‘ଅନ୍ଧାରରେ ଆଲୋକ ଦିଏ ସାହିତ୍ୟ, ଜୀବନ ଜିଇଁବା ଶିଖାଏ’
ଭୁବନେଶ୍ୱର, ୨୩/୦୨/୨୦୨୫ ସାହିତ୍ୟ ଉନ୍ମୋଚନ କରେ, ସଂଯୋଗ କରେ ଓ ଗଣ୍ଠି ଖୋଲିଦିଏ । ବ୍ୟକ୍ତିକୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସହିତ ସଂପୃକ୍ତ କରାଏ । ଏହା ଅନ୍ଧାରରେ ଆଲୋକ ଦିଏ, ଜୀବନ ଜିଇଁବା ଶିଖାଏ ବୋଲି ଭୁବନେଶ୍ୱର ସାହିତ୍ୟ ପର୍ବରେ ଅତିଥିମାନେ ମତପ୍ରକାଶ କରିଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଜୟଦେବ ଭବନରେ ଆୟୋଜିତ ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍ଯାପନ ଅବସରରେ ଅନୁଷ୍ଠିତ ମୁକ୍ତ ଅଧିବେଶନରେ ବିଶିଷ୍ଟ ବିଦ୍ୱାନ ପ୍ରଫୁଲ୍ଲ କୁମାର ମିଶ୍ର ଓ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ ସାହିତ୍ୟ ପର୍ବର ଗୁରୁତ୍ୱ ଦର୍ଶାଇଥିଲେ ।
ସାହିତ୍ୟ ହେଉଛି ଭାବର ବିସ୍ତାର, ନିର୍ମାଣ ଓ ବ୍ୟାଖ୍ୟାନ ବୋଲି ଉଲ୍ଲେଖ କରି ଲୋକଶିକ୍ଷା ସାହିତ୍ୟର ଉଦ୍ଦେଶ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଦେଇଥିଲେ । ମୁକ୍ତ ଅଧିବେଶନ ପରେ ‘ଓଡ଼ିଶାରେ ସାହିତ୍ୟ ଅନୁଷ୍ଠାନଗୁଡ଼ିକର ସାମର୍ଥ୍ୟ ଓ ସମ୍ଭାବନା’, ‘ଏବର ଓଡ଼ିଆ କଥାସାହିତ୍ୟ: ଦୃଷ୍ଟି ଓ ଦିଗନ୍ତ’ ଶୀର୍ଷକ ଆଲୋଚନାଚକ୍ରରେ ଡ. ପ୍ରଦୀପ ବିଶ୍ୱାଳ, ଡ. ବୈଷ୍ଣବ ପ୍ରସାଦ ମହାନ୍ତି, ଶ୍ରୀ ସରୋଜ ବଳ, ଭୀମ ପୃଷ୍ଟି, ଆଦିତେଶ୍ୱର ମିଶ୍ର, ଶ୍ରୀମତୀ ଚିରଶ୍ରୀ ଇନ୍ଦ୍ରସିଂହ ଓ ଆଭାସ ବରାଳ ଅଂଶଗ୍ରହଣ କରିଥିଲେ ।
ପ୍ରସିଦ୍ଧ ନାଟ୍ୟକାର ପ୍ରଫେସର ରମେଶ ପ୍ରସାଦ ପାଣିଗ୍ରାହୀଙ୍କ ସହିତ ଅନ୍ତରଙ୍ଗ ଆଳାପ କରିଥିଲେ ‘ନାଟ୍ୟଚେତନା’ର ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ । ଅପରାହ୍ନରେ ଆୟୋଜିତ କବିତା ପାଠୋତ୍ସବରେ କବି ଖଗେଶ୍ୱର ମହତାବ ପୌରୋହିତ୍ୟ କରିଥିବାବେଳେ ଶ୍ରୀମତୀ ମିନତି ଦାଶ (ମାନି), ଡ. ଗୀତାଶ୍ରୀ ପି୍ରୟମ୍ବଦା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ସଂଯୋଜନା କରିଥିଲେ । ପ୍ରାୟ ୭୦ରୁ ଊଦ୍ଧ୍ୱର୍ କବି ସ୍ୱରଚିତ ଲେଖା ପାଠ କରିଥିଲେ । ଶେଷରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ‘ସଂସାର’ ପ୍ରଦର୍ଶିତ ହୋଇଥିଲା ।
ବିଶିଷ୍ଟ ସାହିତି୍ୟକ ତଥା ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟର ଅନ୍ୟତମ ଉପଦେଷ୍ଟା ପ୍ରଶାନ୍ତ ପଟ୍ଟନାୟକ (ପ୍ରୀତମ୍)ଙ୍କ ପରଲୋକରେ ନୀରବ ପ୍ରାର୍ଥନା କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଲେଖକ, ସାହିତି୍ୟକ, ଶିଳ୍ପୀ, ସମାଜକର୍ମୀ ଏହି ପର୍ବରେ ସମବେତ ହୋଇଥିଲେ ।
ସୂର୍ଯ୍ୟ ମିଶ୍ର
ସଭାପତି, ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