ପଧାନସାହି ପଂଚାୟତ ଅଫିସରେ୧୦୦୦ରୁ ଅଧିକ ଅଭିଯୋଗକାରୀଙ୍କ ଭିଡ
୧୫୦ ଅଭିଯୋଗର ସମାଧାନ ପାଇଁ ଜିଲାପାଳଙ୍କ ତତ୍ପରତା
ସର୍ବସାଧାରଣ ପାଠାଗାର ଓ ଶୌଚାଳୟ ଉଦଘାଟିତ
ଜଟଣୀ, ୧୦/୦୩/୨୦୨୫(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲାପାଳଙ୍କ ପଂଚାୟତ ଜନଶୁଣାଣି କାର୍ଯ୍ୟକ୍ରମ ଜଟଣି ବ୍ଲକର ପଧାନସାହି ଗ୍ରା.ପ.କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବହୁ ଦିନରୁ ଅପେକ୍ଷା କରିଥିବା ୧୦୦୦ର ଉଦ୍ଧ୍ୱର୍ ଗ୍ରାମବାସୀଙ୍କ ସମେତ ଏଠାରେ ବସବାସ କରୁଥିବା ଆପାର୍ଟମେଂଟର ଅଧିବାସୀମାନେ ଜିଲାପାଳଙ୍କୁ ସାକ୍ଷାତ କରି ନିଜ ଦୁଃଖକଥା କହିବାକୁ ପ୍ରବଳମାତ୍ରାରେ ଉତ୍ସୁୁକତା ଦେଖା ଯାଇଥିଲା ।
ନିଜେ ଜିଲାପାଳ ଚଂଚଳ ରାଣା ପ୍ରତ୍ୟକ୍ଷ ଭାବରେ ସବୁ ଅଭିଯୋଗକୁ ନିରୀକ୍ଷଣ କରି ତାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେଉଥିବାର ଦେଖାଯାଇଥିଲା । ପ୍ରାୟ ୬୫ରୁ ଅଧିକ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲାପାଳ ନିଜ ପ୍ରଶାସନର ଅଧିକାରୀଙ୍କୁ ନିର୍ଦ୍ଧେଶ ଜାରି କରିଛନ୍ତି । କିଛି ବ୍ୟକ୍ତିଗତ ଅଭିଯୋଗ ବ୍ୟତିତ ଏ ଅଂଚଳର ସାମୁହିକ ବିକାଶରେ ବାଧା ଉପୁଜୁଥିବା ସମସ୍ୟାଗୁଡିକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ତନ୍ମଧ୍ୟରୁ ଭୁବନେଶ୍ୱର ବିକାଶ ମଂଚ ଦ୍ୱାରା ପ୍ରସ୍ତାବିତ ସମସ୍ୟା ମଧ୍ୟରେ ଥିଲା ମୁଖ୍ୟରାସ୍ତାର ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣ, ଡ୍ରେନ ସମସ୍ୟାର ସ୍ଥାୟୀ ସମାଧାନ, ଆପାର୍ଟମେଂଟରୁ ଅଳିଆ ନିଷ୍କାସନ ପାଇଁ ବ୍ୟବସ୍ଥା,ଆଇନକାନୁନ ରକ୍ଷା କରିବାକୁ ପୋଲିସ ଫାଣ୍ଡିର ବ୍ୟବସ୍ଥା, ଡାକଘର ବ୍ୟବସ୍ଥାରେ ସୁବିଧା ଆଣିବା ତଥା ସାମୁହିକ ବିକାଶ କାର୍ଯ୍ୟରେ ପଂଚାୟତର ସକ୍ରିୟତା ଆଦି ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶୃତି ଦେଇଛନ୍ତି ।
ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳଙ୍କ ସହିତ ଉପ-ଜିଲାପାଳ ଡାଃ ମନୋରଞ୍ଜନ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମୀତା ନାଥ, ତହସିଲଦାର ପ୍ରିତୀପର୍ଣ୍ଣା ମିଶ୍ର ,ପଧାନସାହି ଗ୍ରାପ ସରପଂଚ ଅନାମ ଚରଣ ସେନାପତିଙ୍କ ସମେତ ସମସ୍ତ ଜିଲା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପଂଚାୟତ ପରିସରରେ ଏକ ପଠନାଗାର ଏବଂ ଦୁଇଟି ଶୌଚାଳୟର ଉଦଘାଟନ କରାଯାଇଅଛି ।
ସେଠାରେ ସବୁ ବିଭାଗର ଷ୍ଟଲମାନଙ୍କ ମାଧ୍ୟମରେ ବିଭିନ୍ନ ସୂଚନା ଯୋଗାଇ ଦିଆଯାଉଥିଲା । ଶ୍ରୀ ସେନାପତି ଏବଂ ପଂଚାୟତ ଅଫିସର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମକୁ ସୁଚାରୁରୁପେ ପରିଚାଳନା କରିଥବାରୁ ଏହା ଏକ ସଫଳ ଓ ଶୃଙ୍ଖଳିତ ଜନଶୁଣାଣି କାର୍ଯ୍ୟକ୍ରମ ଥିଲା ବୋଲି ସାଧାରଣରେ ସରପଂଚଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
