ଯାଜପୁର, ୧୮/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲା ଜରୁରୀକାଳୀନ ଉପବିଭାଗର ଡେପୁଟି କଲେକ୍ଟର, ଶ୍ରୀ ଅଶୋକ କୁମାର ବେହେରାଙ୍କ ପରିଚାଳନାରେ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ମୁଖ୍ୟ ସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣ ଶୀର୍ଷକ ଉପରେ ଏକ କର୍ମଶାଳା ମିଶନ ଶକ୍ତି ଭବନ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା କହିଲେ ସବୁ ବିପର୍ଯ୍ୟୟ କୁ ମୁକାବିଲା କରିବା ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଦରକାର।
କୌଣସି ବିପର୍ଯ୍ୟୟ କୁ ସାମ୍ନା କରିବା ପୂର୍ବରୁ ଏହାର ପ୍ରସ୍ତୁତି ଉପରେ ଏବଂ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆମକୁ ସମସ୍ତଙ୍କୁ ସଚେତନ କରାଇବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମସ୍ତେ ସମାନ ଭାବରେ ସହାୟତା ପାଇବା ଦରକାର ଯେପରି କୌଣସି ଲିଙ୍ଗଗତ ଅସମାନତା ର କେହି ଶିକାର ନ ହୁଅନ୍ତି ସେଥି ନିମନ୍ତେ ଆମ ସହ ମିଶି କାମ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଆମକୁ ସଚେତନ କରାଇବା ନିହାତି ଆବଶ୍ୟକ। ଓ.ଏସ.ଡି.ଏମ.ଏ ର ସାଧାରଣ ପରିଚାଳକ ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ ନିମନ୍ତେ ପ୍ରଥମ କରି ନୂତନ ଚିନ୍ତାଧାରା ମୁଖ୍ୟସ୍ରୋତ ଲିଙ୍ଗ ଅନ୍ତର୍ଭୁକ୍ତିକରଣକୁ ପରିଚାଳନା ପରିସରଭୁକ୍ତ କରାଯାଇଛି ବୋଲି କହିଥିଲେ।
ଏଥିପାଇଁ ଗ୍ରାମ ପଞ୍ଚାୟତ ୱାରୀ କେତେ ମହିଳା ଆସନ୍ନ ପ୍ରସବା, ତୃତୀୟ ଲିଙ୍ଗି, କେତେ ବୃଦ୍ଧ ବୃଦ୍ଧା, ବିଭିନ୍ନ ବୟସର ପୁତ୍ର କନ୍ୟା ସଂଖ୍ୟା, ଛାତ୍ର ଛାତ୍ରୀ ସଂଖ୍ୟା, ପୁରାତନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଆଦି ତଥ୍ୟକୁ ନେଇ ଏକ ଡାଟାବେସ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏହି ଡାଟାବେସ କୁ ଆଧାର କରି ବିପର୍ଯ୍ୟୟ ପରିଚାଳନା ପାଇଁ ଭବିଷ୍ୟତର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ଏବଂ ଆଗାମୀ ସମୟରେ ବିପର୍ଯ୍ୟୟ ମୁକାବିଲା ପାଇଁ। ଆବଶ୍ୟକ ଅନୁଯାୟୀ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ ବୋଲି ସୂଚନା ଦେଇଥିଲେ।
ଏହି କର୍ମଶାଳାରେ ଜିଲ୍ଲା ଜରୁରୀକାଳୀନ ଉପବିଭାଗର ଡେପୁଟି କଲେକ୍ଟର, ଶ୍ରୀ ଅଶୋକ କୁମାର ବେହେରା ସ୍ବାଗତ ଭାଷଣ ଦେବା ସହ ସମାଜରେ ଦେଖା ଦେଉଥିବା ଲିଙ୍ଗଗତ ଭେଦଭାବକୁ ଦୂର କରି ସମସ୍ତଙ୍କୁ କିପରି ସମାନ ଅଧିକାର ମିଳିପାରିବ ସେ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ସଚେତନ ହେବ ପାଇଁ ପରାମର୍ଶ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗ ହେଉ କି ଶିକ୍ଷା ବିଭାଗ ହେଉ ସବୁ ଥିରେ ଯେପରି ସମସ୍ତଙ୍କୁ ସମ ଅଧିକାର ମିଳିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲିଙ୍ଗଗତ ସମାନତା କୁ ଗୁରୁତ୍ବ ଦେଇ ଓ କର୍ମତତ୍ପର ହୋଇ କିଭଳି ଜରୁରୀକାଳୀନ ସେବା ଯୋଗାଇ ଦେବା ଏ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଇଥିଲେ। ଏହି କର୍ମଶାଳାରେ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ, ସ୍ବାସ୍ଥ୍ୟ, ଶିକ୍ଷା ବିଭାଗର କର୍ମଚାରୀ, ମିଶନ ଶକ୍ତିର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ।