ନେପାଳର କମୁ୍ୟନିଷ୍ଟ ନେତାଙ୍କୁ ସିପିଆଇ ଅଫିସ୍ ରେ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୭/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ସସ୍ତ୍ରୀକ ବ୍ୟକ୍ତିଗତ ଓଡ଼ିଶା ଭ୍ରମଣରେ ଆସିଥିବା କମୁ୍ୟନିଷ୍ଟ ପାର୍ଟି ଅଫ୍ ନେପାଳ (ୟୁଏମଏଲ)ର ନେତା, ପାର୍ଟିର ଆନ୍ତର୍ଜାତୀୟ ବିଭାଗର ସଦସ୍ୟ ତଥା ମାଲେସିଆ ଓ ସାଉଦିଆରବରେ ନେପାଳର ପୂର୍ବତନ ରାଷ୍ଟ୍ରଦୂତ କମ୍ରେଡ ଉଦୟରାଜ ପାଣ୍ଡେଙ୍କୁ ଗତକାଲି ସନ୍ଧ୍ୟାରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ସମ୍ବର୍ଦ୍ଧନା ଦିଆଯାଇଛି ।
ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ସିପିଆଇର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ସଭାପତିତ୍ୱ କରିଥିବାବେଳେ ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏଆଇଟିୟୁସି ପକ୍ଷରୁ ରାଜ୍ୟ ସମ୍ପାଦକ ବିଜୟ ଜେନା, ବିଶ୍ୱ ଶିକ୍ଷକ ମହାସଂଘର ସଭାପତି ଡ. ଅମିୟ ମହାନ୍ତି, ଅଖିଳ ଭାରତ ଛାତ୍ରସଂଘର ସର୍ବ ଭାରତୀୟ ଉପସଭାନେତ୍ରୀ ସଂଘମିତ୍ରା ଜେନା ଓ ଉତ୍କଳ ମହିଳା ସମିତିର ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଉଦୟରାଜ ପାଣ୍ଡେ ଓ ତାଙ୍କ ପତ୍ନୀ କଳ୍ପନା ପାଣ୍ଡେଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ସମାରୋହରେ ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକ ପାର୍ଟିର ପ୍ରତିଷ୍ଠା ଦିବସରେ ଏହି ସମ୍ବର୍ଦ୍ଧନା ସଭା ହେଉଥିବାରୁ ଅଗ୍ନିଗର୍ଭରୁ ଜାତ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଗୌରବୋଜ୍ଜ୍ୱଳ ଇତିହାସ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ସମ୍ବର୍ଦ୍ଧନାର ଉତରରେ ଉଦୟରାଜ ପାଣ୍ଡେ ନେପାଳର ବର୍ତମାନର ରାଜନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେବା ସହିତ ବର୍ତମାନର ଆନ୍ତର୍ଜାତୀୟ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ରାଜ୍ୟ ପରିଷଦ ସଭ୍ୟ ବିଜୟ ମହାନ୍ତି ଓ ସତୀଶ ମିଶ୍ର, ପ୍ରଫେସର ଅଶୋକ ପଟ୍ଟନାୟକ ଓ ଅବସରପ୍ରାପ୍ତ ପ୍ରଶାସକ ରତ୍ନାକର ରାଉତ ପ୍ରମୁଖ ବକ୍ତବ୍ୟ ରଖି କଃ ଉଦୟରାଜ ପାଣ୍ଡେଙ୍କୁ ସ୍ୱାଗତ ଜଣାଇଥିବାବେଳେ ସତ୍ୟବାଦୀ ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *