ରାଜଭବନରେ ଜନ ଜାତୀୟ ଗୌରବ ଦିବସ ଏବଂ ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ପାଳିତ          

ଯେ କୌଣସି ଆହ୍ବାନର ମୁକାବିଲା କରି ଦେଶର ଏକତାକୁ ବଜାୟ ରଖିବାକୁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ୱର,୧୫/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯେ କୌଣସି ଆହ୍ବାନର ମୁକାବିଲା କରି ଦେଶର ଏକତା ବଜାୟ ରଖିବାକୁ ମାନ୍ୟବର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ନଭେମ୍ବର ୧୫ ତାରିଖ ଅପରାହ୍ନରେ ରାଜଭବନରେ ନ୍ୟୁ ଅଭିଷେକ ହଲ ଠାରେ ଜନଜାତୀୟ ଗୌରବ ଦିବସ, ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି।    

ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଜନଜାତି ଗୌରବ ଦିବସ ଝାଡ଼ଖଣ୍ଡର ମହାନ ଆଦିବାସୀ ନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସାହସିକ ବଳିଦାନ ଏବଂ ପ୍ରେରଣାଦାୟକ ଐତିହ୍ୟକୁ ମନେ ପକାଇବା ପାଇଁ ଉତ୍ସର୍ଗୀକୃତ ଏକ ଦିନ। ବିର୍ସା ମୁଣ୍ଡା ବ୍ରିଟିଶ ଅତ୍ୟାଚାର ବିରୁଦ୍ଧରେ ଆଦିବାସୀଙ୍କ ମନରେ ଚେତନା ଜାଗ୍ରତ କରିଥିଲେ ଏବଂ ଆତ୍ମସମ୍ମାନ, ମର୍ଯ୍ୟାଦା ଏବଂ ଆଦିବାସୀ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ କରିଥିଲେ। ତାଙ୍କ ଜୀବନ ପ୍ରତ୍ୟେକ ଭାରତୀୟଙ୍କୁ ନ୍ୟାୟ ଏବଂ ସମାନତା ବଜାୟ ରଖିବା ପାଇଁ ପ୍ରେରଣା ଦେଇ ଆସୁଛି।ଜନଜାତି ଗୌରବ ଦିବସ ପାଳନ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣକୁ ରାଜ୍ୟପାଳ ପ୍ରଶଂସା କରି ଆଦିବାସୀ ସମ୍ପ୍ରଦାୟର ଅଜ୍ଞାତ ନାୟକମାନଙ୍କୁ ସମ୍ମାନ ଜଣାଇବା ପାଇଁ ଜନଜାତି ଗୌରବ ଦିବସ ପାଳନ କରାଯାଉଛି ବୋଲି କହିଥିଲେ। କେନ୍ଦ୍ର ସରକାରଙ୍କ  ଦ୍ଵାରା ଏହି ଦିବସକୁ ସାରା ଦେଶରେ ପାଳନ କରିବାର ପଦକ୍ଷେପ ଭାରତର ଆଦିବାସୀ ଐତିହ୍ୟ ପାଇଁ ଗର୍ବ ସୃଷ୍ଟି କରିବାକୁ ଏବଂ ଦେଶ ଗଠନରେ ଆମର ଆଦିବାସୀ ଭାଇ ଭଉଣୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିବାକୁ ପ୍ରତିଫଳିତ କରେ ବୋଲି କହିଥିଲେ।                        

ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ରାଜ୍ୟପାଳ ଉପରୋକ୍ତ ଦୁଇ ରାଜ୍ୟର ଅଧିବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଦେବଭୂମି ଉତ୍ତରାଖଣ୍ଡ ହେଉଛି ଦିବ୍ୟ ପର୍ବତ ଏବଂ ପବିତ୍ର ନଦୀଗୁଡ଼ିକର ଏକ କ୍ଷେତ୍ର। ବରଫ ଆଚ୍ଛାଦିତ ହିମାଳୟଠାରୁ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀର ପବିତ୍ର ମନ୍ଦିର ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ପ୍ରତ୍ୟେକ କୋଣ ଆଧ୍ୟାତ୍ମିକତା ଏବଂ ପ୍ରାକୃତିକ କୃପାକୁ ପ୍ରତିବିମ୍ବିତ କରେ। ଏହାର ଗଡ଼ୱାଲି ଏବଂ କୁମାଓନି ସଂସ୍କୃତି ସରଳତା, ଭକ୍ତି ଏବଂ ପ୍ରକୃତି ସହିତ ସମନ୍ୱୟକୁ ମୂର୍ତ୍ତିମନ୍ତ କରେ। ଏହି ରାଜ୍ୟର ସଙ୍ଗୀତ, କଳା ଏବଂ ପର୍ବତ ପ୍ରକୃତି ପ୍ରତି ସେମାନଙ୍କର ଗଭୀର ସମ୍ମାନ ଏବଂ ମାନବ କଲ୍ୟାଣ ପ୍ରତି ବିଶ୍ୱାସକୁ ପ୍ରକାଶ କରେ ବୋଲି ରାଜ୍ୟପାଳ କହିଥିଲେ।

ଝାଡଖଣ୍ଡ ରାଜ୍ୟ ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ ଜଙ୍ଗଲର ଭୂମି ଝାଡ଼ଖଣ୍ଡ ଖଣିଜ ସମ୍ପଦ, ଅନନ୍ୟ ସବୁଜିମା ଏବଂ ଏକ ସ୍ପନ୍ଦନଶୀଳ ଆଦିବାସୀ ଐତିହ୍ୟରେ ଆଶୀର୍ବାଦପ୍ରାପ୍ତ। ଏହା ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଯାହାଙ୍କ ଅଦମ୍ୟ ସଂଗ୍ରାମ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଆକାର ଦେଇଥିଲା। ଏହାର ସମୃଦ୍ଧ ପରମ୍ପରା, ଛଉ ଏବଂ ପାଇକ ପରି ଆଦିବାସୀ ନୃତ୍ୟ ଏବଂ ପ୍ରକୃତି ସହିତ ଘନିଷ୍ଠ ସମ୍ପର୍କ  ପ୍ରକୃତି କୋଳରେ ଜୀବନ ଜୀଇଁବାର ଏବଂ ସାଂସ୍କୃତିକ ଗର୍ବର ଏକ ମଡେଲ କରିଛି ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟପାଳ ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡର ସମସ୍ତ ଲୋକଙ୍କୁ ଯେଉଁମାନେ ଓଡ଼ିଶାକୁ ନିଜର ଦ୍ୱିତୀୟ ଘର କରିଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇ ଥିଲେ ଓ ସେମାନେ ସମାଜରେ ସୁନ୍ଦର ଭାବର ମିଶି ସ୍ଥାନୀୟ ପରମ୍ପରା ଏବଂ ମୂଲ୍ୟବୋଧକୁ ଗ୍ରହଣ କରିବା ସହିତ ସେମାନଙ୍କର ପରମ୍ପରା ଏବଂ ମୂଲ୍ୟବୋଧକୁ ବାଣ୍ଟି ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ଭାବନାକୁ ପ୍ରତିପାଦନ କରିଛନ୍ତ ବୋଲି କହିଥିଲେ।

ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ସାଂସ୍କୃତିକ ଆଦାନପ୍ରଦାନକୁ ଉତ୍ସାହିତ କରେ, ପରସ୍ପରର ବିବିଧତାର ପ୍ରଶଂସା ମାଧ୍ୟମରେ ଦେଶର ଏକତାକୁ ପ୍ରତିଫଳିତ କରେ ବୋଲି ରାଜ୍ୟପାଳ କହିବା ସହିତ ଏହା ଭାରତର ସର୍ବଶ୍ରେଷ୍ଠ ଶକ୍ତି ଯେଉଁଥିରେ ବିବିଧତା ମଧ୍ୟରେ ଏକତା ନିହିତ ରହିଛି  ବୋଲି କହିଥିଲେ।

