କଟକ,୧୭/୧୦/୨୦୨୬(ଓଡ଼ିଶା ସମାଚାର)- କଟକ ଓଏଏସ୍ ଅଫିସର ତଥା ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀଙ୍କ ଉପରେ ହୋଇଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ତାଙ୍କୁ ନିଲମ୍ବନ କରାଯାଇଛି।
ନିଲମ୍ବନ ଅବଧି ସମୟରେ ତାଙ୍କୁ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ କୁହାଯାଇଛି। ଆରଡିସିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କାର୍ଯ୍ୟରେ ଅବହେଳା ଓ ସରକାରୀ ନିୟମର ଉଲଘଂନ ଅଭିଯୋଗରେ ତହସିଲଦାର ଶ୍ରୀ ମାଝୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଘୋଷଣା କରାଯାଇଛି। କାର୍ଯ୍ୟରେ ଅନିୟମିତତା ନେଇ ତାଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ହୋଇଥିଲା। ଖଣି ଖାଦାନ ସମ୍ବନ୍ଧୀୟ ହେରଫେର ସହିତ ବିଭିନ୍ନ ସମସ୍ୟାରେ ପଡ଼ି ବାରମ୍ବାର ତହସିଲ ଅଫିସକୁ ଦୌଡୁଥିବା ହିତାଧିକାରୀଙ୍କୁ ସେ ହଇରାଣ କରୁଥିଲେ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇଥିଲା। ଏମିତିକି ସେ ତାଙ୍କ ଉପର ଅଧିକାରୀଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିବା ନେଇ ଅଭିଯୋଗ ହୋଇଆସୁଥିଲା ।
