ଅବକାରୀ ବିଭାଗ ନିଶାରେ,ମଦୁଆ ଗଡୁଛନ୍ତି ରାସ୍ତାରେ

ଭୁବନ, ୦୫/୦୩/୨୦୨୫ (ଓଡ଼ିଶା ସମାଚାର)-  ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଚୋରା ତଥା ନକଲି ଦେଶୀ,ବିଦେଶୀ ମଦ ବେପାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ତରଫରୁ ରୀତିମତ ଚଢ଼ାଉ ହେଉନଥିବା କାରଣରୁ ଚୋରା ନକଲି ମଦ ବେପାର ବନ୍ଦ ହେଉନାହିଁ ।

ଚୋରା ନକଲି ମଦ କାରଣରୁ ନିୟମିତ ବ୍ୟବଧାନରେ ଯୁବକ ମାନଙ୍କର ଅକାଳ ବିୟୋଗ ହେବା ଘଟଣାରେ ଭୁବନର ବିଶିଷ୍ଟ ବୁଦ୍ଧିଜୀବୀ ତଥା ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଗଭୀର ଉଦବେଗ ପ୍ରକାଶ କରି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କହିଥିଲେ ଯେ, ଭୁବନ ଏନ୍ ଏ ସି ରେ ୩ ଟି ଠିପିଖୋଲା ବାର ସହିତ ଗୋଟିଏ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି ।

ଭୁବନ ବ୍ଲକ ର ଦୟଣ।ବିଲି ଓ ନୁଆହାଟ ରେ ଗୋଟିଏ ଲେଖାଏଁ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଥିବା ବେଳେ ଚନ୍ଦାର, ନୟା ନୀଳକଣ୍ଠପୁର ରେ ଗୋଟିଏ ଲେଖାଏଁ ଦେଶୀ ମଦ ଭାଟି ରହିଛି। ଭୁବନ ଏନ୍ ଏ ସି ର ନିର୍ଦ୍ଦିଷ୍ଟ ଗୋଟିଏ ୱାର୍ଡ ସମେତ ବ୍ଲକ ର ଏକତାଳି, କନ୍ତିରା, ଚନ୍ଦାର,ମହୁଲପାଳ, ନୀଳକଣ୍ଠପୁର,ନିମେଇପୁର ସମେତ ମନ୍ଦାର,ଷଡ଼ଙ୍ଗୀ,ଖଙ୍କିରା ପ୍ରଭୃତି ଅଞ୍ଚଳରେ ରନ୍ଧା ଦେଶୀ ମଦ ପ୍ରସ୍ତୁତ କରାଯାଇ ଦୈନିକ ପ୍ରାୟ ୩ ହଜାର ଲିଟର ବିକ୍ରି କରାଯିବା ସହିତ ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି ।

ଅଧିକ ଦାମ୍ ଯୋଗୁ ବିଦେଶୀ ମଦ ପରିବର୍ତ୍ତେ ଗାଁ ଗାଁ ରେ ଏବଂ ହୋଟେଲ , ଢ଼ାବା, ପାନ ଦୋକାନରେ ଶସ୍ତାରେ ମିଳୁଥିବା ରନ୍ଧା ଦେଶୀ (ପାଉଚ) ମଦ ଓ ନକଲି ବିଦେଶୀ ମଦ ବେପାର ବୃଦ୍ଧି ପାଇବାରେ ଲାଗିଛି। ଚୋରା ମଦ ବେପାରୀ ଓ ମୋବାଇଲ ବେପାରୀ ଫୋନ୍ ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଗ୍ରାହକଙ୍କ ନିକଟରେ ପହଞ୍ଚି ଯାଉଛନ୍ତି ।

ନକଲି ଓ ଚୋରା ମଦ ବେପାରୀ ଙ୍କ ପ୍ରତି ରୀତିମତ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା କାରଣରୁ ନକଲି ତଥା ଅତ୍ୟଧିକ ନିଶାଯୁକ୍ତ ନକଲି ମଦ ପିଇ ମଦୁଆ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳୁଛି। ସରକାର ମଦ ରୁ ବିପୁଳ ରାଜସ୍ବ ପାଉଥିବା ଯୋଗୁଁ ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଥିବା ବେଳେ ଅବକାରୀ ବିଭାଗର ର ଶିଥିଳତା ସାଙ୍ଗକୁ ମାସିକିଆ ବଟିଖିଆ ନୀତି ଯୋଗୁଁ ଚୋରା ମଦ ବେପାରୀ ଙ୍କ ଯୋଗୁ ଗାଁ ଗାଁ ରେ ଅବାଧରେ ନକଲି ତଥା ବିଷାକ୍ତ ମଦ ବିକ୍ରି ହେଉଛି । ମଦ ସହିତ ଗଞ୍ଜେଇ,ବ୍ରାଉନ ସୁଗାର ମଧ୍ୟ ବିକ୍ରି ହେଉଛି । ଜିଲ୍ଲା ପ୍ରଶାସନ ତଥା ଅବକାରୀ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସଚେତନ,ଚିନ୍ତାଶୀଳ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *