ବିଜୁଳି ଶୁଳ୍କ ବଢ଼ିଲେ ଦାୟୀ ରହିବେ ସରକାର – ଉପଭୋକ୍ତା ମହାସଂଘ

ଭୁବନେଶ୍ୱର,୨୬/୦୨/୨୦୨୫ (ଓଡ଼ିଶା ସମାଚାର)-୩୦ବର୍ଷ ତଳେ ୧୯୯୪-୯୫ ମସିହାରେ ବିଶ୍ୱବ୍ୟାଙ୍କର ଋଣରେ ଓଡ଼ିଶାରେ ବିଜୁଳି ସଂସ୍କାର ବା ବିଜୁଳିର ଘରୋଇକରଣ ଆରମ୍ଭ ହୋଇଥିଲା । ତତ୍କାଳୀନ ବିଜୁ ପଟ୍ଟନାୟକ ସରକାର ବିଜୁଳି ସଂସ୍କାର ଆରମ୍ଭ କରି ସେତେବେଳର ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ବୋର୍ଡ଼ର ଦଶଲକ୍ଷ ଉପଭୋକ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ, ୫୬ଭାଗ ଏ.ଟି.ସି. କ୍ଷତିରେ ଚାଲୁଥିବା ବିଦୁ୍ୟତ୍ ବୋର୍ଡର କ୍ଷତି କମାଇବେ ଓ ରାଜ୍ୟବାସୀଙ୍କୁ ଶସ୍ତା, ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ, ଗୁଣାତ୍ମକ ବିଜୁଳି ସେବା ଯୋଗାଇଦେବେ ।

କିନ୍ତୁ ୧୯୯୪-୯୫ ମସିହାରୁ ଆଜି ୨୦୨୪-୨୫ ମସିହା ହେଲା ରାଜ୍ୟରେ ବିଜୁଳି କମ୍ପାନୀମାନଙ୍କର ଏ.ଟି.ସି. କ୍ଷତି ବା ଟ୍ରାନ୍ସମିସନ ଜନିତ କ୍ଷୟକ୍ଷତି ପାଖାପାଖି ୩୦ ଭାଗ ରହିଛି । ଯଦି ଗୋଟିଏ ଭାଗ କ୍ଷୟକ୍ଷତିକୁ ବିଜୁଳି କମ୍ପାନୀମାନେ କମାଇପାରନ୍ତେ ତାହେଲେ ବର୍ଷକୁ ହାରାହାରି ୧୭୫ କୋଟି ଟଙ୍କା ରାଜସ୍ୱ ସଂଚୟ ହୋଇପାରନ୍ତା ବୋଲି ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ଉପଭୋକ୍ତା ମହାସଂଘର ଅଧ୍ୟକ୍ଷ ପଂଚାନନ କାନୁନଗୋ ଓ ଆବାହକ ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ।

ନିଜର ଅପାରଗତା ଓ ଉଦାସୀନତାକୁ ଘଂଟ ଘୋଡ଼ାଇ ଟ୍ରାନ୍ସମିସନ୍ ଜନିତ କ୍ଷୟକ୍ଷତି କମାଇବାରେ ବିଫଳ ବିଜୁଳି କମ୍ପାନୀମାନେ ତାଙ୍କର ଏହି କ୍ଷତିକୁ ଉପଭୋକ୍ତାମାନଙ୍କ ମୁଣ୍ଡ ଉପରେ ଶୁଳ୍କ ବୃଦ୍ଧିର ବୋଝ ଲଦି ଯେଉଁ ଟଙ୍କା ଆଦାୟ କରିବାକୁ ଚାହୁଁଛନ୍ତି, ତାହାକୁ ଶ୍ରୀ କାନୁନଗୋ ଓ ଶ୍ରୀ ବେହେରା ବିରୋଧ କରବା ସଂଗେ ସଂଗେ ଯଦି ବିଜୁଳି ଶୁଳ୍କ ବୃଦ୍ଧି କରାଯାଏ, ତାହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଏହି ପ୍ରେସ୍ ବିଜ୍ଞପ୍ତିରେ ସତର୍କ କରାଇ ଦେଇଛନ୍ତି ।

ଏହାବ୍ୟତୀତ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତମାନ ପରୀକ୍ଷା ଋତୁ ଚାଲିଥିବା ଯୋଗୁଁ ଅଘୋଷିତ ବିଦୁ୍ୟତ୍ କାଟ୍ କୁ ବନ୍ଦ କରାଯାଉ ଏବଂ ରାଜ୍ୟବାସୀଙ୍କୁ ବିଶେଷତଃ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦିଆଯାଉ । ଆଗାମୀ ମାର୍ଚ୍ଚ ୨ ତାରିଖ, ରବିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ୯ ନମ୍ବରସ୍ଥିତ ସାମ୍ୟବାଦୀ ରାଜ୍ୟ କାର୍ଯ୍ୟାଳୟରେ ବିଦୁ୍ୟତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳ ଓ ଗଣସଂଗଠନର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକକୁ ସଫଳ କରିବା ପାଇଁ ସେମାନେ ଏହି ପ୍ରେସ୍ ବିଜ୍ଞପ୍ତିରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *