୨୦ ହଜାର ଲାଂଚ ମାମଲାରେ ମହାକାଳପଡା ତହସିଲଦାର ଭିଜିଲାନ୍ସ ଦ୍ୱାରା ଗିରଫ

କେନ୍ଦ୍ରାପଡ଼ା, ୨୩/୦୯/୨୦୨୫(ଓଡ଼ିଶା ସମାଚାର)-ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ମଙ୍ଗଳବାର ଗିରଫ ହୋଇଛନ୍ତି । ଶ୍ରୀ ମଲ୍ଲିକଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ କେନ୍ଦ୍ରାପଡ଼ା ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ନେଇଥିଲେ । ପରେ ତାଙ୍କୁ କଟକସ୍ଥିତ ଦୁର୍ନୀତି ନିବାରଣ ବିଭାଗ ମୁଖ୍ୟାଳୟକୁ ନେଇଥିଲେ । ଶ୍ରୀ ମଲ୍ଲିକଙ୍କୁ ଗିରଫ ପରେ ସେ ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ସନ୍ଦେହରେ ତାଙ୍କର ଡେରାବିଶ ବ୍ଲକ ଅନ୍ତର୍ଗତ କାଉପଡ଼ା ପଂଚାୟତର ବାଘିିଲୋ ବାବନପୁରରେ ଥିବା ପୈ÷ତୃକ ବାସଭବନ, କଟକ ଜିଲାର ଡେଲାଙ୍ଗ ପ୍ରଭୃତି ୬ଟି ସ୍ଥାନରେ ଚଢାଉ ଚାଲିଛି ।

ମିଳିଥିବା ତଥ୍ୟ ଅନୁଯାୟୀ ବରକନ୍ଦା ପଂଚାୟତର ଗୋଜାବନ୍ଧ ଗ୍ରାମର ପିତାମ୍ବର ସ୍ୱାଇଁଙ୍କ ଘର ସମ୍ମୁଖରେ ଏକ ସରକାରୀ ଜମି ଥିଲା । ତାହାକୁ ଜଣେ ସ୍ଥାନୀୟ ବ୍ୟକ୍ତି ଜବରଦଖଲ କରିଥିଲେ । ଏହି ଜବରଦଖଲ ଉଚ୍ଛେଦ କରିବା ପାଇଁ ପିତାମ୍ବର ଅନେକ ଥର ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । କିନ୍ତୁ ତହସିଲଦାର ଏ କଥାକୁ ଗୁରୁତ୍ୱ ଦେଉ ନଥିଲେ । ଫଳରେ ଏଥି ନିମନ୍ତେ ପିତାମ୍ବର ପାଟକୁରାସ୍ଥିତ କିଣିଲୋ ପଦ୍ମପୁର ଗ୍ରାମର ତାଙ୍କ ଜ୍ୱାଇଁ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କୁ ଦାୟିତ୍ୱ ଦେଇଥିଲେ । ଅନ୍ତର୍ଯ୍ୟାମୀ ଏ ନେଇ ତହସିଲଦାର ଶିବ ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ ।

ଏହି ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ତହସିଲଦାର ୨୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଫଳରେ ଅନ୍ତର୍ଯ୍ୟାମୀ ଏ ନେଇ ଦୁର୍ନୀତି ନିବାରଣ ବିଭାଗରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଅନ୍ତର୍ଯ୍ୟାମୀ ତହସିଲଦାର ଶିବ ମଲ୍ଲିକଙ୍କୁ ତାଙ୍କ ସରକାରୀ ବାସ ଭବନରେ ୨୦ ହଜାର ଟଙ୍କା ଲାଂଚ ଦେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପ୍ରଥମେ କାବୁ କରିନେଇ ଗିରଫ କରିଥିଲେ । ତହସିଲଦାର ଶ୍ରୀ ମଲ୍ଲିକଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ୨୯/୨୦୨୫ ରେ ଏକ ମାମଲା ରୁଜୁ କରାଯାଇଛି । ଜଣେ କିରାଣୀରୁ ଶ୍ରୀ ମଲ୍ଲିକ ସରକାରୀ ଚାକିରୀ ଆରମ୍ଭ କରିଥିଲେ । ଏହାପରେ ସେ ଓ.ଆର.ଏସ୍. ଏବଂ ପରେ ଓ.ଏ.ଏସ୍.କୁ ପଦୋନ୍ନତି ପାଇଥିଲେ । ସେ ପ୍ରଥମେ କେନ୍ଦ୍ରାପଡ଼ାର ଅତିରିକ୍ତ ତହସିଲଦାର ପରେ କେନ୍ଦ୍ରାପଡା ସବରେଜିଷ୍ଟ୍ରାରଥିଲେ । ଏହାପରେ ସେ ଓ.ଏ.ଏସ.ପାଇବା ପରେ ସାଲେପୁର ତହସିଲଦାର, କନ୍ଧମାଳ ଜିଲାର ଚକାପାଦ ତହସିଲଦାର ଓ ପରେ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ତହସିଲଦାର ଭାବେ ନିଯୁକ୍ତି ପାଇଥିଲେ ।

Leave a Reply

Your email address will not be published. Required fields are marked *