ମହାଶିବରାତ୍ରୀ ଭଗବାନ ଶିବଙ୍କ ପବିତ୍ର ଦିନ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀରେ ମହାଶିବରାତ୍ରୀ ପାଳନ କରାଯାଏ । ଏହାକୁ ଜାଗର ରାତ୍ରୀ ମଧ୍ୟ କୁହାଯାଏ । ଶିବ ଭକ୍ତମାନେ ଏହିଦିନ ଉପବାସ ପାଳନ କରନ୍ତି, ଭଗବାନ ଶିବଙ୍କୁ ପୂଜା କରନ୍ତି । ମହାଶିବରାତ୍ରୀ ପାଳନ କରିବା ପଛରେ ୪ଟି ବଡ଼ କାରଣ ଅଛି । ଏହାକୁ କାହାଣୀ ମାଧ୍ୟମରେ ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ।
ଆସନ୍ତୁ ଜାଣିବା…
ଶିବ ପାର୍ବତୀ ବିବାହ: ପୁରାଣ ଅନୁଯାୟୀ ଭଗବାନ ଶିବ ସତୀଙ୍କଠାରୁ ଅଲଗା ହୋଇ ବର୍ଷ ବର୍ଷ ଧରି ସମାଧିରେ ଲୀନ ଥିଲେ । ଏହି ସମୟରେ ମାତା ପାର୍ବତୀ ପର୍ବତରାଜ ହିମାଳୟଙ୍କ ଝିଅ ଭାବରେ ଜନ୍ମ ନେଇଥିଲେ । ନାରଦଙ୍କଠାରୁ ପ୍ରେରଣା ପାଇବା ପରେ ମାତା ପାର୍ବତୀ ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ କଠୋର ତପସ୍ୟାରେ ରହିଲେ । ପାର୍ବତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ତାଙ୍କ ଇଚ୍ଛା ପୂରଣ କରିବା ମା’ଙ୍କୁ ବରଦାନ ପ୍ରଦାନ କଲେ । ଏହା ପରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବିବାହ ମହାଶିବରାତ୍ରୀ ଅର୍ଥାତ୍ ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚତୁର୍ଦଶୀରେ ହୋଇଥିଲା । ଏହି କାରଣରୁ ପ୍ରତିବର୍ଷ ମହାଶିବରାତ୍ରୀ ପାଳନ କରାଯାଏ ।
ଦିବ୍ୟ ଶିବଲିଙ୍ଗ ପ୍ରକଟ: ଶିବ ପୁରାଣର ଏକ କାହାଣୀ ଅନୁସାରେ ଯେତେବେଳେ ଭଗବାନ ବିଷ୍ଣୁ ଏବଂ ବ୍ରହ୍ମଦେବଙ୍କ ମଧ୍ୟରେ ଜ୍ୟେଷ୍ଠ ହେବାକୁ ନେଇ ବିବାଦ ଦେଖାଦେଇଥିଲା, ସେତେବେଳେ ଭଗବାନ ଶିବ ପ୍ରଥମେ ମହାଶିବରାତ୍ରୀ ଦିନ ଏକ ବିଶାଳ ଦିବ୍ୟ ଶିବଲିଙ୍ଗ ରୂପରେ ଦେଖାଦେଲେ । ଭଗବାନ ବିଷ୍ଣୁ ଏକ ବରାହର ରୂପ ଧାରଣ କରି ଏହାର ନିମ୍ନ ଭାଗକୁ ଖୋଜିବାକୁ ଆରମ୍ଭ କଲେ । ଏହି ସମୟରେ ବ୍ରହ୍ମା ଏକ ହଂସର ରୂପ ଧାରଣ କଲେ ଏବଂ ଏହାର ଉପର ଅଂଶ ଖୋଜିବାକୁ ଆରମ୍ଭ କଲେ । ଉଭୟ ଶିବଲିଙ୍ଗର ଆରମ୍ଭ ଏବଂ ଶେଷକୁ ଖୋଜି ପାରିଲେ ନାହିଁ । ତା’ପରେ ଭବିଷ୍ୟବାଣୀ ହେଲା ଯେ ସେ ହେଉଛନ୍ତି ଶିବ, ଯାହାଙ୍କ ଠାରୁ ଆରମ୍ଭ ଏବଂ ଶେଷ, ଜୀବନ ଏବଂ ମୃତ୍ୟୁ । ତାଙ୍କଠାରୁ ହିଁ ସୃଷ୍ଟିର ଆରମ୍ଭ ।

ଦ୍ୱାଦଶ ଜ୍ୟୋତିର୍ଲିଙ୍ଗର ଉତ୍ପତି: ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ଶିବଙ୍କର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମହାଶିବରାତ୍ରୀ ଦିନ ପ୍ରକଟ ହୋଇଥିଲେ । ଏହି କାରଣରୁ, ମହାଶିବରାତ୍ରୀରେ ଏହି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ପୂଜା କରି ଶିବଙ୍କ ଆଶୀର୍ବାଦ ପ୍ରାପ୍ତ କରାଯାଏ ।
ଶିବ ତାଣ୍ଡବ: ପୁରାଣ ଅନୁଯାୟୀ ଭଗବାନ ଶିବ ପ୍ରଥମ ଥର ପାଇଁ ମହାଶିବରାତ୍ରୀ ଦିନ ଚାଣ୍ଡବ ନୃତ୍ୟ କରିଥିଲେ । ଏହି କାରଣରୁ, ମହାଶିବରାତ୍ରୀ ତିଥିକୁ ଗୁରୁତ୍ୱ ପୂର୍ଣ୍ଣ ବିବେଚନା କରାଯାଏ ।
‘ଶିବ’- ସର୍ବଜ୍ଞ, ଚିରନ୍ତନ, ଶାଶ୍ୱତ, ସନାତନ । ଶିବଶ+ ଇ+ବ । ‘ଇ’ ଅକ୍ଷରକୁ ଉଠାଇ ଦେଲେ ତାହା ହେବ ‘ଶବ’ । ଅର୍ଥାତ୍ ଜଡ଼ । ଜୀବ ଚେତନା ଶକ୍ତି ହିଁ ଶିବ । ଜୀବକୁ ଯେ ସୁଖ ପ୍ରଦାନ କରେ, ପାପତାପରୁ ମୁକ୍ତ କରେ, ସଂସାରକୁ ମୋକ୍ଷ କରେ ଓ ସକଳର କଲ୍ୟାଣ କରେ, ସେ ହେଉଛନ୍ତି ଶିବ । ଯେ ସଦା ଜାଗ୍ରତ, ସ୍ୱପ୍ନ ସୁସୁପ୍ତି ଅବସ୍ଥାରୁ ଉପରକୁ ଉଠିଛି ସେ ଶିବ । ଯାହାଙ୍କର ଆଦି ନାହିଁ, ଅନ୍ତ ନାହିଁ, ଜନ୍ମ ନାହିଁ, ମୃତୁ୍ୟ ନାହିଁ, ଆକାର ନାହିଁ, ଜାତି ନାହିଁ, ଗୋତ୍ର ନାହିଁ, ପିତା ନାହିଁ, ମାତା ନାହିଁ, ସେ ହେଉଛନ୍ତି ଶିବ । ଶିବ
ପରମାତ୍ମା, ପରମ୍ବ୍ରହ୍ମ । ଜଗତ୍ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭାଷାରେ- ‘ ବୃଷରାଜ ନିକେତନମ୍ ଆଦିଗୁରୁମ୍, ଗରଳାସନମାଜି ଭିଶାଭିଧରମ୍, ପ୍ରମଥାଧି ସେବକ ରଂଜନକଂ, ପ୍ରଣମାମି ଶିବମ୍ ଶିବକଳ୍ପତରୁମ୍ ।’ ଉପନିଷଦ କହେ, ଶିବ ଓ ଜୀବ ଅଭିନ୍ନ ଅର୍ଥାତ୍ ‘ଶିବୋହଂ, ଶିବୋହଂ’ ।
ଶିବ ହେଉଛନ୍ତି ଗୁରୁଙ୍କର ଗୁରୁ । ମାତାଙ୍କର ମାତା । ପିତାଙ୍କର ପିତା । ତେଣୁ ସେ ପରମପିତା । ଋଳ୍ ବେଦ କହେ, ଶିବ ଅଗ୍ନି ତତ୍ୱ ଯାହା ଅପରିବର୍ତନୀୟ । ଅଗ୍ନିର ସ୍ୱଭାବ ଊଦ୍ଧ୍ୱର୍ଗାମୀ ଅର୍ଥାତ୍ ଅଗ୍ରଗାମୀ । ସେ ଶକ୍ତି, ସବୁଠାରୁ ଶ୍ରେଷ୍ଠଶକ୍ତି । ଅଥର୍ବ ବେଦ କହେ, ଶିବଙ୍କ ସ୍ୱରୂପ ହେଉଛି ‘ପଶୁପାଳକ’ । ପଶୁତତ୍ୱର ଅର୍ଥ ଜୀବ । ଜୀବକୁ ଯେ ପାଳନ କରନ୍ତି ସେ ହିଁ ଶିବ ।
ଶିବ ଶବ୍ଦରେ ଥିବା ‘ଇ’ କାର ସ୍ୱରୂ ହେଉଛି ଆହ୍ଲାଦିନୀ ଶକ୍ତି । ଯାହାକୁ ପୁରାଣ ଶାସ୍ତ୍ରରେ ଆଦ୍ୟାଶକ୍ତି-ଜଗଦମ୍ବା-ଆଦିମାତା ରୂପରେ ଆଖ୍ୟା ଦିଆଯାଇଛି । ଆହ୍ଲାଦିନୀ ଶକ୍ତିର ଅଭାବରେ ପରମାତ୍ମା ସଗୁଣ ସାକାର ରୂରେ ପ୍ରକଟ ହୋଇପାରିବ ନାହିଁ । ପରମାତ୍ମା ସାକାର ରୂପ ଧାରଣ କଲେ ଜଡ଼ ଜୀବଦାନ ପାଏ । ଜାଗତର ସୃଷ୍ଟି ପାଇଁ ପିଣ୍ଡ ଓ ବ୍ରହ୍ମାଣ୍ଡ ଏକାନ୍ତ ଆବଶ୍ୟକ । ଶିବ+ଶକ୍ତିର ମିଶ୍ରଣରେ ଏ ସଂସାର । ଶିବ ହେଉଛନ୍ତି ‘ପୁରୁଷ’ ଓ ଶକ୍ତି ହେଉଛନ୍ତି ‘ନାରୀ’ । ‘ଶିବ’ ଶବ୍ଦର ଅର୍ଥ ମଙ୍ଗଳମୟ । ସେ ହେଉଛି ସକଳ ଜ୍ଞାନ ଓ ପ୍ରଜ୍ଞାନ ଆଧାର । ମହାଶିବରାତ୍ରୀ ପଣ୍ଡିତ ଦୈତ୍ୟାରି ମହାପାତ୍ର ଚଣ୍ଡାଳଠାାରୁ ବ୍ରାହ୍ମଣ ଯାଏ, ରାକ୍ଷସଠାରୁ ଦେବତାଯାଏ, ସମସ୍ତଙ୍କର ପ୍ରାର୍ଥନା ସେ ଶୁଣିଥାନ୍ତି ।
ଶୈବ ଦର୍ଶନ ହେଉଛି ବେଦାନ୍ତର ସର୍ବଶ୍ରେଷ୍ଠ ଦର୍ଶନ । ବେଦରେ ପ୍ରମାଣ ଅଛି ଯାହାର ଜୀବନ ଅଛି ସେ ହିଁ ଶିବଭକ୍ତ । ଶିବଙ୍କର ବଦନ ସଂଖ୍ୟା ହେଉଛି ପାଂଚ । ତାଙ୍କର ମନ୍ତ୍ର ଅକ୍ଷର ସଂଖ୍ୟା ପାଂଚ । ଯଥା- ‘ନମଃ ଶିବାୟ’- ‘ନ’ର ଅର୍ଥ ପୃଥିବୀ ଓ ବ୍ରହ୍ମା, ‘ମ’ର ଅର୍ଥ ଜଳ ଓ ବିଷ୍ଣୁ, ‘ଶି’ର ଅର୍ଥ ଅଗ୍ନି ଓ ରୁଦ୍ର, ‘ବା’ର ଅର୍ଥ ବାୟୁ ଓ ମହେଶ୍ୱର, ‘ୟ’ ର ଅର୍ଥର ଆକାଶ, ସଦାଶିବ ଓ ଜୀବ । ଶିବ ହେଉଛି ଧର୍ମର ରକ୍ଷକ । ତାଙ୍କୁ ନେଇ ଯେତେ ପର୍ବ ପର୍ବାଣୀ ଅଛି ତନ୍ମଧ୍ୟରୁ ‘ମହାଶିବରାତ୍ରୀ’ ଅନ୍ୟତମ । ସାଧାରଣତଃ ଶିବରାତ୍ରି କହିଲେ ଆମେ କୃଷ୍ଣ ଓ ଶୁକ୍ଳକ୍ଷର ଚତୁର୍ଦ୍ଧଶୀ ତିଥିକୁ ବୁଝିଥାଉ । ମାତ୍ର ମହାଶିବରାତ୍ରି କହିଲେ ଆମେ ଫାଲ୍ଗୁନ ମାସ (ଶାସ୍ତ୍ର ମତରେ ମାଘମାସ) କୃଷ୍ଣପକ୍ଷ ଚୁତୁର୍ଦ୍ଧଶୀ ତିଥିକୁ ହିଁ ବୁଝିଥାଉ । ଶିବରାତ୍ରର ମହିମା ଅନେକ । ଏହ ଶିବରାତ୍ର କଥା ବେଦ ବେଦାନ୍ତ, ଉପନିଷଦ ତଥା ମହାଭାରତ ଆଦିରେ ବହୁଳ ପ୍ରଚାର ଓ ପ୍ରସାର କରାଯାଇଛି ।
ଦିନକର କଥା, ସୃଷ୍ଟି ସର୍ଜନା ସରିଯାଇଛି । କୈଳାସ ପର୍ବତ ଉପରେ ମା’ ପାର୍ବତୀ ଶିବଙ୍କୁ ପଚାରୁଛନ୍ତି- ହେ ପ୍ରଭୁ! ଆପଣଙ୍କ ପୂଜାଆରାଧନା ପାଇଁ କେଉଁ ଦିବସଟି ସବୁଠାରୁ ଉତ୍କୃଷ୍ଟ? ପରମପିତା ପରଂବ୍ରହ୍ମ ଭଗବାନ ଶିବ କହୁଛନ୍ତି, ଦେବୀ! ଫାଲ୍ଗୁନ ମାସ କୃଷ୍ଣପକ୍ଷ ‘ଚତୁର୍ଦ୍ଧଶୀ’ ତିଥିର ‘ଶିବରାତ୍ରି’ ହେଉଛି ମୋ’ ପୂଜା ପାଇଁ ସର୍ବୋକୃଷ୍ଟ । ‘ଶିବ’, ତି୍ରଲୋଚନ ନାମରେ ଖା୍ୟତ । ତାଙ୍କର ତୃତୀୟ ନେତ୍ର ମୋକ୍ଷଦ୍ୱାର ଭାବରେ ବିଦିତ । ସେ ସତ୍ୟ-ଶିବ-ସୁନ୍ଦର । ‘ଶିବରାତ୍ରୀ’ର ଅନ୍ୟ ନାମ ଜାଗର ବା ଉଜାଗର । ଅର୍ଥାତ୍ ସାରାରାତି ଉଜାଗର ରହି ଭଗବାନ ଶିବଚିନ୍ତା କରିବା ଏବଂ ଶିବବାଣୀ ପ୍ରଚାର କରିବା ।
ବେଦପତି ବ୍ରହ୍ମା କହୁଛନ୍ତି, ହେ ଋଷିଗଣ! ଏ ବ୍ରହ୍ମାଣ୍ଡରେ ଯେଉଁ ଭକ୍ତ ଉପବାସ ରହି ଏକାନ୍ତ ନିଷ୍ଠା ଓ ଭକ୍ତିର ସହିତ ଉକ୍ସାଗର ରହି ଘିଅ ଦୀପ ଜାଳି ଶିବରାତ୍ରୀରେ ଶିବନାମ ଜପ କରନ୍ତି, ସେମାନେ ଶିବକୃପା ଲାଭ କରନ୍ତି । ଶିବ ପ୍ରସନ୍ନ ହେଲେ ଭକ୍ତକୁ ଅଭୀଷ୍ଠ ଫଳ ପ୍ରାପ୍ତି ହୋଇଥାଏ ।
