ଭୁବନେଶ୍ୱର,୧୩/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- “ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ” ଭୁବନେଶ୍ୱରସ୍ଥ ଲୋୟର ପିଏମଜି ଠାରେ ୩୦ ଗୋଟି ଜିଲାର ସମସ୍ତ ସେବାଶ୍ରମର କାର୍ଯ୍ୟରତ ମେଟ୍ରୋନ୍ ମାନଙ୍କର ଏକ ପ୍ରତିବାଦ ସଭା ସଂଘର ସଭାନେତ୍ରୀ ମମତା ସାହୁଙ୍କ ନେତୃତ୍ୱରେ ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ସଂଘର ରାଜ୍ୟ ଆବାହକ ଶ୍ରୀଯୁକ୍ତ ଦିଗମ୍ବର ଜେନା ଯୋଗଦେଇ କହିଲେ ମେଟ୍ରୋନ୍ ମାନଙ୍କୁ ଅନ୍ୟାୟ ଭାବେ ବହିଷ୍କୃତ କରିବା ଆଦୌ ଯୁକ୍ତିଯୁକ୍ତ ନୁହଁ । ଗତ ୧ ତାରିଖରେ ମାଲକାନାଗିରିରେ ଘଟିଯାଇଥିବା ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗରେ ଆର.ଡି.ସି. ତଦନ୍ତ କରିବାକୁ ଯାଇଥିଲେ । ବଡ଼ ଦୁଃଖର ବିଷୟ ତା’ ପୂର୍ବରୁ ଜିଲା ମଙ୍ଗଳ ଅଧିକାରୀ ମେଟ୍ରୋନ୍ ଙ୍କୁ ବହିଷ୍କାର କରି ବାହାଦୂରୀ ଅର୍ଜନ କଲେ । ଆରଡିସିଙ୍କ ତଦନ୍ତରେ ମେଟ୍ରୋନ୍ ଙ୍କ ଗୁରତ୍ୱର ଭୂମିକା ଥିଲା । ତଦନ୍ତ ପରିସର ଭିତରେ ତାଙ୍କୁ ନ ରଖାଯାଇ କି ପ୍ରକାର ତଦନ୍ତ କଲେ, ତାହା ବର୍ତମାନ ପ୍ରଶ୍ନବାଚୀ ।
ସଂଘର ସାଧାରଣ ସମ୍ପାଦିକା ପ୍ରଭାତି ପାତ୍ର ତାଙ୍କ ବକ୍ତବ୍ୟରେ କହିଲେ ଦୀର୍ଘ ଦଶ ବର୍ଷ ହେଲା ସେବାଶ୍ରମ ଗୁଡ଼ିକରେ ୨୪ ଘଂଟା ଧରି କାର୍ଯ୍ୟ କରୁଅଛୁ । ମାତ୍ର ମାସକୁ ଦରମା ବାବଦରେ ୧୫ ହଜାର ଟଙ୍କା ମିଳୁଛି । ହଷ୍ଟେଲ୍ ପିଲାମାନଙ୍କର ହଠାତ୍ ଦେହ ଖରାପ ହେଲେ ତାଙ୍କୁ ମେଡିକାଲ୍ ନେବା ଏବଂ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ତୁଲାଉଥାଇ ମଧ୍ୟ କୌଣସି ପିଲା ମୃତୁ୍ୟବରଣ କଲେ ଜିଲା ମଙ୍ଗଳ ଅଧିକାରୀ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରି ଆମ୍ଭମାନଙ୍କୁ ଚାକିରିରୁ ବହିଷ୍କାର କରିବା ବଡ଼ ଦୁଃଖ ଓ ପରିତାପର ବିଷୟ । ସରକାର ଆମ୍ଭମାନଙ୍କୁ ଅଧିକ ବୟସସୀମାରେ ଚାକିରୀ ଦେଇଥିବା ବେଳେ କମ୍ ଦରମାରେ ଆମେ କାମ କରି ଚଳିବା ବହୁତ କଷ୍ଟକର ।
ସେଥିରେ ପିଲାମାନଙ୍କର ଅସୁବିଧା ହେଲେ ବିନା ତଦନ୍ତରେ ଆମକୁ ଅନ୍ୟାୟ ଭାବେ ଚାକିରିରୁ ବହିଷ୍କାର କରାଯାଉଛି । ଗତ ତା ୧.୩.୨୦୨୫ରିଖରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସେବାଶ୍ରମରେ ଏକ ଛାତ୍ରୀ ଗର୍ଭବତୀ ହୋଇ ଶିଶୁପିଲା ଜନ୍ମ ଦେଇଥିଲା । ସେଠାରେ ପିଲାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ପରିଦର୍ଶିକା (ଏ.ଏନ୍.ଏମ୍.) କୁ ଏବଂ ହଷ୍ଟେଲ୍ ସୁପରିନ୍ଟେଣ୍ଡେନ୍ଟ ଦାୟିତ୍ୱରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇ ମେଟ୍ରୋନଙ୍କୁ ବହିଷ୍କାର କରାଗଲା । ଅନୁରୂପ ମାଲ୍ାକାନଗିରି ଜିଲା କାଲିମେଳା ସେବାଶ୍ରମରେ ମଧ୍ୟ ୧୦ମାସ ତଳେ ଜଣଙ୍କୁ ବହିଷ୍କାର କରାଯାଇଥିଲା ।
ସେହିପରି ଦୁଇ ବର୍ଷରେ ବାଲେଶ୍ୱର, ଝାରସୁଗୁଡା, ନୂଆପଡ଼ା, କୋରାପୁଟ, ମାଲକାନାଗିରି, କନ୍ଧମାଳ ଜିଲାରେ ୧୨ଜଣଙ୍କୁ ବହିଷ୍କାର କରାଯାଇଛି । ମାଲକାନାଗିିରିରେ ତଦନ୍ତ କରିବା ପାଇଁ ଆରଡିସିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସେହି ତଦନ୍ତକୁ ଠିକ୍ ଭାବରେ କରାଯାଇ ନାହିଁ ବୋଲି ସଂଘ ଦାବି କରିଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦିକା ଅନୁପମା ବେହେରା, ବୀଣାପାଣି ସାହା, ନମିତା ସେଠୀ, ମଞ୍ଜୁ ଜିନୋଫା ଖାଲ୍କୋ, ସୁଜାତା ସାହୁ, ମଞ୍ଜୁଲତା ପ୍ରଧାନ, ଲଳିତା ପ୍ରଧାନ, ଦିବ୍ୟଭାରତୀ ପ୍ରଧାନ, ସୁଶାନ୍ତି କହଁର, ଫୁଲମଣି ମହନ୍ତ, ପ୍ରୀତିପ୍ରଭା ଚକ୍ର, ସୁଜାତା ସେଠୀ, ଆରତୀ ପାତ୍ର, ବାସନ୍ତୀ ଦାସ, ସନ୍ଧ୍ୟାରାଣୀ ସାମନ୍ତରାୟ ପ୍ରମୁଖ ୩୦ ଗୋଟି ଜିଲାର ସମସ୍ତ ପ୍ରତିନିଧିମାନେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ, ବିଧାନସଭା ବିରୋଧି ଦଳ ନେତାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।