୭ ବିଭାଗରେ ୧୦ ପ୍ରସ୍ତାବ ଅନୁମୋଦିତ

‘ଆୟୁଷ୍ମାନ ଭାରତ’କୁ ମଞ୍ଜୁରି -୩.୪୬ କୋଟି ହିତାଧିକାରୀ ପରିବାର ହେବେ ଉପକୃତ –

# ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ

# ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ

# ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ କମ୍ ଘରବାରି ଜମି ଥିଲେ “ଘରବାରିହୀନ ବ୍ୟକ୍ତି”

ଭୁବନେଶ୍ୱର,୨୨/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ୨୦୨୫ ମାର୍ଚ୍ଚ ୨୦ ତାରିଖରେ ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଂଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିର୍ଯ୍ୟୟ ପରିଚାଳନା ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତିି ସମ୍ପର୍କରେ ବିଧାନ ସଭାଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟମୁକ୍ତ ଚିକିତ୍ସା ସୁବିଧା ପାଇବେ  । ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସ୍କ, ଆର୍ଥôକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତିଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ । ଏହା ଦ୍ୱାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ  ।

ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକ ମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତମାନ ପରି ଚାଲୁରହିବ  । ରାଜ୍ୟ କ୍ୟାବିନେଟ୍ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥôକ ବର୍ଷ ପର୍ଯ୍ୟନ୍ତ ୨୭ ହଜାର ୧୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଛନ୍ତି  । ଖଣି କାର୍ଯ୍ୟ ଯୋଗୁଁ ଖଣି ଅଂଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ଆବଶ୍ୟକ ସଂଶୋଧନ କରିଛନ୍ତି  ।

କ୍ୟାବିନେଟ୍ ଏହି ସନ୍ଦର୍ଭରେ ଏକ ଗୁରୁତ୍ୱୂର୍ଣ ନିଷ୍ପତିି ନେଇଛନ୍ତି । ଖଣି-ଖାଦାନ ସୀମାଠାରୁ ପାଂଚ କିଲୋମିଟରଅଂଚଳ ମଧ୍ୟରେ ଡିଏମଏଫ୍ ପାଣ୍ଠି ଦ୍ୱାରା ସ୍ଥିର କରାଯାଇଥିବା ସମସ୍ତ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ ସାଚ୍ୟୁରେସନ୍ ମୋଡ୍ ରେ କରାଯିବ  । ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ । ରାଜ୍ୟ କ୍ୟାବିନେଟ  ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି  । ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି- ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଧେଶାବଳୀ ନିର୍ଣ୍ଣୟ । ରାସ୍ତା ଭିତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତିଭୂମିର ରକ୍ଷଣାବେକ୍ଷଣ । ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର ସୁରକ୍ଷାର ଉନ୍ନତିକରଣ  ।

ଯୋଜନା, ଡିଜାଇନ୍, କ୍ରୟ, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପ୍ରକଳ୍ପ ପରିଚାଳନାରେ ସଡ଼କ କ୍ଷେତ୍ର ସଂଗଠନର କ୍ଷମତାକୁ ସୁଦୃଢ଼ କରିବା  । ଓଡ଼ିଶାରେ ଦକ୍ଷ ଏବଂ ସୁରକ୍ଷିତ ରାସ୍ତା ଭିତିଭୂମିର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫” କୁ ଅନୁମୋଦନ କରିଛନ୍ତି  । “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନା ଅନ୍ତର୍ଗତ ପ୍ରକଳ୍ପ ତାଲିକାକୁ ଅନୁମୋଦନ ଦେବା ସମୟରେ ଯଦି ବାର୍ଷିକ କାର୍ଯ୍ୟ ଯୋଜନାରେ କିଛି ଆବଶ୍ୟକ ପ୍ରକଳ୍ପ ସ୍ଥାନ ପାଇ ନଥିବା ସମ୍ପୃକ୍ତ ଜିଲାପାଳଙ୍କ ଦୃଷ୍ଟି ଗୋଚର ହୁଏ, ତେବେ ସେହି ପ୍ରକଳ୍ପ ଗୁଡିକୁ ଏହି ଯୋଜନାରେ ଜିଲାପାଳ ଅନ୍ତର୍ଭୁକ୍ତ କରିପାରିବେ ।

କ୍ୟାବିନେଟର ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ କମ ପରିମାଣର ଘରବାରି ଜମି ଥିବ, ସେହି ବ୍ୟକ୍ତି ମଧ୍ୟ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ ହେବେ ଏବଂ ୧ ଏକରର ୨୫ ଭାଗରୁ ଏକ ଭାଗ ଠାରୁ ତାଙ୍କର ଯେତିକି ଜମି କମ୍ ଅଛି, ତାଙ୍କୁ ସମପରିମାଣର ଜମି ତାଙ୍କୁ ଯୋଗାଇ ଦିଆଯିବ  ।

ଓଡିଶା ପ୍ରଶାସନିକ ସେବା, ଗୃପ୍-ଏ (ଜୁନିୟର ବ୍ରାଂଚ) (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୪ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି  । ଓଡ଼ିଶା ରାଜସ୍ୱ ସେବା, ଗୃପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, ୨୦୧୬ ର ପରିଶିଷ୍ଟ-୨ରେ ଥିବା ପାଠ୍ୟକ୍ରମର ଅବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି ।

.

Leave a Reply

Your email address will not be published. Required fields are marked *