କଟକ, ୨୦/୦୨/୨୦୨୫(ଓଡ଼ିଶା ସମାଚାର)- ଶିଖରପୁର ନିବାସୀ ଶ୍ରୀକାନ୍ତ ପରିଡ଼ା ଓ ଲୋପାମୁଦ୍ରା ପରିଡ଼ାଙ୍କ ଏକମାତ୍ର ପୁତ୍ର ତଥା ଜାଭିୟର୍ସ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ର ସୂର୍ଯ୍ୟାଂଶୁ ପରିଡ଼ା (୯) ମଧ୍ୟପ୍ରଦେଶର ଭୋପାଳରେ ଏକ ଜାତୀୟ ଟିଭି ଚ୍ୟାନେଲରେ ଅନୁଷ୍ଠିତ ହୋଇଥିବା ‘ଇଣ୍ଡିଆନସ୍ ଡ୍ୟାନ୍ସ ପାୱାର ସିଜନ-୨’ରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ସମଗ୍ର ଭାରତ ବର୍ଷରୁ ହଜାର ହଜାର ସଂଖ୍ୟାରେ ନୃତ୍ୟଶିଳ୍ପୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ସୂର୍ଯ୍ୟାଂଶୁ ନିଜର ନିଷ୍ଠା ଓ ପ୍ରତିଭା ବଳରେ ଶ୍ରେଷ୍ଠ ନୃତ୍ୟଶିଳ୍ପୀର କୃତିତ୍ୱ ଅର୍ଜନ କରି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ପାଠ ପଢ଼ିବା ସହିତ ଦିନକୁ ଦୁଇ ଘଂଟା ନୃତ୍ୟ ପାଇଁ ସମୟ ଦେଇଥିବା ବେଳେ ବଡ଼ ହୋଇ ଜଣେ ଭଲ ନୃତ୍ୟଶିଳ୍ପୀ ହେବେ ବୋଲି ସୂର୍ଯ୍ୟାଂଶୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।