# ଡିଲବେଳେ ମାଡ଼ିବସିଲା ସ୍ପେଶାଲ ସ୍କାଡ୍ # ୬ ବନ୍ଧୁକ ସହ ୧୮ରାଉଣ୍ଡ ଗୁଳି ଜବତ #
ଭୁବନେଶ୍ୱର,୧୪/୦୬/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଭୁବନେଶ୍ୱର ଅର୍ବାନ ପୋଲିସକୁ ଶୁକ୍ରବାର ଏକ ବଡ଼ଧରଣର ସଫଳତା ମିଳିଛି । ସ୍ପେଶାଲ ସ୍କାଡ୍ ଓ ଏୟାରପୋର୍ଟ ଥାନା ପୋଲିସ ମିଳିତ ଭାବେ ଚଢ଼ଉ
କରି ଏୟାରପୋର୍ଟ ଅଂଚଳରେ ବନ୍ଧୁକ ଡିଲ ଚାଲୁଥିବାବେଳେ ୫ ଆନ୍ତଃରାଜ୍ୟ ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବନ୍ଧୁକ ବ୍ୟବସାୟୀଙ୍କଠାରୁ ପୋଲିସ ୬ଟି ବନ୍ଧୁକ, ୧୮ ରାଉଣ୍ଡ ଗୁଳି ଏବଂ ଏକ କାରକୁ ଜବତ କରାଯାଇଛି ।
ଗିରଫ ବନ୍ଧୁକ ବ୍ୟବସାୟୀମାନଙ୍କ ଘର ଉତରପ୍ରଦେଶ ଓ ମଧ୍ୟପ୍ରଦେଶ ଅଂଚଳରେ ହୋଇଥିବା ବେଳେ ସେମାନଙ୍କ ଠାରୁ ବନ୍ଧୁକ କିଣୁଥିବା କଟକ ଜିଲ୍ଲା ସାଲେପୁର ର ସେକ ସାକିଲଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ହୋଇଥିବା ଅନ୍ୟ ବନ୍ଧୁକ ବ୍ୟବସାୟୀମାନେ ହେଲେ ଉତରପ୍ରଦେଶର ପ୍ରବୀଣ କୁମାର ସିଂ (୪୦), ମଧ୍ୟପ୍ରଦେଶର ରାଘବେନ୍ଦ୍ର ସିଂ (୨୮),ଅଭିଶେକ ରାଜପୁତ (୩୧),ଇନ୍ଦ୍ରଜିତ ସିଂ (୩୮) । ଗିରଫ ପ୍ରବୀଣ ଦୀର୍ଘ ୨ ମାସ ହେଲା ବନ୍ଧୁକ ଉତରପ୍ରଦେଶରୁ ଆଣି ଏହାକୁ ବିକ୍ରି କରିବା ଉଦ୍ଧେଶ୍ୟରେ ଭୁବନେଶ୍ୱରରେ ରହୁଥିଲା । ପ୍ରବୀଣକୁ ମଝିରେ ମଝିରେ ଅନ୍ୟ ଅଭିଯୁକ୍ତମାନେ ବନ୍ଧୁକ ଉତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ଆଣି ଯୋଗାଉ ଥିଲେ । ବନ୍ଧୁକ ବ୍ୟବସାୟୀଙ୍କ ଗିରଫ ସଂକ୍ରାନ୍ତରେ ଶୁକ୍ରବାର ଅପରାହ୍ନରେ ପୋଲିସ କମିଶନର ସୁରେଶ ଦେବଦତ ସିଂ ଓ ଡିସିପିି ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବରୁ ବିହାରର ମୁେଙ୍ଗରରୁ ଓଡ଼ିଶାକୁ ବନ୍ଧୁକ ଚାଲାଣ ହେବାର ନଜିର ରହିଥିଲା । କିନ୍ତୁ ଗତକିଛିଦିନ ହେବ ଉକ୍ତ ଅଂଚଳରୁ ବନ୍ଧୁକ ଓଡ଼ିଶା ଆସୁ ନ ଥିବା ପୋଲିସ ପାଖରେ ସୂଚନା ଥିଲା । କିନ୍ତୁ ରାଜଧାନୀରେ ଗତ କିଛିଦିନ ମଧ୍ୟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଉତରପ୍ରଦେଶ ଓ ମଧ୍ୟପ୍ରଦେଶ ଅଂଚଳରେ ପ୍ରସ୍ତୁତ ହେଉଥିବା ବନ୍ଧୁକକୁ ଅପରାଧୀମାନେ ବ୍ୟବହାର କରୁଥିବାନେଇ ସୂଚନା ରହିଥିଲା । ତେଣୁ ଏହି ବନ୍ଧୁକ ସବୁ କିଏ ଏବଂ କେଉଁ ପ୍ରକାର ଆଣି ଭୁବନେଶ୍ୱରରେ ବିକ୍ରି କରୁଛନ୍ତି , ସେ ନେଇ ସ୍ପେଶାଲ ସ୍କାଡ୍ ସ୍ୱତନ୍ତ୍ର ଭାବେ ନଜର ରଖିଥିଲେ ।
ଏହିକ୍ରମରେ ଗୁରୁବାର ବିଳମ୍ବିତ ରାତିରେ ସ୍କାର୍ଡର ଅଧିକାରୀଙ୍କୁ ଏୟାରପୋର୍ଟ ଥାନା ଅଂଚଳରେ ବନ୍ଧୁକ ବ୍ୟବସାୟ ହେଉଥିବା ନେଇ ଏକ ସୂଚନା ହସ୍ତଗତ ହୋଇଥିଲା । ସୂଚନା ଆଧାରରେ ସ୍ଥାନୀୟ ଥାନା ପୋଲିସ ସେଠାରେ ସ୍କାର୍ଡ କର୍ମଚାରୀଙ୍କ ସହ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ କମିଶନର ଶ୍ରୀ ସିଂ
ସୂଚନା ଦେଇଛନ୍ତି । ଏନେଇ ଅଧିକ ତଦନ୍ତ ଚାଲୁଥିବା ଏବଂ ଏହି ବନ୍ଧୁକ କାରବାରରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ଖୋଳତାଡ଼ ଜାରି ରହିଥିବା ଡିସିି ସୂଚନା ଦେଇଛନ୍ତି । ଏଥିସହ ଜବତ ହୋଇଥିବା ବନ୍ଧୁକଗୁଡ଼ିକର ସେଭଳି କିଛି
ସଠିକ ମୂଲ୍ୟ ନ ଥିବା ଜଣାପଡ଼ିଛି । ଆବଶ୍ୟକତା ଅନୁଯାୟୀ, ବେଆଇନ ବନ୍ଧୁକ ବ୍ୟବହାରକାରୀ ମାନେ ଏହାକୁ ଉଚିତ ଦାମ ଦେଇ କିଣୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
