ସ୍ମାଟ ମିଟର ବନ୍ଦ ଦାବିରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ  ବିକ୍ଷୋଭ 

କଟକ, ୦୨/୦୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବାରଙ୍ଗ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ୍ ସମ୍ମୁଖରେ ଶନିବାର ଦିନ ୧୦ ଦଫା ଦାବିରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବଳପୂର୍ବକ ଡିଜିଟାଲ  ମିଟର କାଢି ସ୍ମାଟ (SMART) ମିଟର ଲଗେଇବା ବନ୍ଦ କରାଯିବା ସହ ଯେଉଁ ଲୋକମାନଙ୍କ ଘରେ ଜବରଦସ୍ତ ସ୍ମାଟ (SMART) ମିଟର ଲଗା ଯାଉଛି ତୁରନ୍ତ ବଦଳାଇବା, ସମସ୍ତ ଗରିବ ଲୋକମାନଙ୍କୁ ବିନା ସିକ୍ୟୁରିଟି ଡିପୋଜିଟ ଓ ବିନା କଟକଣାରେ ବିଦ୍ୟୁତ ସଂଯୋଗ କରିବା,  ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଥିବା ଗରିବ ଲୋକଙ୍କ ଠାରୁ ପ୍ରତି ମାସରେ ମିଟର ରିଡିଙ୍ଗ ଦେୟ  ସହ ମିଟର ବାବଦ ୪୦ ଟଙ୍କା ଆଦାୟ ବନ୍ଦ କରିବା, ପ୍ରିପେଡ୍ ସ୍ମାଟ (SMART) ମିଟର ବାତିଲ କରିବା, ଦିନର ବିଭିନ୍ନ ସମୟ ପାଇଁ ଭିନ୍ନ ଭିନ୍ନ ଶୁଳ୍କ  ବା ଟାଇମ ଅଫ ଡେ ତାରିଫ  ବାତିଲ କରିବା, ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ଛାଡ କରିବା, ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା, ସମଗ୍ର ବିଦ୍ୟୁତ କ୍ଷେତ୍ରକୁ ସରକାର ହାତକୁ ନେବା, ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଜୁଲମ ଓ ବିଭିନ୍ନ ଆଳରେ ବିଦ୍ୟୁତ ସଂଯୋଗ କାଟିବା ବନ୍ଦ କରିବା, ଘନ ଘନ ବିଦ୍ୟୁତ କାଟ ବନ୍ଦ କରିବା ଦାବିରେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ବିକ୍ଷୋଭ ସ୍ଥଳରେ ନାରୀନେତ୍ରୀ ମାଳବିକା ସାମଲଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର କଟକ ଜିଲ୍ଲା ଆବାହକ  ଖଗେଶ୍ବର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଅଶୋକ ବେହେରା, ମମତା ମହାପାତ୍ର, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ ରାଉତ ପ୍ରମୂଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ବିକ୍ଷୋଭ ସ୍ଥଳରୁ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେଲେ ଆଗକୁ ଦୀର୍ଘସ୍ଥାୟୀ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମଞ୍ଚ ତରଫରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *