ମନରେଗାରେ ଫାର୍ମ ପୋଖରୀ ଖୋଳା ଘଟଣା

                                                ମହାଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, ୧୨/୦୩/୨୦୨୫(ଓଡ଼ିଶା ସମାଚାର)- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାଯାଇଥିବା ଘଟଣାରେ ମହାଦୁର୍ନୀତି ହୋଇଥିବା ନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଂଚାୟତର ମହେଶପୁର- ଶଙ୍କରପୁର ଗ୍ରାମରେ ଆର୍ଥିକ ବର୍ଷ ୨୦୨୩-୨୪ରେ ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଥିଲା ।

ମୃତିକା ସଂରକ୍ଷଣ ବିଭାଗ ପକ୍ଷରୁ ଏହି ପୋଖରୀ ଖୋଳାଯିବା ପାଇଁ ୧ଲକ୍ଷ ୮୩ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ହିତାଧିକାରୀ କୃଷ୍ଣଚନ୍ଦ୍ର ସାହୁ ଖାତା ନମ୍ବର ୬୦ ଓ ପ୍ଲଟ ନମ୍ବର- ୧୧୦ ଉପରେ ଏହି ପୋଖରୀ ଖୋଳିଥିଲେ । ଏହି ଜମିଟି ଗ୍ରାମଦେବୀ ମା’ଅନନ୍ତକୁମାରୀ ଠାକୁରାଣୀଙ୍କ ନାମରେ ରେକର୍ଡ ଭୁକ୍ତ ରହିଛି । ଏତଦ୍ ବ୍ୟତିତ କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଖୋଳାଯାଇଥିବା ଏହି ପୋଖରୀ ନିମନ୍ତେ ଜେସିବି ଓ ଟ୍ରାକ୍ଟର ପ୍ରଭୃତି ମେସିନ ବ୍ୟବହାର କରାଯାଇଛି । ମନରେଗା ଯୋଜନାର ଉଦେଶ୍ୟକୁ ସଂପୂର୍ଣ୍ଣ ଭାବେ ପରାହତ କରାଯାଇ ଠାକୁରାଣୀଙ୍କ ଜମିରେ ମେସିନ ଲଗାଇ ପୋଖରୀ ଖୋଳାଯାଇଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ଏଥିନିମନ୍ତେ ହିତାଧିକାରୀଙ୍କୁ ଏକଲକ୍ଷ ୧୭ହଜାର ୨୪ଟଙ୍କା ପ୍ରଦାନ କରାଯାଇଛି । ଯାହା ସଂପୂର୍ଣ୍ଣର୍ ଆଇନର ବିରୁଦ୍ଧାଚରଣ କରୁଛି । ଏସମ୍ପର୍କରେ ଅଭିଯୋଗକାରୀ ଶ୍ରୀ ମହାନ୍ତି ଜିଲାପାଳ, ଜିଲା ପରିଷଦର ନିର୍ବାହୀ ଅଧିକାରୀ, ଡେରାବିଶ ବ୍ଲକର ବିଡିଓ, ମୃତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦେଶକ, କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ।

ଏଣୁ ଏହି ପୋଖରୀ ଖୋଳାରେ ମହାଦୁର୍ନୀତି ହୋଇଥିବା ନେଇ ଶଙ୍କରପୁର ଗ୍ରାମବାସୀଙ୍କ ପକ୍ଷରୁ ପ୍ରବୋଧ ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ଶ୍ରୀ ମହାନ୍ତି ଲୋକାୟୁକ୍ତଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *