କଟକ, ୧୪/୦୬/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-କଟକ ଜିଲ୍ଲା ଫୁଲନଖରା ଅଂଚଳର ମର୍ଣି ଟି ଫେଷ୍ଟ ଓ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହଯୋଗ-ଓଡ଼ିଶା ପକ୍ଷରୁ ଉତ୍କଳୀୟ ପରମ୍ପରାରର ଗଣପର୍ବ ‘ରଜ ଉତ୍ସବ’ ଅବସରରେ ଏକ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହଯୋଗ-ଓଡ଼ିଶାର ସଭାପତି ଗଣେଷ ପ୍ରସାଦ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ଭାବରେ ଶିକ୍ଷାବିତ୍ ତଥା ଆଧ୍ୟାତ୍ମିକ ପତ୍ରିକା “ ଦିବ୍ୟାଲୋକ ସନ୍ଧାନେ”ର ସଂପାଦକ ଡକ୍ଟର ଶରତ କୁମାର ରଥ ଯୋଗଦେଇ ଆଧୁନିକତା ଭିତରେ ରଜ ଗ୍ରାମୀଣ ପରିବେଶରୁ ହଜି ଯାଉଥିବା ବେଳେ ଅନୁଷ୍ଠାନ ତରଫରୁ ଏଭଳି ଆୟୋଜନ ପରିଣତ ବୟସରେ ଆମମାନଙ୍କୁ ପୁଣି ରଜ ମନସ୍କ କରାଇବାରେ ସାହାଯ୍ୟ କରୁଛି ବୋଲି ପ୍ରକାଶ କରିଥିଲେ ।
ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ମାଟି ଓ ମେଘର ମହାମିଳନର ପରିବେଶ ହେଉଛି “ରଜ” ବୋଲି ମତବ୍ୟକ୍ତ କରିବା ସହ ପ୍ରକୃତି ସହ ନିବିଡ ହେବାର ଏବଂ ଏହାର ସୁରକ୍ଷା ପାଇଁ ରଜ ବାର୍ତ୍ତା ଦେଇଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ସମାଜସେବୀ ସ୍ଵାଧୀନ ଚେତା ମହାନ୍ତି ଓ ଆଞ୍ଚଳିକ ଶାନ୍ତି କମିଟିର ସଂପାଦକ ସୁରେନ୍ଦ୍ର ମହାପାତ୍ର, ଶିକ୍ଷାବିତ୍ ଆରତୀ ପଣ୍ଡା, ଆଇନଜୀବୀ ଦିଲ୍ଲିପ ମହାରଣା ଓ ସାମ୍ବାଦିକ ରମେଶ ପ୍ରଧାନ ପ୍ରମୁଖ ଯୋଗଦେଇ ଉତ୍କଳୀୟ ପରମ୍ପରାରେ ରଜ ଉତ୍ସବର ମହତ୍ଵ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଘରୋଇ ଉପାୟରେ ପ୍ରସ୍ତୁତ ହୋଇଥିବା ‘ପୋଡପିଠା’କୁ ଅତିଥିମାନେ ଈଶ୍ବରଙ୍କୁ ସମର୍ପଣ କରିସାରିବା ପରେ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।
ପ୍ରେମ, ପ୍ରୀତି ଓ ବନ୍ଧନର ସ୍ଵରୂପ ‘ରଜପାନ’କୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇ ବନ୍ଧୁତ୍ଵର ସଦ୍ଭାବନା ସୃଷ୍ଟି କରାଯାଇଥିଲା । ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାରେ ୯୦%ରୁ ଉର୍ଦ୍ଧ ନମ୍ବର ରଖି ଏ-୧ ଗ୍ରେଡ୍ ପାଇଥିବା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଛାତ୍ରୀ ସର୍ମିଷ୍ଠା ବେହେରା ଓ ସଇନ୍ଧା ନୋଡାଲ ହାଇସ୍କୁଲର ଛାତ୍ରୀ ଅଙ୍କିତା ଦାସଙ୍କୁ ମେଧା ସମ୍ମାନ ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ କାନନ ବିହାରୀ ନାୟକ ଉତ୍ସବର ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମନୋରଂଜନ ମହାନ୍ତି, ସୁକାନ୍ତ କୁମାର ସାହୁ, ପ୍ରଭାତ ସାହୁ, ଟୁନା ଜେନା, କୃଷ୍ଣ ଚନ୍ଦ୍ର ଭୋଇ, ବାବାଜି ସାହୁ, ରାଜକିଶୋର ବେହେରା, ନରେଶ ମହାନ୍ତି ଓ ବୈକୁଣ୍ଠ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ କୈଳାସ ଚନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।
