ଭୁବନେଶ୍ୱର,୦୧/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରମା ଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପ୍ରାଙ୍ଗଣରେ ମା ରମାଦେବୀ ଚେୟାର ତରଫରୁ ମହିଳାମାନଙ୍କର ନମନୀୟତା ଏବଂ ସଶକ୍ତିକରଣର ଯାତ୍ରାରେ ଆଧ୍ୟାତ୍ମିକତା ର ଦୃଷ୍ଟିଭଙ୍ଗୀ ଉପରେ ଆଧାରିତ ଏକ ଆନ୍ତର୍ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଦ୍ୱି-ଦିବସୀୟ କର୍ମଶାଳା ରେ ଦେଶ ବିଦେଶ ରୁ ବହୁ ଗବେଷକ, ନେତୃତ୍ୟବୃନ୍ଦ ଏବଂ ପରିବର୍ତନର ସୂତ୍ରଧର ମାନେ ଯୋଗଦେଇ ମହିଳା ମାନଙ୍କର ସଶକ୍ତିକରଣ ନମନୀୟତା ଉପରେ ଆଲୋକପାତ କରିଥିଲେ ।
ଏହାର ଉଦଘାଟନୀ ସମାରୋହରେ ଭୁବନେଶ୍ୱରର ମାନ୍ୟବର ସାଂସଦ, ଶ୍ରୀମତୀ ଅପରାଜିତା ଶଡ଼ଙ୍ଗୀ ମୁଖ୍ୟ ଅତିଥୂ ରୂପେ ଯୋଗଦେଇ ମହିଳାମାନଙ୍କର ସଶକ୍ତିକରଣ, ଜୀବନର ଆହ୍ୱାନ ମୁକାବିଲା ଏବଂ ନେତୃତ୍ୱ ବିକାଶରେ ଆଧ୍ୟାତ୍ମିକତାର ଭୂମିକା ଉପରେ ର ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମାରୋହରେ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ଅଷ୍ଟ୍ରେଲିଆର ବିଶିଷ୍ଟ ମାନବଶାସ୍ତ୍ରବିତ ଡଃ ତାମାସିନ୍ ଏବଂ କଳାହାଣ୍ଡିର ସଶକ୍ତି ମହିଳା ଶ୍ରୀମତୀ କୃୁରୀ ଜାଲ, ତାଙ୍କର ବିଶେଷ ଅଭିଜ୍ଞତା ଉପସ୍ଥାପନ କରିଥିଲେ ।
ଏହି ସମାରୋହରେ ମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର୍ ଚଣ୍ଡୀ ଚରଣ ରଥ ସଭାପତିତ୍ୱ କରିଥିଲେ । ମା ରମାଦେବୀ ଚେୟାର ପ୍ରଫେସର୍ ସୁଚେତା ପ୍ରୀୟବାଦିନୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରାପ୍ତ ଗବେଷଣାତ୍ମକ ସନ୍ଧର୍ଭ ଗୁଡିକରେ ସାରାଂଶ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଏହି କର୍ମଶାଳା ରେ ଅଷ୍ଟ୍ରେଲିଆ, ଇକ୍ସିପ୍ଟ, ଯୁକ୍ତରାଷ୍ଟ୍ର ଆମେରିକା, ଦକ୍ଷିଣ ଆଫ୍ରିକା, ମେକ୍ସିକୋ, ତୁର୍କୀ, ଦକ୍ଷିଣ କୋରିଆ, ଆର୍ଜେଣ୍ଟିନା ଓ ଚିନ୍ ରୁ ବହୁ ଗବେଷକ ଯୋଗଦେଇ ସମାରୋହ ଦୃଷ୍ଟିଭଙ୍ଗୀ ଆଲୋଚନା କରିଥିଲେ । ଇଜିପ୍ଟ ରୁ ଡଃ ଘାଦିର ଏଲ୍ମିହା ଏବଂ ଜର୍ଜ ଫାଡେଲ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରୁ ଡଃ ଆନି ୱିଟମାନ ଅଭିଭାଷଣ ପ୍ରଦାନ କରିଥିଲେ ।
ଉଦଯାପନୀ ସମାରୋହରେ ଭୁବନେଶ୍ୱରସ୍ଥିତ ଆଂଚଳିକ ଆୟୁର୍ବିଜ୍ଞାନ ଗବେଷଣା ସଂସ୍ଥାର ଡଃ ସଂଘମିତ୍ରା ପାଲ, ବିଶିଷ୍ଟ କଂଠ ଶିଳ୍ପୀ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରାପ୍ତନ ନିର୍ଦ୍ଧେଶକ ଡଃ ସଙ୍ଗୀତା ଗୋସାଇଁ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ମହିଳା ଫେଡ଼େରେସନର ସଭାପତି ପ୍ରଫେସର ମାରିଆ ସେସିଲିଆ ଡୀସୋଜା ଯୋଗଦେଇ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ ନବନିତ କୌର ମଂଚ ପରିଚାଳନା କରିଥିବାବେଳେ ସସ୍ମିତା କର ଧନ୍ୟବାଦ ଅର୍ପଣ କରିଥିଲେ ।
