‘ସମାଜ’ର ୧୦୬ ତମ ସ୍ୱନକ୍ଷତ୍ର ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

କଟକ, ୧୬/୧୦/୨୦୨୫ (ଓଡ଼ିଶା ସମାଚାର)-     ଦୈନିକ ସମ୍ବାଦପତ୍ର ‘ସମାଜ’ ର ୧୦୬ ତମ ସ୍ଵନକ୍ଷତ୍ର ପକ୍ଷ ପାଳନ ଅବସରରେ ସମାଜ ପରିବାର ସହ ଜଡିତ ଥିବା ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ପବିତ୍ର ଅବସରରେ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ମୋର ଭକ୍ତିପୂତ ପ୍ରଣାମ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

            ଯେ କୌଣସି ଅନୁଷ୍ଠାନ ପାଇଁ ଏକ ଶହ ବର୍ଷ ପୁରା କରିବା ଏକ ଗୌରବର ବିଷୟ, ବିଶେଷ ଭାବେ ଯେଉଁସବୁ ଅନୁଷ୍ଠାନ ସ୍ଵାଧୀନତା ପୂର୍ବରୁ ପ୍ରତିଷ୍ଠିତ ହୋଇଥିଲା। ଓଡ଼ିଶାରେ ବୋଧ ହୁଏ, ସମାଜ ଏକମାତ୍ର ଦୈନିକ ଖବର କାଗଜ ଯାହା ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇ ଆସୁଛି, କେବଳ ପ୍ରକାଶିତ ହୋଇ ଆସୁ ନାହିଁ, ପାଠକଙ୍କ ମଧ୍ୟରେ ଏହାର ବିଶ୍ୱସନିୟତା ତଥା ଲୋକପ୍ରିୟତା ବଜାୟ ରଖିଛି। ଏହା କିଛି କମ କଥା ନୁହେଁ।

ଏହି ଶହେ ବର୍ଷରେ ଖବରକାଗଜ ଦୁନିଆଁରେ ଅନେକ ଝଡ଼ଝଞ୍ଜା, ଅନେକ ଉତ୍ଥାନ ପତନ, ଅନେକ ଆହ୍ଵାନର ସମ୍ମୁଖୀନ ହୋଇଛି । ବ୍ରିଟିଶ ସରକାରଙ୍କ କଟକଣା ଠାରୁ ଆରମ୍ଭ କରି ଏମର୍ଜେନ୍ସି ସମୟରେ ଗଣମାଧ୍ୟମରେ ଲାଗିଥିବା ଅଙ୍କୁଶ ସବୁକିଛି ଦେଖିଛି ସମାଜ । ସ୍ଵାଧୀନତା ପରବର୍ତ୍ତୀ ଭାରତର ପ୍ରତ୍ଯେକ ସରକାର ଏବଂ ତାଙ୍କର କାର୍ଯ୍ୟକଳାପକୁ ଦେଖି ଖବର ପରିବେଷଣ କରିବା ସହିତ ସମ୍ପାଦକୀୟ ସ୍ତମ୍ଭ ମାଧ୍ୟମରେ ନିଜର ସୁଚିନ୍ତିତ ମତାମତ ଦେଇଛି ।

ଅନେକଙ୍କ ଘରକୁ ହୁଏତ ଅନ୍ୟ ଖବର କାଗଜ ଆସୁଥିବ, କିନ୍ତୁ ପ୍ରାୟ ଲୋକେ ପଚାରିଥାଆନ୍ତି, ଆଜିର ସମାଜ ଆସିଲାଣି କି ? ଚା ଦୋକାନ କି ବସ୍ କିମ୍ବା ଟ୍ରେନରେ ଯଦି କେହି କୌଣସି ଖବର କାଗଜ ପଢୁଥିବେ ଲୋକେ ମାଗନ୍ତି, ସମାଜ ଟା ଟିକେ ଦେବେ । ଏହା ହେଉଛି ବିଶ୍ୱସନୀୟତା ।

