ସାଧାରଣ ପର୍ଯ୍ୟବେକ୍ଷକଙ୍କ ପାଟକୁରା ବିଧାନସଭା କ୍ଷେତ୍ରର ବିଭିନ୍ନ ବୁଥ୍ ପରିଦର୍ଶନ

କେନ୍ଦ୍ରାପଡ଼ା, ୧୮/୦୫/୨୦୨୪ (ଓଡ଼ିଶା ସମାଚାର)- ସାଧାରଣ ପର୍ଯ୍ୟବେକ୍ଷକ ସାକେତ ମାଲବିୟ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥ୍କୁ ଆଜି ପରିଦର୍ଶନ କରିଛନ୍ତି । ୪ଟି ଉତେଜନା ପ୍ରବଣ ବୁଥ୍, ଗୋଟିଏ ଯୁବ ବୁଥ୍, ୨ଟି ସଖି ବୁଥ୍ ଏବଂ ୧୧ଟି ସାଧାରଣ ବୁଥ୍ କୁ ପରିଦର୍ଶନ କରିଛନ୍ତି । ବୁଥ୍ ମାନଙ୍କରେ ପାନୀୟ ଜଳ, ବିଜୁଳି ଓ ଶୌଚାଳୟ ଆଦି  ସର୍ବନିମ୍ନ ସୁନିଶ୍ଚିତ ସୁବିଧା ରହିଛି କି ନାହିଁ ତାହାର ପର୍ଯ୍ୟବେକ୍ଷଣ କରି ସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣଭାବେ ପରିଚାଳନା କରିବା ପାଇଁ ଜିଲା ପ୍ରଶାସନର ପଦକ୍ଷେପକୁ ମଧ୍ୟ ସମୀକ୍ଷା କରିଛନ୍ତି । ଉତେଜନାପ୍ରବଣ ବୁଥ ୍ରେ ସିସିଟିଭି, ୱେବ୍ କାଷ୍ଟିଙ୍ଗ୍, ମାଇକ୍ରୋ ଅବଜରଭର୍, ଅଧିକ ପୁଲିସ୍ ଫୋର୍ସ ପ୍ରଭୃତି ମୁତୟନ କରିବାକୁ ପରାମର୍ଶ ଦେଇଛନ୍ତି । ଭୋଟର ସଂଖ୍ୟାର ସମ୍ପୂର୍ଣ୍ଣ ବିବରଣୀ, ବିଧାନସଭା/ ଲୋକସଭାର ନାମ, ପ୍ରବେଶ, ପ୍ରସ୍ଥାନ ଆଦି ସ୍ପଷ୍ଟଭାବେ ସମସ୍ତ ବୁଥ୍ ସମ୍ମୁଖରେ ଉଲ୍ଲେଖ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ଫୋନ୍ ନମ୍ବର ସମସ୍ତ ମତଦାନକେନ୍ଦ୍ରର ସମ୍ମୁଖ ଭାଗରେ ଉଲ୍ଲେଖ କରାଯିବ । ଫଳରେ ସାଧାରଣ ଲୋକ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଲେ ସେହି ନମ୍ବରରେ ଅଭିଯୋଗ କରିପାରିବେ । ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍, ଫ୍ଲାଇଙ୍ଗ୍ ସ୍କାର୍ଡ଼ ଓ ଭିଡିଓ ସର୍ଭେଲାନ୍ସ ଟିମ୍ ର କାର୍ଯ୍ୟକଳାପକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ଡେରାବିଶ ବ୍ଲକ୍ର ବିଭିନ୍ନ ବୁଥ୍ ପରିଦର୍ଶନ କରାଇବାରେ ଡେରାବିଶ ବ୍ଲକର ବିଡିଓ ଦାଶରଥି ଜେନା ଓ ସମନ୍ୱୟ ରକ୍ଷା ଅଧିକାରୀ ଅବଦୁଲ୍ ରେହମାନ୍ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *