କେନ୍ଦ୍ରାପଡ଼ା,୧୩/୦୩/୨୦୨୫(ଓଡ଼ିଶା ସମାଚାର)-ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲାପାଳଙ୍କୁ ଏକ ତିନି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରଙ୍କ ବିଭିନ୍ନ ବିଭାଗରୁ ଛଟେଇ ହୋଇଥିବା ସମସ୍ତ ସରକାରୀ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବା, ଛଟେଇ ବନ୍ଦ କରାଯିବା, ଚାକିରୀ ସୁରକ୍ଷା ପ୍ରଦାନ, ଗୃହ ବିଭାଗର ପତ୍ରସଂଖ୍ୟା- ୨୩୫୮୨ ତା ୧୩.୦୭.୨୦୨୨କୁ ପ୍ରତ୍ୟାହାର କରାଯିବା, ସେବା ପ୍ରଦାନକାରୀ ସଂସ୍ଥା ଦ୍ୱାରା ନିଯୁକ୍ତ କର୍ମଚାରୀମାନଙ୍କୁ ସମାନ ନ୍ୟାୟ ପ୍ରଦାନ ଓ ଆଉଟସୋର୍ସିଂ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ସୁଯୋଗ ପ୍ରଦାନ, ସମସ୍ତ ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା, କଠିନ ପରିଶ୍ରମ ଓ ସନ୍ତୋଷଜନକ ସେବାକୁ ଭିତି କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି । କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନା କରିଛନ୍ତି ଯେ ସେମାନେ ହେଉଛନ୍ତି ତୃଣମୂଳ ସ୍ତରର ସୈନିକ ।
ସରକାରଙ୍କର ବହୁବିଧ ଯୋଜନା ଓ କାର୍ଯ୍ୟକ୍ରମକୁ ସେମାନେ ପଂଚାୟତ ଓ ଗାଁ ସ୍ତରରେ ପହଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ ସେମାନେ ନିଜ ଜୀବନକୁ କଷ୍ଟଦେଇ ଲୋକଙ୍କ ସେବା କରୁଛନ୍ତି । କିନ୍ତୁ ସେମାନେ ଆର୍ଥିକ ଅନାଟନର ଶୀକାର ହେଉଛନ୍ତି । ତେଣୁ ସେମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ଚାକିରୀକୁ ସ୍ଥାୟୀ କରନ୍ତୁ । ଏହାଦ୍ୱାରା ସେମାନଙ୍କ ପରିବାରର ସଦସ୍ୟମାନେ ଆର୍ଥିକ ଅନଟନରୁ ମୁକୁଳି ପାରିବେ । ମହାସଂଘର କେନ୍ଦ୍ରାପଡା ଜିଲା ସଭାପତି କୃଷ୍ଣଚନ୍ଦ୍ର ନାୟକ ଓ ସାଧାରଣ ସମ୍ପାଦକ ସମ୍ପଦ ମହାନ୍ତି ପ୍ରମୁଖ ଜିଲାପାଳଙ୍କ ଅନୁପସ୍ଥିତିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ ଅଜାମ୍ବର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।