ପୁଣି ରାଜ୍ୟପାଳ କହିଥିଲେ ଯେ ଓଡ଼ିଶା ଏକତାର ଏକ ଉଜ୍ଜ୍ୱଳ ଉଦାହରଣ ଭାବରେ ଠିଆ ହୋଇଛି। କଳିଙ୍ଗ ଯୁଦ୍ଧ ପରେ ଉଭା ହୋଇଥିବା ଶାନ୍ତିର କାଳଜୟୀ ବାର୍ତ୍ତାଠାରୁ ଆରମ୍ଭ କରି ପୁରୀର ପ୍ରଭୁ ଜଗନ୍ନାଥଙ୍କ ଆଧ୍ୟାତ୍ମିକ ଐତିହ୍ୟ, କୋଣାର୍କର ସ୍ଥାପତ୍ୟ ମହିମା ଏବଂ ରାଜ୍ୟର ସ୍ପନ୍ଦନଶୀଳ ଲୋକ ସଂସ୍କୃତି ଓ ଆଦିବାସୀ ସଂସ୍କୃତି ପର୍ଯ୍ୟନ୍ତ ରାଜ୍ୟ ପରମ୍ପରା ଏବଂ ପ୍ରଗତି ମଧ୍ୟରେ, ମାନବତା ଏବଂ ପ୍ରକୃତି ସମନ୍ୱୟକୁ ପ୍ରତିଫଳିତ କରେ। ଓଡ଼ିଶାବାସୀ ସବୁବେଳେ ଅନ୍ୟମାନଙ୍କୁ ଖୋଲା ହୃଦୟରେ ସ୍ୱାଗତ କରି ଆସୁଛନ୍ତି ଯାହା ବିଶ୍ୱ ଗୋଟିଏ ପରିବାର ବୋଲି  ବିଶ୍ୱାସକୁ ପ୍ରତିଫଳିତ କରୁଛି। ଆମର ବିବିଧତା ଆମର ଦୁର୍ବଳତା ନୁହେଁ, ଏହା ଆମର ସର୍ବୋତ୍ତମ ସୌନ୍ଦର୍ଯ୍ୟ ଏବଂ ଆମର ଅନନ୍ତ ଶକ୍ତି ବୋଲି ରାଜ୍ୟପାଳ କହିବା ସହିତ ଏକ ଭାରତ ଶ୍ରେଷ୍ଠ ଭାରତର ଆତ୍ମାକୁ ଅଧିକ ରୁଦ୍ଧିମନ୍ତ କରିବାକୁ ଆହ୍ୱାନ ଜଣାଇଥିଲେ।

ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି ଏହି ସମାରୋହରେ ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍ତରାଖଣ୍ଡର ମାନ୍ୟବର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ (ରିଟାୟର୍ଡ) ଗୁରମିତ୍ ସିଂହଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।   ଏତଦବ୍ୟତୀତ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ଜୀବନୀ ସମ୍ପର୍କିତ କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା। ଉତ୍ତରାଖଣ୍ଡର ମୂଳ ବାସିନ୍ଦା ତଥା ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ଉଭୟ ରାଜ୍ୟର ମୂଳ ବାସିନ୍ଦା ଓଡ଼ିଶାକୁ କର୍ମକ୍ଷେତ୍ର କରିଥିବା ବ୍ୟକ୍ତିବିଶେଷ ନିଜ ନିଜ ରାଜ୍ୟର ବୈଶିଷ୍ଟ୍ୟ ଏବଂ ଓଡ଼ିଶା ସହ ସମ୍ପର୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  ।

ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଗଭୀର ଶୋକ ପ୍ରକାଶ କରାଯାଇ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ଓ ଝାଡ଼ଖଣ୍ଡର ରାଜ୍ୟର ଲୋକନୃତ୍ୟ ପରିବେଷିତ ହୋଇଥିବାବେଳେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଓ  ଅନୁସୂଚିତ ଜନଜାତି ଓ ଅନୁଷ୍ଠିତ ଜାତି ଉନ୍ନୟନ ବିଭାଗ ତରଫରୁ ଓଡ଼ିଶାର ଲୋକନୃତ୍ୟ ପରିବେଷିତ ହୋଇଥିଲା।

-0-

ସଂଜୀବ ବାରିକ,ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *