ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ

କେନ୍ଦ୍ରାପଡ଼ା,୨୧/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ୬୭ ବୟସରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶୁ୍ରକବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତୁ୍ୟ ଖବର ପାଇ କଂଗ୍ରେସର ବରିଷ୍ଠ ନେତା, ବିଜେପି ନେତା ଓ ମନ୍ତ୍ରୀ, ବିଜେଡି ନେତା ପ୍ରମୁଖ ହସପିଟାଲକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସ୍ୱର୍ଗତ ଶର୍ମା ଜଣେ ଲଢୁଆ ତଥା ଟାଣୁଆ ନେତା ଭାବେ ସାରା ଜିଲାରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜନତା ଦଳରେ ପ୍ରଥମେ ଯୋଗ ଦେଇଥିଲେ । ପରବର୍ତୀ ସମୟରେ କଂଗ୍ରେସରେ ଯୋଗଦେଇ ଆଳି ପଂଚାୟତ ସମିତି ଅଧ୍ୟକ୍ଷ ହୋଇଥିଲେ । ଏହାପରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆଳି ବିଧାନସଭା କ୍ଷେତ୍ରର ବିଧାୟକ ଭାବେ ନିର୍ବାଚିତ ହୋଇ ନିର୍ବାଚନମଣ୍ଡଳୀର ବହୁବିଧ ବିକାଶ କରିଥିଲେ । ସେ ଦୀର୍ଘ ୧୦ ବର୍ଷଧରି କେନ୍ଦ୍ରାପଡା ଜିଲା କଂଗ୍ରେସ ସଭାପତି ଭାବେ ଦଳୀୟ ସଂଗଠନକୁ ସୁଦୃଢ କରିଥିଲେ । ତାଙ୍କ ବିୟୋଗରେ ଜିଲାରେ ଗଭୀର ଶୋକ ପ୍ରକାଶ ପାଇଛି ।

ତାଙ୍କ ବିୟୋଗରେ କଂଗ୍ରେସ ଏକ ସଂଗ୍ରାମୀ ନେତାକୁ ହରାଇଲା ବୋଲି ବରିଷ୍ଠ କଂଗ୍ରେସ ନେତୃତ୍ୱମାନେ ଶୋକ ବାର୍ତାରେ କହିଛନ୍ତି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ପୂର୍ବତନ ବିଧାୟକ ଡ. ସିପ୍ରା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ପ୍ରଫୁଲ୍ଲ ଦାସ, ଫକୀର ଖଟୁଆ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଅର୍ବାନ ବ୍ୟାଙ୍କ ସଭାପତି ଗୁରୁପ୍ରସାଦ ମହାନ୍ତି ପ୍ରମୁଖ ଶୋକବାର୍ତାରେ କହିଛନ୍ତି ସ୍ୱର୍ଗତ ଶର୍ମା ଜଣେ ସଂଗ୍ରାମୀ ଜନନେତା ଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲାର ଅପୂରଣୀୟ କ୍ଷତି ଘଟିଲା ।

Leave a Reply

Your email address will not be published. Required fields are marked *