ଶିବରାତ୍ରି ହେଉଛି ପୂର୍ଣ୍ଣମାତ୍ରାରେ ଶିବଙ୍କ ଆଶି୍ରତ ହେବାର ରାତ୍ରି । ଆହାର- ନିଦ୍ରା-ମୈଥୁନ-ଲୋଭ-ମୋହ-ରାଗ ଓ ହିଂସାକୁ ପରିତ୍ୟାଗ କରି ଭଗବାନ ଶ୍ରୀଶିବଙ୍କ ନିକଟରେ ଶରଣ ପଶିବା ହେଉଛି ଏହି ପର୍ବର ମୁଖ୍ୟ ଉଦ୍ଧେଶ୍ୟ । ପ୍ରତି ମୁହୂର୍ତରେ ଭଗବାନ ଶିବଙ୍କ ନାମକୁ ଜପାମାଳ କଲେ ଏବଂ ଶିବଙ୍କ ଦିବ୍ୟଲୀଳା ରସରେ ନିଜକୁ ହଜାଇଦେଲେ ଅବିଳମ୍ବେ ପ୍ରଭୁଙ୍କ ସାନ୍ନିଧ୍ୟ ମିଳେ । ଯଦି ଏ ଦେହ ଥାଇ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ଶିବନାମ ଜପ (ମାନସ ଜପ) କରାଯାଏ, ତେବେ ଅଜ୍ଞାନତା ରୂପକ ମହାନିଶି ବଦଳରେ କୋଟି ସୂର୍ଯ୍ୟଙ୍କ ଉଜ୍ଜ୍ୱଳ ରଶ୍ମି ପରି ଜ୍ଞାନାଲୋକ ପ୍ରକାଶିତ ହୋଇଥାଏ । ବ୍ରହ୍ମର ଦର୍ଶନ ମିଳିଥାଏ । ଶ୍ରୀଶିବଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ ।

ଶିବରାତ୍ରି ବା ଜାଗର ରାତ୍ରିକୁ ଚାରି ପ୍ରହରରେ ବିଭକ୍ତ କରାଯାଇଛି । ଯଥା- ୧ମ ପ୍ରହର, ରଜଗୁଣ ‘ସର୍ବ’ ସ୍ୱରୂପ । ୨ୟ ପ୍ରହର ତମ ଗୁଣ, ‘ଅଘୋର’ ସ୍ୱରୂପ । ୩ୟ ପ୍ରହର ସତ୍ୱଗୁଣ, ‘ବାମଦେବ’ ସ୍ୱରୂପ ଏବଂ ୪ର୍ଥ ପ୍ରହର ଗୁଣାତୀତ, ‘ଶାନ୍ତି ସଦାଶିବ ଓ ଧାତୁ’ ସ୍ୱରୂପ । ଚତୁର୍ଥ ପ୍ରହର ଶେଷରେ ମହାପ୍ରଭୁଙ୍କ ‘ସିଂହାରହାର’ ବେଶ ଯଥା ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ପୁଷ୍ପ ଓ ତି୍ରଶାଖା ବେଲ ପତ୍ରରେ ମନ୍ତ୍ରପାଠ ପୂର୍ବକ ଭକ୍ତିର ସହିତ ପୂଜାର୍ଚ୍ଚନା କରାଯାଏ । ଦକ୍ଷିଣା ଭୋଗ ହୁଏ । ରାତ୍ରର ଶେଷ ପ୍ରହରର ଅୟମାରମ୍ଭରେ ମନ୍ଦିର ଚୂଳ ଉପରକୁ ‘ମହାଦୀପ’ ଉଠାଯାଇ ବିଶ୍ୱକୁୁ ଆଲୋକ ପ୍ରଦର୍ଶନ କରାଯାଏ ।
ଘଂଟ ଘଂଟାର ତାଳେ ତାଳେ ଉଦଣ୍ଡ ନୃତ୍ୟ ସହିତ ନାମ ସଂକୀର୍ତନ କରାଯାଏ । ଜପ-ତପ ଓ ଧ୍ୟାନ ଆଦି କରାଯାଏ । ଶିବ ରାତ୍ରିରେ ଘିଅଦୀପ ଜାଳିବା ଏକ ସ୍ୱତନ୍ତ୍ର ବିଧି । ଏହାର ତାତ୍ପର୍ଯ୍ୟ ହେଉଛି ଅଜ୍ଞାନତା ରୂପକ ଅନ୍ଧାରକୁ ନାଶ କରି ଜ୍ଞାନାଲୋକ ଜାଗ୍ରତ କରିବା । ଏହି ପବିତ୍ର ଶିବରାତ୍ରିକୁ ଏକାନ୍ତ ଭକ୍ତି ଓ ନିଷ୍ଠାର ସହିତ ପାଳନ କଲେ ଏ ଜୀବନ ସାର୍ଥକ ହେବା ସହିତ ପରମ ଶାନ୍ତି ମିଳିଥାଏ । (ସଂଗୃହୀତ)