ଏହି ବିଶ୍ୱସନୀୟତାକୁ ବର୍ଷ ବର୍ଷ ଧରି ବଜାୟ ରଖିବା ଅତ୍ୟନ୍ତ କାଠିକର ପାଠ, କିନ୍ତୁ ସମାଜ ଏହା ପ୍ରମାଣ କରି ଦେଖାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓ ତାଙ୍କ ପଟ୍ଟଶିଷ୍ୟ ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ ଭଳି ମହାନ ବ୍ୟକ୍ତିଙ୍କ ବିଚାର ଓ ଆଦର୍ଶ ‘ସମାଜ’କୁ ଓଡ଼ିଶାବାସୀଙ୍କ ନିକଟରେ ଆଜି ପର୍ଯ୍ୟନ୍ତ ବିଶ୍ବସନୀୟ କରି ରଖିଛି ।

            ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପରି ଜଣେ ପୁଣ୍ୟାତ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏହି ସମ୍ବାଦପତ୍ର ଓଡ଼ିଶା ବାସୀଙ୍କୁ ଦେଶ ସେବା ପାଇଁ ପ୍ରେରଣା ଦେଇଆସିଛି । ପ୍ରାରମ୍ଭିକ ସମୟରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ପ୍ରୋତ୍ସାହିତ କରିଥିବା ବେଳେ, ପରବର୍ତ୍ତୀ ସମୟରେ ଦେଶ ଓ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଏବଂ ସାଂସ୍କୃତିକ ସଚେତନତା ଦିଗରେ ପ୍ରେରଣା ଦେଇଆସିଛି । ଓଡ଼ିଶା ସହିତ ‘ସମାଜ’ ଏପରି ଭାବେ ଯୋଡିହୋଇ ରହିଛି, ଯେ ସମ୍ବାଦପତ୍ର ସମାଜକୁ ଛାଡି ଓଡ଼ିଶା ବିଷୟରେ ଚିନ୍ତା କରାଯାଇ ପାରିବନାହିଁ ।

ପଣ୍ଡିତ ଗୋପବନ୍ଧୁ ସାମ୍ବାଦିକତାକୁ କେବଳ ଏକ ବୃତ୍ତି ଭାବରେ ଦେଖି ନଥିଲେ; ସେ ଏହାକୁ ଏକ କର୍ତ୍ତବ୍ୟ ବା ଦାୟିତ୍ୱ ଭାବରେ ଦେଖିଥିଲେ – ‘ସମାଜ’ ମାଧ୍ୟମରେ  ସମାଜର ଉନ୍ନତି ପାଇଁ ଏହା ଥିଲା ଏକ ମହାନ ଯଜ୍ଞ । ସମାଜ ମାଧ୍ୟମରେ, ସେ ତାଙ୍କ କଲମକୁ ସଂସ୍କାର, କରୁଣା ଏବଂ ଜାଗରଣର ଏକ ଉପକରଣ ଭାବରେ ବ୍ୟବହାର କରିଥିଲେ ।

‘ସମାଜ’ କେବଳ ଏକ ଖବର କାଗଜ ନୁହେଁ, ଏହା ଗୋଟିଏ ଆନ୍ଦୋଳନ । ଲୋକମାନଙ୍କର କଥା, ବ୍ୟଥା, କାହାଣୀ, ସମସ୍ୟା ଓ ଅଭାବବୋଧକୁ ବ୍ରିଟିଶ ଶାସନଠାରୁ ଆଜି ପର୍ଯ୍ୟନ୍ତ ନିତ୍ୟ ପ୍ରତିଦିନ ଶାସନ କଳ ନିକଟରେ ପହଞ୍ଚାଇ ଆସୁଛି। ଉଚ୍ଚାରିତ କରିଥିଲା ଜନଗଣରେ ଦେଶପ୍ରେମ ଓ ଜାତିପ୍ରେମର ବହ୍ନିଶିଖା ।

ସମ୍ବାଦ ପରିବେଷଣ ସହିତ ସମାଜ ସେବା ହେଉଛି  ‘ସମାଜ’ର ଏକ ଅଭିନ୍ନ ଅଂଶ । ଏହା ଲୋକସେବକ ମଣ୍ଡଳର ତତ୍ତ୍ବାବଧାନରେ ଚାଲୁଥିବା ହେତୁ ସମାଜସେବା ଏହାର ଧମନୀରେ ପ୍ରବାହିତ । ପ୍ରାକୃତିକ ବିପର୍ଯ୍ୟୟ ସହିତ କୃତ୍ରିମ ବିପର୍ଯ୍ୟୟ ଯେପରିକି ଘରପୋଡି ସମୟରେ ସମାଜ ରିଲିଫ ପାଣ୍ଠି ଲୋକଙ୍କୁ ସହୟତା ଦେଇଥାଏ ।

ସମାଜର ଜନକଲ୍ୟାଣମୂଳକ ପଦକ୍ଷେପ- ଗୋପବନ୍ଧୁ ସେବା ସଦନ, ଶିକ୍ଷାଗତ ବୃତ୍ତି, ସ୍ୱାସ୍ଥ୍ୟ ଶିବିର ଓ  ରିଲିଫ୍ କାର୍ଯ୍ୟ ଗ୍ରାମାଞ୍ଚଳରେ ପହଞ୍ଚିବା ମାଧ୍ୟମରେ କରାଯାଇଥିବା ନିଃସ୍ୱାର୍ଥପର ସେବା ପାଇଁ ଆମେ ସମସ୍ତେ ଗୌରବ ଅନୁଭବ କରୁଛୁ ।

           ଆଜି ଆମ ଦେଶ ତଥା ସାରା ବିଶ୍ଵ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି । ଏହି ପରିବର୍ତ୍ତନଶୀଳ ବିଶ୍ଵରେ ଗଣମାଧ୍ୟମର ବି ଦାୟିତ୍ଵ ଓ ଭୂମିକା ବି ବଦଳୁଛି । ଏବେ ଗଣମାଧ୍ୟମର ଭୂମିକା କେବଳ ସମ୍ବାଦ ପରିବେଷଣ କରିବା ନୁହେଁ, ଗଣମାଧ୍ୟମ ବର୍ତ୍ତମାନ ସ୍ୱ-ମତ ପୋଷଣକାରୀ, ଅର୍ଥାତ୍ ଖବର ପରିବେଷଣ ସହିତ ନିଜର ମତାମତକୁ ଦୃଢଭାବେ ଲୋକଙ୍କ ସମ୍ମୁଖରେ ପେଶ୍ କରିବା ।

ତେଣୁ ଟିଭି ନ୍ୟୁଜ ଅଧିକ କୋଳାହଳମୟ ହେଉଛି, ଖବର କାଗଜରେ ଅଧିକରୁ ଅଧିକ ମତାମତ ସ୍ତମ୍ଭ ମାଧ୍ୟମରେ ଦେଖିବାକୁ ମିଳୁଛି । ଏହା ଅତ୍ୟନ୍ତ ସ୍ଵାଗତଯୋଗ୍ୟ ।

            ଖବର କାଗଜ ଏବଂ ଗଣମାଧ୍ୟମ ହେଉଛି ସମାଜର ଦର୍ପଣ, ସମାଜରେ ଦେଖା ଯାଉଥିବା ସମସ୍ଯା, ପ୍ରସଙ୍ଗ ସବୁକୁ ନିର୍ଭୀକତାର ସହିତ ତଥ୍ୟ ଭିତ୍ତିରେ ପରିବେଷଣ କରିବା ତାଙ୍କର ଦାୟିତ୍ଵ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଅଧିକ ପ୍ରାସଙ୍ଗିକ କାରଣ ବିଭିନ୍ନ ବିଚାରାଳୟରେ ଗଣମାଧ୍ୟମରେ ପରିବେଷଣ କରାଯାଉଥିବା ଖବରକୁ ପ୍ରମାଣ ଭାବେର ପେଶ୍ କରାଯାଉଛି ।

ତେଣୁ, ଗଣମାଧ୍ୟମ ଅନୁଷ୍ଠାନ ସ୍ତରରେ ତଥା ଖବରଦାତାମାନେ ବ୍ୟକ୍ତିଗତ ସ୍ତରରେ ଆହୁରି ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ। ଅନ୍ଯଥା ଆଜି ରାଜନୈତିକ ଭାବେ ସଂବେଦନଶୀଳ ସମାଜରେ କେତେବେଳେ କାହାର ଭାବାବେଗ ଆହତ ହୋଇଯିବ ଏବଂ କୋର୍ଟକୁ ଦୌଡିବାକୁ ପଡିବ କହିବା ମୁସ୍କିଲ ।

            ମୁଁ ବିଭିନ୍ନ ମଞ୍ଚରେ କହି ଆସିଅଛି ଯେ, ଗଣମାଧ୍ୟମର ପ୍ରଥମ ଭୂମିକା ହେଉଛି ଲୋକଙ୍କ ପ୍ରସଙ୍ଗ ସରକାରଙ୍କ ନଜରକୁ ଆଣିବା । କାରଣ, ସାଧାରଣ ଜନତାଙ୍କ ସ୍ଵର ଓ ମତାମତ ବ୍ୟକ୍ତିଗତ ଭାବେ ହୁଏତ  ସରକାରଙ୍କ ପାଖରେ ପହଞ୍ଚି ପାରି ନ ଥାଏ, କିନ୍ତୁ ଖବର କାଗଜ, ଟେଲିଭିଜନ ନ୍ଯୁଜ ମାଧ୍ୟମରେ ପହଞ୍ଚିଥାଏ ।

ମୁଁ ପଶ୍ଚିମବଙ୍ଗରେ ଘଟିଥିବା ସଦ୍ୟତମ  ଘଟଣା  ବିଷୟରେ ଉଲ୍ଲେଖ କରିବି । ଯେତେବେଳେ ଗଣମାଧ୍ୟମରୁ ମୁଁ ଜାଣିବାକୁ ପାଇଲି, ମୁଁ କାଳ ବିଳମ୍ବ ନ କରି, ତୁରନ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ଉପଯୁକ୍ତ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲି ।

            ବିଗତ ଦିନ ସରକାରଙ୍କ ଗଣମାଧ୍ୟମ ବିଷୟରେ କ’ଣ ଆଭିମୁଖ୍ଯ ଥିଲା ମୁଁ କହିବାକୁ ଚାହେଁ ନାହିଁ, ଆପଣ ସମସ୍ତେ ତାହା ବିଷୟରେ ଅବଗତ ଅଛନ୍ତି ।

            ଆଜିକାଲି ସମାଲୋଚନା ନାଁରେ ଏକ ନୂତନ ଟ୍ରେଣ୍ଡ ଆରମ୍ଭ ହୋଇଛି । ସରକାରଙ୍କ ବିରୁଦ୍ଧରେ ବ୍ୟକ୍ତିଗତ ତଥା  ସରକାରଙ୍କ ବିରୁଦ୍ଧରେ ‘କୁତ୍ସାରଟନା’ ବା ‘ବିଦ୍ୱେଷମୂଳକ ଅପପ୍ରଚାର’ । ମୁଁ କହିବାକୁ ଚାହେଁ, ‘ସମାଲୋଚନା’ ଓ ‘କୁତ୍ସାରଟନା’ ମଧ୍ୟରେ ଏକ ସୂକ୍ଷ୍ମ ଗାର ଅଛି, ଯାହାକୁ କେହି ଅତିକ୍ରମ କରିବା ଉଚିତ ନୁହେଁ ।

ଆମ ଦେଶରେ ସଂବାଦପତ୍ର ଏବଂ ଗଣମାଧ୍ୟମକୁ ନିଜ ମତାମତ ନିର୍ଭୀକ ଏବଂ ବିନା ପକ୍ଷପାତରେ ଖବର ପରିବେଷଣ କରିବା ପାଇଁ ସାମ୍ବିଧାନିକ ଅଧିକାର ଦିଆ ଯାଇଛି । ଏହାକୁ ସମସ୍ତେ ମନେ ରଖିବା ସହିତ କାର୍ଯ୍ୟରେ ପରିଣତ କରିବା ବିଧେୟ ।

 ଗଣମାଧ୍ୟମ ଏବଂ ସରକାର, ଉଭୟଙ୍କର ଲକ୍ଷ୍ୟ ହେଉଛି ଗୋଟିଏ, ଜନ କଲ୍ୟାଣ ଏବଂ ସମାଜ କଲ୍ୟାଣ । ଉଭୟ ଅନୁଷ୍ଠାନ ଦେଶ ଏବଂ ରାଜ୍ୟର ପ୍ରଗତି ପାଇଁ କାର୍ଯ୍ୟ କରନ୍ତି । ହୁଏତ, ଉଭୟଙ୍କର କାର୍ଯ୍ୟ ପ୍ରଣାଳୀରେ ପାର୍ଥକ୍ଯ ହୋଇପାରେ, କିନ୍ତୁ ଲକ୍ଷ୍ୟ ଏକ ।

ଆମ ସରକାର ଗତ ଷୋହଳ ମାସରେ ଅନେକ କିଛି କାର୍ଯ୍ୟ କରିଛନ୍ତି । ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ମୋଦୀ ଜୀଙ୍କ  ‘ସବ୍‍କା ସାଥ୍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ ଔର୍ ସବ୍‍କା ପ୍ରୟାସ’, ‘ବିକାଶ ଭି, ବିରାସତ ଭି’ ଏବଂ ‘ୟହି ସମୟ ହେ, ସହି  ସମୟ ହେ’ ମନ୍ତ୍ରରେ ଉଦ୍‍ବୁଦ୍ଧ ହୋଇ ଆମ ସରକାର ରାଜ୍ୟର କଲ୍ୟାଣ ପାଇଁ ସର୍ବଦା କାର୍ଯ୍ୟରତ । ଓଡ଼ିଶାର ପ୍ରତ୍ଯେକ ବର୍ଗ ଯଥା –  ଅନ୍ନଦାତା, ମହିଳା, ଯୁବ, ଗରିବ – ସମସ୍ତଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ ।

            ଆମ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ । କିନ୍ତୁ, ମୁଁ ସରକାରଙ୍କ ରୋଡ଼ମ୍ୟାପ  ବିଷୟରେ ଦୁଇ ପଦ କହିବି । ଓଡ଼ିଶା ହେଉଛି ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । ଓଡ଼ିଶାରେ ୫୭୫  କିଲୋମିଟର ଏକ ବିସ୍ତୃତ ବେଳାଭୂମି ବି ରହିଛି ।

କିନ୍ତୁ, ରାଜନୈତିକ ଇଚ୍ଛାଶକ୍ତି ହେଉ କିମ୍ବା ଦୂରଦୃଷ୍ଟିର ଅଭାବ ହେଉ, ଆମେ ଓଡ଼ିଶାରେ ଥିବା ଏହି ସମ୍ପଦ ଓ ସମ୍ବଳକୁ ଠିକ୍ ଭାବେ ଉପଯୋଗ କରିପାରି ନ ଥିଲୁ । ଗତ ଦୁଇ ଦଶନ୍ଧିକୁ ‘Two Lost Decades’ କହିଲେ ଆଦୌ ଅତ୍ଯୁକ୍ତି ହେବ ନାହିଁ । ଆଶା କରୁଛି, ‘The Lost Decades’ ରୁ ‘The Dream Decade’ ହେବ ଆଗାମୀ ଦଶକ  । ୨୦୩୬ ସୁଦ୍ଧା ଓଡ଼ିଶା ହେବ ସମୃଦ୍ଧ ଓଡ଼ିଶା । ଆମର ପରିକଳ୍ପିତ ସମୃଦ୍ଧ ଓଡ଼ିଶାରେ କୃଷି ଏବଂ ଶିଳ୍ପକୁ ଉପଯୁକ୍ତ ପ୍ରାଧାନ୍ୟ ଦିଆଯିବ ।

ଗତ ଜାନୁୟାରୀରେ ସଫଳ ଭାବେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା – ମେକ ଇନ ଓଡ଼ିଶା କନକ୍ଲେଭ-୨୦୨୫ ଏହି ଭିଜନର ଏକ ପ୍ରମାଣ । ଓଡ଼ିଶାକୁ ପୂର୍ବ ଭାରତର Manufacturing Hub ଏବଂ  Export Hub କରିବା ପାଇଁ ଆମ ସରକାର ରଣନୀତି ପ୍ରସ୍ତୁତ କରୁଅଛି । ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ମଧ୍ୟରେ ସ୍ଥାନ ପାଇବ ।

            ସମୃଦ୍ଧ ଓଡ଼ିଶା ଗଠନର ଏହି ଯାତ୍ରାରେ ଗଣମାଧ୍ୟମ ଏକ ଅପରିହାର୍ଯ୍ୟ ଅଂଶୀଦାର ହେବାକୁ ଯାଉଛି । କାରଣ, ପ୍ରତି ମୁହୂର୍ତ୍ତରେ ଗଣମାଧ୍ୟମ ସରକାରଙ୍କୁ ଚେତାଇବାରେ ତାର କାର୍ଯ୍ୟ ଜାରି ରଖିବା ।  ଯାହାଦ୍ୱାରା ନେତା, ମନ୍ତ୍ରୀ ଓ ଅଧିକାରୀମାନେ ସବୁବେଳେ ‘will be on their toes’ । ଏଥିରୁ ସ୍ଵୟମ ମୁଖ୍ୟମନ୍ତ୍ରୀ ବି ବାଦ ପଡ଼ିବେ ନାହିଁ ।

