଚଢ଼ଉ

                                                        ବିଭିନ୍ନ ମହଲରେ ପୁଲିସ୍ ର କାର୍ଯ୍ୟକୁ ପ୍ରଶଂସା

ବ୍ରହ୍ମପୁର ୨୨/୦୩/୨୦୨୫(ଓଡ଼ିଶା ସମାଚାର)-  ଦୀର୍ଘଦିନ ଧରି ରେଶମ ସହର ବ୍ରହ୍ମପୁରରେ ଖୁଲମ ଖୁଲା ଭାବେ ଚାଲିଥିବା ବେଆଇନ୍ ହୁକ୍କା ବାର୍ ଉପରେ ପୁଲିସ୍ ଅତର୍କିତ ଚଢ଼ାଉ କରିଛି । ଏସପି ଡା.ସର୍ବଣା ବିବେକ ଏମ୍ ଙ୍କ ନେତୃତ୍ୱରେ ସହରର ସମସ୍ତ ଥାନାକୁ ନେଇ ଗଠିତ ଟିମ୍ ସହରର ବାର୍ ଓ ହୁକ୍କା ଚଲାଉଥିବା ୭ଟି ସ୍ଥାନରେ ଚଢ଼ାଉକରି ବହୁ ପରିମାଣର ହୁକ୍କା ପତ୍ର ସହ ହୁକ୍କା ପ୍ରସ୍ତୁତି ସାମଗ୍ରୀକୁ ପୁଲିସ୍ ଜବତ କରିଛି ।

ଏହାକୁ ନେଇ ୭ଟି ମାମଲା ରୁଜୁ ହୋଇଥିବା ବେଳେ ବାର୍ ମାଲିକମାନଙ୍କୁ ତାଗିଦ୍ କରାଯାଇଛି । ପୁଣିଥରେ ହୁକ୍କା ଚଲାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଛି । ସବୁଠାରୁ ବଡ କଥା ହେଲା ହୁକ୍କା ବାର୍ ଗୁଡିକରେ ନାବାଳକଙ୍କ ସହ ଯୁବପୀଢ଼ିମାନେ ହୁକ୍କା ସେବନ କରୁଥିବା ପୁଲିସ୍ ଚଢ଼ାଉ ବେଳେ ଦେଖିବାକୁ ପାଇଥିଲା । ନାବାଳକଙ୍କ ଅଭିଭାବକଙ୍କୁ ଏନେଇ ଜଣାଇ ଦିଆଯିବା ସହ ସେମାନଙ୍କୁ କାଉନ୍ସିଲିଂ ଜରିଆରେ ଏଥିରୁ ନିବୃତ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଏସପି ଡା.ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।

ସୂଚନାଥାଉକି, ସନ୍ଧ୍ୟା ହେଲେ ହୁକ୍କା ବାର୍ ରେ ନାବାଳକମାନଙ୍କ ଆଡ୍ଡା ଜମୁଥିଲା । ହୁକ୍କା ସେବନ କରିବା ପାଇଁ ଘଂଟା ଘଂଟା ସମୟଧରି ନାବାଳକ ତଥା ଯୁବପୀଢ଼ି ବାର୍ ମଧ୍ୟରେ ଅପେକ୍ଷାରତ ରହୁଥିଲେ । ନାବାଳକଙ୍କ ହୁକ୍କାକୁ ନେଇ ଭଲ ପାଇବାକୁ ଦୃଷ୍ଟିରେ ରଖି୍ ବାର୍ ମାଲିକମାନେ ଅଧଘଂଟାକୁ ୩୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ ମଧ୍ୟ ରଖୁଥିଲେ । ତେବେ ପୁଲିସ୍ ଚଢ଼ାଉ ପରେ ଏହି ବେଆଇନ୍ ହୁକ୍କା ବାର୍ ଚାଲିବା ଘଟଣା ପଦାକୁ ଆସିବା ସହିତ ବହୁ ହୁକ୍କା ପ୍ରସ୍ତୁତ ସାମଗ୍ରୀକୁ ପୁଲିସ୍ ଜବତ କରିଛି । ଗୁରୁବାର ରାତିରେ ଏସପିଙ୍କ ନିର୍ଦ୍ଧେଶକ୍ରମେ ସହରରେ ରହିଥିବା ହୁକ୍କା ବାର୍ ମାନଙ୍କ ଉପରେ ଏକକାଳୀନ ଭାବେ ବଡବଜାର ଥାନା, ବୈଦ୍ୟନାଥପୁର, ଟାଉନ୍ ଥାନା ଅଂଚଳରେ ରହିଥିବା ମୋଟ ୯ଟି ବାର୍ ଉପରେ ଚଢ଼ାଉ କରାଯାଇଥିଲା ।

୯ଟି ବାର୍ ମଧ୍ୟରୁ ୭ଟି ବାର୍ ରେ ବେଆଇନ୍ ଭାବେ ହୁକ୍କା ଲୋକମାନେ ସେବନ କରୁଥିବା ଜଣାପଡିଥିଲା । ୭ଟି ହୁକ୍କା ବାର୍ ରୁ ବିପୁଳ ପରିମାଣରେ ହୁକ୍କା ପତ୍ର ସହ ସାମଗ୍ରୀ ଜବତ କରାଯାଇଛି । ପ୍ରଥମଥର ନିମନ୍ତେ ଚଢ଼ାଉ କରାଯାଇଥିବା ଯୋଗୁ ହୁକ୍କା ବାର୍ ମାଲିକମାନଙ୍କୁ ତାଗିଦ୍ ତଥା ନୋଟିସ୍ କରି ପୁଲିସ୍ ଛାଡିଛି । ପରବର୍ତୀ ସମୟରେ ଯଦି ପୁଣି ହୁକ୍କା ସେବନ ନିମନ୍ତେ ବାର୍ ରେ ମାଲିକମାନେ ବ୍ୟବସ୍ଥା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି । ତେବେ ସହରରେ ଚାଲିଥିବା ବେଆଇନ୍ ହୁକ୍କା ବାର୍ କୁ ବନ୍ଦ କରିବା ସହ ଏଥିରେ ସମ୍ପୃକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଭିନ୍ନ ମହଲରୁ ଦାବି ହୋଇଛି । ପୁଲିସ୍ ର ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରିବା ସହ ଏଥିରୁ କିପରି ନାବାଳକ ଓ ଯୁବପୀଢ଼ି ନିବୃତ ରହିବେ ସେ ଉପରେ ସମସ୍ତେ ଦୃଷ୍ଟିଦେବା ଆବଶ୍ୟକ ବୋଲି କୁହାଯାଉଛି । ପୁଲିସ୍ ହୁକ୍କା ଷ୍ଟାଣ୍ଡ, ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *