ସାମାଜିକ ପରିବର୍ତନରେ ଆଇନଜିବୀଙ୍କ ଅବଦାନ ଅତୁଳନୀୟ : ନ୍ୟାୟମୂର୍ତି ଶ୍ରୀଯୁକ୍ତ ରାଧାକୃଷ୍ଣ ପଟ୍ଟନାୟକ ।
ଯାଜପୁର, ୨୮/୦୪/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟ ଆଇନଜିବୀ ପରିଷଦ ଓ ଜିଲା ଆଇନଜିବୀ ସଂଘ, ଯାଜପୁର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ରାଜ୍ୟ ଆଇନଜିବୀ ପରିଷଦ ସଭାପତି ଶ୍ରୀଯୁକ୍ତ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ ତମ ଜୟନ୍ତୀ ସମାରୋହ ଓ ଆଇନଜିବୀ ଦିବସ-୨୦୨୪ ଯାଜପୁର ଟାଊନ ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଅଛି । ଊତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ରାଧାକୃଷ୍ଣ ପଟ୍ଟନାୟକ ଯୋଗଦେଇ ଆଇନଜିବୀମାନଙ୍କ ସାମାଜିକ ପରିବର୍ତନରେ ଅତୁଳନୀୟ ଭୂମିକା ରହିଛି ବୋଲି ପ୍ରକାଶ କରିଥିଲେ । ସ୍ୱର୍ଗତ ମୁଧୁସୂଦନ ଦାସଙ୍କ ସ୍ମୃତିଚାରଣ କରି ସେ କହିଲେ ଯେ, ମଧୁବାବୁ ହେଉଛନ୍ତି ରାଜ୍ୟର ପ୍ରଥମ ସ୍ନାତକ ଓ ସ୍ନାତକୋତର ଆଇନ ଡିଗ୍ରୀଧାରୀ ମହାପୁରୁଷ ଅଟନ୍ତି । ସ୍ୱତନ୍ତ୍ର ଓଡିଶା ଗଠନରେ ତାଙ୍କର ତ୍ୟାଗ ଓ କର୍ତବ୍ୟ ଏବଂ ମହିଳା ମାନଙ୍କୁ ଆଇନ ପେଶାରେ ସଂପୃକ୍ତି ନିମନ୍ତେ ତାଙ୍କର ବଳିଷ୍ଠ ପଦକ୍ଷେପ ସବୁଦିନ ପାଇଁ ମଧୁବାବୁଙ୍କୁ ଚିରସ୍ମରଣୀୟ କରି ରଖିବ । ଏହି ଅବସରରେ ମାନ୍ୟବର ନ୍ୟାୟମୂର୍ତି ଶ୍ରୀଯୁକ୍ତ ପଟ୍ଟନାୟକ ଆଇନଜିବୀ ମାନେ ଗ୍ରାମାଂଚଳରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବାରେ ଜାଗ୍ରତ ହେବାପାଇଁ ଆହ୍ୱାନ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ଶିବ ଶଙ୍କର ମିଶ୍ର ଯୋଗଦେଇ କହିଲେ ଯେ, ସ୍ୱର୍ଗତ ମଧୁସୂଦନ ଦାସ ହେଊଛନ୍ତି ଓଡିଶାର ପ୍ରଥମ ଓଡିଆ ଆଇନଜିବୀ । ୧୯୨୨ ମସିହାରେ ମଧୁବାବୁ ମହିଳା ମାନଙ୍କୁ ଆଇନ ପେଶାରେ ସଂଶ୍ଳିଷ୍ଟ କରାଇଥିଲେ । ଓଡିଶାର ପ୍ରଥମ ଆଇନ ମହାବିଦ୍ୟାଳୟ ମଧୁସୂଦନ ଲ କଲେଜ ତାଙ୍କର ଅବଦାନ । ଆନ୍ତର୍ଜାତୀୟ କ୍ଷେତ୍ରରେ ସେ ମଧ୍ୟ ପ୍ରଥମ ଉତ୍କଳ ସମ୍ମିଳନୀର ଆୟୋଜନ କରିଥିଲେ । ସମାଜର ଉନ୍ନତିରେ ଆଇନଜିବୀଙ୍କ ଭୂମିକା ଗୁରୁତ୍ୱପୂଣ୍ଣ, ଯାହା ମଧୁବାବୁଙ୍କ ଜୀବନାଦର୍ଶରୁ ପ୍ରମାଣ ମିଳିଥାଏ । ଏଣୁ ଆଇନଜିବୀ ମାନେ ଆଇନ ସେବା ପ୍ରଦାନ କରିବାରେ ନ୍ୟାୟିକ ବ୍ୟବସ୍ଥାକୁ ସମ୍ମାନ ଦେଇ ଅହରହ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଆଡଭୋକେଟ୍ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜା ଯୋଗଦେଇ “ଆଲୋ ସଖୀ, ଆପଣା ମହତ ଆପେ ରଖି” ଉକ୍ତିରେ ମଧୁବାବୁଙ୍କ ଜୀବନାଦର୍ଶକୁ ସମତୁଲ୍ୟ କରି ମଧୁବାରିଷ୍ଟର, ମଧୁସୂଦନ ଦାସ, ଉତ୍କଳ ସମ୍ମିଳନୀର ପୁରୋଧା, ଉତ୍କଳ ଟ୍ୟାନେରୀର ପ୍ରତିଷ୍ଠାତା ଆଦି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନକୁ ଭାରତ ଗୌରବ ସମ୍ମାନରେ ସମ୍ମାନିତ କଲେ କିଛି କମ୍ ହେବନାହି ଁ ବୋଲି ସେ ମତ ପ୍ରକାଶ କରିଥିଲେ । ରାଜ୍ୟ ଆଇନଜିବୀ ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ କୁମାର ମହାନ୍ତି କହିଲେ ଯେ, ଓକିଲମାନଙ୍କ ସାମାଜିକ ଦାୟିତ୍ୱବୋଧ ମଧୁବାବୁଙ୍କ ସ୍ପନ୍ଦନ ଅଟେ । ମହିଳା ମାନଙ୍କୁ ଆଇନ ପେଶାରେ ପ୍ରବେଶ ମଧୁବାବୁଙ୍କ ଅବଦାନ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଭାଷାଭିତିକ ରାଜ୍ୟ ମଧୁବାବୁଙ୍କ ଅବଦାନ ବୋଲି ସେ ବକ୍ତବ୍ୟ ରଖିଥିଲେ । ସେହିପରି ଯାଜପୁର ବାର୍ କାଉନସିଲର ବରିଷ୍ଠ ସଦସ୍ୟ ଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀ କହିଲେ କୁଳବୁଦ୍ଧ ମଧୁ ସୂଦନ ମୁକୁଟ ବିହିନ ସମ୍ରାଟ ଥିଲେ । ମା’ ଠାରୁ ମାଟିକୁ ଭଲ ପାଉଥିବା ସେ ଜଣେ ଅଦି୍ୱତୀୟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ।
ସଭାପତି ଭାଷଣରେ ରାଜ୍ୟ ଆଇନଜିବୀ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୀତାଂଶୁ ମୋହନ ଦ୍ୱିବେଦୀ କହିଲେ ଯେ, ଉତ୍କଳ ଦୀପୀକା, ଷ୍ଟାର ଅଫ୍ ଉତ୍କଳ ମଧୁବାବୁଙ୍କ ଅବଦାନ ଅଟେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମଧୁବାବୁଙ୍କ ଭୂମିକା ଅଦ୍ୱିତୀୟ ହୋଇଥିବା ବେଳେ ମଧୁବାବୁ ପ୍ରଥମ ଭାରତୀୟ ଖ୍ରୀଷ୍ଟିୟାନ ସମ୍ମିଳନୀର ସଭାପତି ହୋଇ ଭାଇଚାରାର ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ଅମ୍ଳାନ ପ୍ରତିଭା ଥିଲେ ବୋଲି ସେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ ।
ପ୍ରାରମ୍ଭରେ ମାନ୍ୟବର ମୁଖ୍ୟ ଅତିଥି, ମାନ୍ୟବର ମୁଖ୍ୟ ବକ୍ତା ଏବଂ ଅତିଥି ବୃନ୍ଦ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଅନ୍ୟାନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ରାଜ୍ୟ ଜାତୀୟ ଆଂଚଳିକ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମାନ୍ୟବର ମୁଖ୍ୟ ଅତିଥି, ମାନ୍ୟବର ମୁଖ୍ୟ ବକ୍ତା ଏବଂ ଅତିଥି ବୃନ୍ଦ ମାନଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୌର ଚନ୍ଦ୍ର ମହାପାତ୍ର, ଆଇନଜୀବୀ ଶ୍ରୀଯୁକ୍ତ ଜ୍ଞାନ ରଂଜନ ମହାନ୍ତି ଓ ଶ୍ରୀଯୁକ୍ତ ନିରାକାର ଜେନାଙ୍କୁ “ମଧୁ ଜ୍ୟୋତି” ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଆଇନଜୀବୀ ଶ୍ରୀ ଦିଲିପ କୁମାର ଦାସଙ୍କୁ “ମଧୁ ସ୍ମୃତି” ସମ୍ମାନ ଏବଂ ସର୍ବଶ୍ରୀ ବିଭୁ ପ୍ରସାଦ ତ୍ରିପାଠୀ, ଦିନେଶ ଚନ୍ଦ୍ର ରାୟ, ଅକ୍ଷୟ କୁମାର ପତି, ଆତ୍ମା ପ୍ରକାଶ ମହାନ୍ତି, ମିଲନ କୁମାର କାନୁନଗୋ ଏବଂ ପ୍ରତାପ କୁମାର ରାୟଙ୍କୁ ସଭ୍ୟ ସମ୍ମାନ ଓ ଆଇନଜୀବା ପେଶାରେ ନିରନ୍ତର ୫୦ ବର୍ଷ ସେବା ପ୍ରଦାନ କରିଥିବା ବରିଷ୍ଠ ଆଇନଜୀବୀ ସର୍ବଶ୍ରୀ ଦ୍ୱାରିକା ନାଥ ମହାନ୍ତି, ଗୋପାଳ ଚନ୍ଦ୍ର ଦାସ, ପ୍ରମୋଦ ଚନ୍ଦ୍ର ମହାନ୍ତି, ପ୍ରହଲ୍ଳାଦ ସାହୁ, ଶତୀଶ ଚନ୍ଦ୍ର ଦାସ, ସୁଦର୍ଶନ ସାହୁ, ଉଦୟ ନାଥ ଶତପଥୀ ଓ ଉମାକାନ୍ତ ଦାସଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ସଭାପତି, ଜିଲା ଓକିଲ ସଂଘ, ଯାଜପୁର ଶ୍ରୀ ପ୍ରବୀର କୁମାର ରାୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସଂପାଦକ, ଜିଲା ଓକିଲ ସଂଘ, ଯାଜପୁର ଶ୍ରୀ ଅନନ୍ତ ବାସୁଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ/ସଦସ୍ୟା, ଜିଲା ଓକିଲ ସଂଘ କର୍ମକର୍ତା ଏବଂ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।