            ମୁଁ ସର୍ବଦା ବିଶ୍ୱାସ କରେ ଯେ, ଯେତେବେଳେ ଗଣମାଧ୍ୟମ ସତ୍ୟ ଉପରେ ଆଲୋକପାତ କରେ, ଏହା ଶାସନକୁ ମଜବୁତ କରେ; ଯେତେବେଳେ ଏହା ନାଗରିକଙ୍କ ଚିନ୍ତାକୁ ବୃଦ୍ଧି କରେ, ଏହା ପ୍ରଗତିଶୀଳ ନୀତି ଗଠନ କରେ; ଯେତେବେଳେ ଏହା ନବସୃଜନ ପାଳନ କରେ, ଏହା ଜନମାନସକୁ  ପ୍ରେରଣା ଯୋଗାଇ ଥାଏ ।

ଆଜିର ଡିଜିଟାଲ ଯୁଗରେ ‘ସମାଜ’ ମଧ୍ୟ ପଛରେ ପଡିନି । ଇଣ୍ଟରନେଟ୍ ପ୍ଲାଟ୍-ଫର୍ମରେ ସମାଜ ଇ-ପେପରର ଲକ୍ଷ ଲକ୍ଷ ପାଠକ ରହିଛନ୍ତି । ଏପରିକି ୟୁ-ଟ୍ୟୁବ୍ ଓ ଇଣ୍ଟରନେଟ୍ ର ‘ସମାଜ ଲାଇଭ୍ ଡଟ୍ ଇନ୍ ’ ପ୍ଲାଟ୍ ଫର୍ମରେ ଏହା ୨୪ ଘଣ୍ଟିଆ ଖବର ପ୍ରସାରଣ କରୁଛି । ୪ ପୃଷ୍ଠାର ଖବର କାଗଜରୁ ଆରମ୍ଭ ହୋଇଥିବା ‘ସମାଜ’ର ଡିଜିଟାଲ ରୂପ ଏହି ଶତାୟୁ ଅନୁଷ୍ଠାନର ପରିବର୍ତ୍ତନ ଧାରାରେ ନିଜକୁ ସାମିଲ କରି ଅଧିକ ସଶକ୍ତ ଓ ରୁଚିଶୀଳ ହୋଇପାରିଛି ।

‘ସମାଜ’ ଖବରକାଗଜ ଓ ଡିଜିଟାଲ ବୃହତ୍ତର ସମାଜ ପ୍ରତି ଅଧିକ ଉତ୍ତରଦାୟୀ  ଓ ବିଶ୍ବସନୀୟ ହୋଇପାରିଛି । ନୈତିକ ଓ ନିରପେକ୍ଷ ସାମ୍ବାଦିକତାକୁ ସାଥିରେ ଧରି ଚାଲିଛି ‘ସମାଜ’ । ଲୋକସେବକ ମଣ୍ଡଳ ମାଧ୍ୟମରେ ଶିକ୍ଷା, ସ୍ବାସ୍ଥ୍ୟ, ସମାଜ ସେବା ଓ ସାମାଜିକ ସଂସ୍କାର କ୍ଷେତ୍ରରେ ଏହାର ଅବଦାନ  ପ୍ରଶଂସନୀୟ।

ପରିଶେଷରେ, ମୁଁ ସମାଜର ସମ୍ପାଦକୀୟ ମଣ୍ଡଳୀ, ପରିଚାଳନାର ବ୍ୟକ୍ତି ବିଶେଷ, ସମସ୍ତ କର୍ମଚାରୀ ଏବଂ ଲକ୍ଷ ଲକ୍ଷ ପାଠକମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

ଉତ୍କଳମଣିଙ୍କ ପ୍ରେରଣା,  ମା ସାରଳା, ମା କଟକ ଚଣ୍ଡୀ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏହି ଯାତ୍ରାକୁ ଚିରକାଳ ମାର୍ଗଦର୍ଶନ କରୁଥାଉ, ଏତିକି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।

ସମସ୍ତଙ୍କୁ ପୁଣିଥରେ ଶୁଭେଚ୍ଛା ଓ ଅଭିନନ୍ଦନ

ଧନ୍ୟବାଦ

ବନ୍ଦେ ଉତ୍କଳ ଜନନୀ

Leave a Reply

Your email address will not be published. Required fields are marked *