ଗଣଆନ୍ଦୋଳନ ଓ ଗଣ ବିଚାରର ପ୍ରତୀକ ଥିଲେ ବୈଷ୍ଣବ ପରିଡ଼ା
ଭୁବନେଶ୍ୱର,୧୬/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଜଣେ ଲଢୁଆ ରାଜନୀତିଜ୍ଞ, ସଫଳ ସୃଜନସ୍ରଷ୍ଟା, ଦକ୍ଷ ଅନୁବାଦକ ଓ ବିଖ୍ୟାତ ଭାଷାକର୍ମୀ ଭାବରେ ତାଙ୍କ ଜୀବଦ୍ଧଶାରେ ବେଶ୍ ଚର୍ଚ୍ଚିତ ଥିଲେ ସ୍ୱର୍ଗତ ବୈଷ୍ଣବ ପରିଡ଼ା । ଏକଦା ‘ଭାଷା ସୁରକ୍ଷା ସମ୍ମିଳନୀ’ର ପ୍ରତିଷ୍ଠାତା ସଭାପତି ଭାବରେ ସେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିବା ସହ ନିଜ ଭାଷା ପ୍ରତି ଅଙ୍ଗୀକାର ଓ ମାଟି ପ୍ରତି ପ୍ରତିବଦ୍ଧତାର ପରିଚୟ ଦେଇଥିଲେ ।
ଏ କ୍ଷେତ୍ରରେ ସେ ଥିଲେ ଜଣେ ଉଦାହରଣୀୟ ବ୍ୟକ୍ତିତ୍ୱ । ନିଜ ମାତୃଭାଷାର ସୁରକ୍ଷା ପାଇଁ ତାଙ୍କର ଲଢେଇ, ନିଜର ସୃଜନ କର୍ମ ଏବଂ ଗଣ ଆନ୍ଦୋଳନର ନେତା ଭାବରେ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅବର୍ତର୍ମାନରେ ଭାଷା ସୁରକ୍ଷା ସମ୍ପର୍କିତ ଅନେକ କଥା ଚୁପ୍ ପଡ଼ିଗଲା ବୋଲି ଆଜି ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ବୈଷ୍ଣବ ପରିଡ଼ାଙ୍କ ୮୪ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ମତପ୍ରକାଶ କରିଛନ୍ତି । ସମାରୋହରେ ଉପସ୍ଥିତ ଅତିଥିବୃନ୍ଦ ସ୍ୱର୍ଗତ ପରିଡ଼ାଙ୍କୁ ସ୍ମରଣକରି ତାଙ୍କୁ ଜଣେ ବିଶିଷ୍ଟ ରାଜନେତା, ସୁସାହିତି୍ୟକ ଓ ଭାଷା ସୁରକ୍ଷା ଆନ୍ଦୋଳନର କର୍ଣ୍ଣଧାର ଭାବେ ବର୍ଣ୍ଣନା କରିବା ସହ ଗଣ ଆନ୍ଦୋଳନ ଓ ଗଣ ବିଚାରର ପ୍ରତୀକ ଥିଲେ ବୈଷ୍ଣବ ପରିଡ଼ା ବୋଲି ପ୍ରକାଶ କରିଥିଲେ ।
ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଭାଷାବିତ୍ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିଲା ବେଳେ ବିଶେଷ ଅତିଥି ଭାବରେ ଯୋଗଦେଇଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ଏବଂ ସମ୍ମାନିତ ଅତିଥି ଥିଲେ ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ । ଏଥିରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ. ମାନସ ବେହେରା “ଭାରତୀୟ ସମ୍ବିଧାନ ଓ ଆମ ଆଂଚଳିକ ଭାଷା” ଶୀର୍ଷକ ଚତୁର୍ଥ ବୈଷ୍ଣବ ପରିଡ଼ା ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ ।
ଅତିଥିମାନେ ସ୍ୱର୍ଗତ ପରିଡ଼ାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ, ସ୍ୱର୍ଗତ ବୈଷ୍ଣବ ପରିଡ଼ା ଓଡ଼ିଆ ଭାଷା ସୁରକ୍ଷା ପାଇଁ ଯେଉଁ ଦୁର୍ବାର ଆନ୍ଦୋଳନ ଗଢି ତୋଳିଥିଲେ ତାହା ଓଡ଼ିଆମାନଙ୍କର ଜାତୀୟ ଚେତନା ବୃଦ୍ଧି କରିବା ସହ ମାତୃଭାଷାର ସୁରକ୍ଷା ଓ ବ୍ୟବହାର ନେଇ ଜନସାଧାରଣଙ୍କୁ ସଚେତନ କରାଇପାରିଥିଲା । ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଭାଷା ସୁରକ୍ଷା ସମ୍ମିଳନୀର ସମ୍ପାଦକ ଅମିତାଭ ଖିଲାର, ଅତିଥି ପରିଚୟ ପ୍ରଦାନ କରିଥିଲେ ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସର ଉପସଭାପତି ସାହିତି୍ୟକ ବାସୁଦେବ ଦାସ । ଏହି ଅବସରରେ ବିଶିଷ୍ଟ ଭାଷାକର୍ମୀ ଓ ସଂଗଠକ ଶ୍ରୀଯୁକ୍ତ ଦଣ୍ଡପାଣି ମହାପାତ୍ରଙ୍କୁ ବୈଷ୍ଣବ ପରିଡ଼ା ସ୍ମୃତି ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା ।
ପୁରସ୍କାର ସ୍ୱରୂପ ଶ୍ରୀଯୁକ୍ତ ମହାପାତ୍ରଙ୍କୁ ସାଲ୍, ମାନପତ୍ର ଓ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କୁ ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ ସ୍ୱର୍ଗତ ବୈଷ୍ଣବ ପରିଡ଼ାଙ୍କ କନ୍ୟା ଶ୍ରୀମତୀ ଲୁନିତା ବାରିକ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ବୈଷ୍ଣବ ପରିଡ଼ା ସ୍ମୃତିନ୍ୟାସର ସଦସ୍ୟ ଶ୍ରୀଯୁକ୍ତ ବିଶ୍ୱନାଥ ବେହେରା । ସହଯୋଗ କରିଥିଲେ ନୀଳମାଧବ ସାହୁ । ଏହି ସମାରୋହରେ ବହୁ ବିଜ୍ଞ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।
