ଜିଲା ମୁଖ୍ୟଚିକିତ୍ସାଳୟର ବାସ୍ତବ ଚିତ୍ର

                                                  ଲମ୍ବା ଲାଇନ୍ ରେ ରୋଗୀ, ଡାକ୍ତରଙ୍କ ଦେଖାନାହିଁ
କେନ୍ଦ୍ରାପଡ଼ା, ୧୨/୦୩/୨୦୨୫(ଓଡ଼ିଶା ସମାଚାର)- ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଇଚ୍ଛାପୁର ନିକଟ ଶ୍ୟାମଗୁଡିଆ ଠାରେ ଜିଲା ମୁଖ୍ୟଚିକିତ୍ସାଳୟର ନୂତନ ଅଟ୍ଟାଳିକା ନିର୍ମାଣ କରାଗଲା । ଆଶାଥିଲା ନୂତନ ଚିକିତ୍ସାଳୟରେ ରୋଗୀମାନଙ୍କୁ ସର୍ବୋତମ ଚିକିତ୍ସା ସେବା ମିଳିବ । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ । ସକାଳ ୮ଟାରୁ ମୁଖ୍ୟଚିକିତ୍ସାଳୟର ବିଭିନ୍ନ ବର୍ହିବିଭାଗରେ ଡାକ୍ତରମାନେ ଡୁ୍ୟଟି କରିବାର ନିୟମ ଥିବା ବେଳେ ସେମାନେ ମନଇଛା ଆସୁଛନ୍ତି । ଫଳରେ ରୋଗୀମାନେ ଘଂଟା ଘଂଟା ଧରି ଲମ୍ବା ଲାଇନ୍ ରେ ଛିଡା ହେଉଛନ୍ତି ।

ଏହାଦ୍ୱାରା ରୋଗୀ ଓ ସେମାନଙ୍କୁ ନେଇ ଆସିଥିବା ସମ୍ପର୍କୀୟମାନେ ହଇରାଣ ହରକତ ହେଉଛନ୍ତି । କେତେକ ବର୍ହି ବିଭାଗକୁ କେତେବେଳେ ଡାକ୍ତର ଦୁଇଘଂଟା ବିଳମ୍ବରେ ଆସୁଛନ୍ତି ତ କେତେବେଳେ ଜମାରୁ ଆସୁ ନାହାନ୍ତି । ଫଳରେ ଦୂରଦୂରାନ୍ତରୁ ବହୁ ଆଶା ଭରସା ନେଇ ଚିକିତ୍ସା ପାଇଁ ଆସିଥିବା ରୋଗୀମାନେ ହଇରାଣ ହରକତ ହେଉଛନ୍ତି । କେତେକ ରୋଗୀ ବାଧ୍ୟ ହୋଇ ଘରୋଇ ନର୍ସିଂହୋମ ଯାଉଛନ୍ତି । ଆଉ କେତେକ ରୋଗୀ ଗାଁକୁ ଫେରି ଯାଉଛନ୍ତି ।

ଏହିପରି ଦୃଶ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତିଦିନ ଦେଖିବାକୁ ମିଳୁଛି । କେବଳ କାଜୁଆଲିଟିକୁୁ ଛାଡିଦେଲେ ଚିକିତ୍ସାଳୟ ପରିସରରେ ଥିବା ସାଧାରଣ ବର୍ହିବିଭାଗ(ପୁରୁଷ), ସାଧାରଣ ବର୍ହିବିଭାଗ(ମହିଳା), ଭେଷଜ ବର୍ହି ବିଭାଗ, ଚର୍ମ ଓ ଯୌନ ରୋଗ ବର୍ହି ବିଭାଗ, ଦନ୍ତ ରୋଗ ବର୍ହିବିଭାଗ, ଚକ୍ଷୁ ରୋଗ ବର୍ହି ବିଭାଗ, ଭୂତାଣୂ ଜନିତ କାମଳ ରୋଗ ଚିକିତ୍ସା କେନ୍ଦ୍ର, ଶଲ୍ୟ ବର୍ହି ବିଭାଗ ପ୍ରଭୃତିରେ ଡାକ୍ତର ସଠିକ ସମୟରେ ଓ ସେମାନଙ୍କର ଯେଉଁଦିନ ପାଳି ରହିଛି ସେମାନେ ଆସୁନାହାନ୍ତି ।

ଏହି ବିଶେଷଜ୍ଞ ଡାକ୍ତରମାନେ ସରକାରୀ ଡାକ୍ତରଖାନାକୁ ନଆସି ଘରୋଇ ନର୍ସିଂହୋମରେ ରହି ରୋଗୀଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି । କେତେକ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ସେମାନେ ୪୦ରୁ ୫୦ କିଲୋମିଟର ଦୂରରୁ ଆସି ଲାଇନ୍ ରେ ଘଂଟା ଘଂଟା ଧରି ଛିଡା ହେଉଛନ୍ତି । କିନ୍ତୁ ଅନେକ ସମୟରେ ଡାକ୍ତର ନଆସିବାରୁ ସେମାନେ ନିରାଶ ହେଉଛନ୍ତି । କେହି କେହି ରୋଗୀ ଏଠାରେ ଡାକ୍ତର ଦେଖାଇବା ପାଇଁ ହୋଟେଲ ଓ ଲଜ୍ ରେ ରହି ଅଜଥା ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହାର ପ୍ରତିକାର କରି ଦୂର ଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରୋଗୀଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି ।

ରାଜନଗର ମଦନପୁର ଗ୍ରାମରୁ ଆସିଥିବା ଶୁକଦେବ ପ୍ରଧାନ ଓ ଆର୍ତ ସେଠୀ, ମହାକାଳପଡାର ଚଢେଇଗୁଆଁ ଗ୍ରାମରୁ ବୁଧବାର ଆସିଥିବା ସତ୍ୟବ୍ରତ ବିଶ୍ୱାଳ ଓ କାଦମ୍ବିନୀ ସ୍ୱାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି ସେମାନେ ୪୦କିଲୋମିଟର ଦୂରରୁ ଚିକିତ୍ସିତ ହେବା ପାଇଁ ଏଠାକୁ ଆସିଛନ୍ତି । ସକାଳ ୬ଟାରୁ ଲମ୍ବାଲାଇନରେ ଥିଲେ ମଧ୍ୟ ୯ଟା ପର୍ଯ୍ୟନ୍ତ କୌଣସି ଡାକ୍ତର ଆସିନଥିଲେ ।

ଫଳରେ ଘଂଟା ଘଂଟା ଅପେକ୍ଷା କରି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିବା ସେମାନେ ପ୍ରକାଶ କରିଛନ୍ତି । ଏସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରମୋଦ ପ୍ରହରାଜଙ୍କୁ ପଚାରିବାରୁ ସେ କହିଲେ ଏଠାରେ ଡାକ୍ତର ସଂଖ୍ୟା ବହୁତ କମ୍ ରହିଛି । ତଥାପି ଡୁ୍ୟଟିରେ ଖଲାପ କରୁଥିବା ଡାକ୍ତରମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *