ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟରେ ପାରଦ ଏବେ ଉପରମୁହାଁ । ଦିନର ତାପମାତ୍ରା ୩୬ ଡିଗ୍ରୀ ଡେଇଁଲାଣି । ୪ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ଟପିଛି ।
ବୌଦ୍ଧରେ ସବୁଠୁ ଅଧିକ ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ, ମାଲକାନଗିରିରେ ୩୫.୬, ଖୋର୍ଦ୍ଧାରେ ୩୫.୫ ଏବଂ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ ରେକର୍ଡÿ ହୋଇଛି । ୫ଟି ସ୍ଥାନରେ ପାରଦ ୩୪ ଡିଗ୍ରୀ ଉପରେ ରହିଛି । ଭୁବନେଶ୍ୱର ୩୩.୮ ଏବଂ କଟକରେ ୩୧.୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡÿ ହୋଇଛି । ଏପଟେ ରାତିରେ ମଧ୍ୟ ତାପମାତ୍ରା ଦିନକ ପରେ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ଫଗୁଣରେ ଡହଡହ ଖରା ଦେହମୁଣ୍ଡ ଜାଳି ପକାଉଥିବାବେଳେ ସକାଳ ୮ଟାରୁ ଖରାର ପ୍ରଖରତାପ ବଢ଼ିବାରେ ଲାଗିଲାଣି । ଅନ୍ୟପକ୍ଷରେ ୧୯ରୁ ୨୨ ତାରିଖ ଯାଏଁ କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣରୁ ବର୍ଷା ସମ୍ଭାବନା ରହିଛି ।୧୯ ତାରିଖରେ ୧୦ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଫେବୃୟାରୀ ୨୦ରେ ବର୍ଷାର ତୀବ୍ରତା ସାମାନ୍ୟ ବୃଦ୍ଧି ପାଇପାରେ । ଫଳରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଦେବଗଡ, ସୁନ୍ଦରଗଡ, ଅନୁଗୁଳ, ଢ଼େଙ୍କାନାଳ ଓ ବାଲେଶ୍ୱରରେ ଘଡଘଡି ସହ ବର୍ଷା ହୋଇପାରେ ।