ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ

କେନ୍ଦ୍ରାପଡ଼ା,୦୪/୦୩/୨୦୨୫(ଓଡ଼ିଶା ସମାଚାର)- ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କମିଟିର ଏକ ବୈଠକ ମଙ୍ଗଳବାର ଜିଲା ପରିଷଦ ସଭାଗୃହଠାରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଧାୟକ ଶ୍ରୀ ମହାପାତ୍ର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ବିଭାଗୀୟ ବିକାଶମୂଳକ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ।

ଆଲୋଚ୍ୟ ବିଷୟବସ୍ତୁ ମଧ୍ୟରେ ରାସ୍ତା ଏବଂ କୋଠବାଡି ବିଭାଜନ ଅଧିନସ୍ତ ରାସ୍ତାର ପ୍ରଶସ୍ତିକରଣ ତଥା ନୂତନ ରାସ୍ତା ନିର୍ମାଣ, ଟିପିସିଓଡିଏଲ ଦ୍ୱାରା ବିଦ୍ୟୁତ୍ ସଂଯୋଗୀକରଣ, ନୂତନ ଟ୍ରାନ୍ସଫର୍ମର ସ୍ଥାପନ, ପାଟକୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ, ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ପୁରାତନ ଚିକିତ୍ସାଳୟର ପୁନଃରୁଦ୍ଧାର ଏବଂ ନୂତନ ଚିକିତ୍ସା ଗୃହ ନିର୍ମାଣ, ଆସନ୍ତା ଗ୍ରୀଷ୍ମ ଋତୁରେ ପାନୀୟ ଜଳର ଯୋଗାଣ ନିମନ୍ତେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡର ପ୍ରସ୍ତୁତି, ଗ୍ରାମ୍ୟ ଉନ୍ନୟନ, କୃଷି, ଉଦ୍ୟାନ କୃଷି, ମୃତିକା ସଂରକ୍ଷଣ, ପ୍ରାଣୀ ସମ୍ପଦ ଉନ୍ନୟନ ବିଭାଗ ଦ୍ୱାରା କାର୍ଯ୍ୟରତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ଯୋଜନାର ରୂପରେଖ ଓ କାର୍ଯ୍ୟାନ୍ୱୟନ ପ୍ରଭୃତି ସମ୍ପର୍କରେ ବିଧାୟକ ସମୀକ୍ଷା କରିଥିଲେ ।

ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ତଥା ସୁବନ୍ଦୋବସ୍ତ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ । ଏତଦ୍ ବ୍ୟତୀତ ଜଳ ନିଷ୍କାସନ ନିମନ୍ତେ ବର୍ଷା ଋତୁର ଆଗମନ ପୂର୍ବରୁ ସ୍ଥାୟୀ ନାଳର ନିର୍ମାଣ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ ବିଧାୟକ । ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀ ଅଧିନସ୍ତ ସମସ୍ତ ଗ୍ରାମ ପଂଚାୟତର ସର୍ବାଙ୍ଗୀନ ଉନ୍ନତି କିଭଳି ସରସ ସୁନ୍ଦର ହୋଇପାରିବ ସେନେଇ ପ୍ରଶାସନିକ ଅଧିକାରୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଥିଲେ ବିଧାୟକ ।

ସମସ୍ତ ବିକାଶ ମୂଳକ କାର୍ଯ୍ୟର ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ବିଧାୟକ ଆଲୋକପାତ କରିଥିବା ବେଳେଧ୍ୟଏହା କିପରି ସଠିକ ସମୟ ମଧ୍ୟରେ ସମ୍ପାଦନ ହେବ ସେଥି ପ୍ରତି ଧ୍ୟାନ ଦେବାପାଇଁ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଡେରାବିଶ, ଗରଦପୁର ଏବଂ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା /ଅଧ୍ୟକ୍ଷ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧକାରୀ ତଥା ନିର୍ବାହୀ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ଡେରାବିଶ, ବ୍ଲକ ଉନ୍ନୟନ ଅଧିକାରୀ, ଗରଦପୁର, ତହସିଲଦାର ଡେରାବିଶ, ତହସିଲଦାର ଗରଦପୁର ଏବଂ ସମସ୍ତ ଜିଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସର୍ବଶେଷରେ ଅତିରିକ୍ତ ଜିଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *