ଗୁଣାତ୍ମକ ଓ ଆଧ୍ୟାତ୍ମିକ ଶିକ୍ଷା ସହିତ ସଂସ୍କାର ଜରୁରୀ : ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନ ୧୬/୦୪/୨୦୨୫ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ପି ଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟ ର ୭୭ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଣି ଶ୍ରୀମତୀ ବିନୀତା ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଭୁବନ ହେଉଛି ସହିଦ ବୀର ବାଜି ରାଉତ ଙ୍କ ମାଟି । ଏ ମାଟିରେ ମୁ ଆଜି ଅତିଥି ଭାବେ ଯୋଗଦେଇ ନିଜକୁ ଧନ୍ୟ ମନେ କରୁଛି । ବିଦ୍ୟାଳୟ ହେଉଛି ଏକ ମଣିଷ ତିଆରି କାରଖାନା ।
ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାଙ୍କୁ ଗୁଣାତ୍ମକ ଓ ଆଧ୍ୟାତ୍ମିକ ଶିକ୍ଷା ଦେବା ସହିତ ସଂସ୍କାର ଶିକ୍ଷା ଦିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦେଇ କହିଥିଲେ ଯେ , ଓଡ଼ିଶା ର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଏହି ବିଦ୍ୟାଳୟ ର ଛାତ୍ର । ୭୭ ବର୍ଷ ର ଭୁବନ ଉଚ୍ଚ ବିଦ୍ୟାଳୟ ବହୁ ଯୋଗ୍ୟ ଛାତ୍ର ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରୁ ଅନେକ ଛାତ୍ର ଦେଶ ,ବିଦେଶରେ ଉଚ୍ଚ ପଦବୀ ରେ କାର୍ଯ୍ୟ କରି ଏହି ବିଦ୍ୟାଳୟକୁ ଗୌରବାନ୍ଵିତ କରିଛନ୍ତି ।
ମୁ ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଆଜି ବିଧାୟକ ହୋଇଥିବାରୁ ନିଜକୁ ଗର୍ବିତ ଓ ଧନ୍ୟ ମନେ କରୁଛି। ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ର ମାନଙ୍କ ସହଯୋଗ ଜରୁରୀ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପୁରାତନ ଛାତ୍ର ଡ଼ଃ ଧରଣୀଧର ଜେନା,ସମ୍ମାନିତ ଅତିଥି ଭାବେ କାମାକ୍ଷା ନଗର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିନମଣି ନାୟକ ଓ ସମ୍ମାନିତ ବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମଲ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମୋ ସ୍କୁଲ ଅଭିଯାନ ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି ସ୍ଵାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ କେଦାର କୁମାର ଦାଶ ଅତିଥି ପରିଚୟ ପ୍ରଦାନ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଗଣେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷକ ସାଗର ରାଉତ ମଞ୍ଚ ପରିଚାଳନା କରିଥିଲେ ।ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ପିଲା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଆଲୁମିନି କମିଟି,ପରିଚାଳନା କମିଟି ସଦସ୍ୟ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।
