କେନ୍ଦ୍ରାପଡ଼ା ହେବ ରାଜ୍ୟର ଶିଳ୍ପ କରିଡର: ବୈଜୟନ୍ତ

କେନ୍ଦ୍ରାପଡା, ୧୪/୦୨/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ରାଜ୍ୟର ଏକ ଶିଳ୍ପ କରିଡର ହେବ ବୋଲି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା ଶୁକ୍ରବାର ଅପରାହ୍ନରେ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଚ୍ଚମାଧ୍ୟମକୁ କହିଛନ୍ତି । ଶ୍ରୀ ପଣ୍ଡା ଆହୁରି କହିଥିଲେ ଯେ କେନ୍ଦ୍ରାପଡାକୁ ରାଜ୍ୟର ଏକ ବିକଶିତ ଜିଲାରେ ପରିଣତ କରିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ।

ଜିଲାରେ ରେଳ ଭିତିଭୂମିର ବିକାଶ ପାଇଁ ହରିଦାସପୁର- ପାରାଦୀପ ରେଳପଥକୁ ଦୋହରିକରଣ କରାଯିବ । ଏଥିନିମନ୍ତେ ସେ କେନ୍ଦ୍ର ରେଳ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛନ୍ତି । ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ସେ କହିଥିଲେ । ସେ କହିଥିଲେ କେନ୍ଦ୍ରାପଡା ଜିଲାରେ ଶିଳ୍ପ କାରାଖାନା ନଥିବାରୁ କର୍ମ ଅନ୍ୱେଷଣରେ ଯୁବକମାନେ ଅନ୍ୟସ୍ଥାନକୁ ସ୍ଥାନାନ୍ତର ହେଉଛନ୍ତି । ଫଳରେ ଜିଲାର ଅର୍ଥନୀତି ଆଶାତୀତ ଅଭିବୃଦ୍ଧି ଘଟୁନାହିଁ । ମହାକାଳପଡାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବା ପରେ ଏହି ସମସ୍ୟା ଅନେକାଂଶରେ ସମାଧାନ ହୋଇପାରିବ ।

ଏକ ବୃହ ଶିଳ୍ପ ହେବା ପରେ ଏହାର ଆଖପାଖରେ ଅନେକ କ୍ଷୁଦ୍ର ଶିଳ୍ପ ଗଢି ଉଠିଥାଏ । ତେଣୁ ଇସ୍ପାତ କାରଖାନା ହେଲେ ତାହାର ଆବଶ୍ୟକତା ଅନୁଯାୟୀ ଜିଲାର ଚତୁପାଶ୍ୱର୍ରେ କ୍ଷୁଦ୍ର କାରାଖାନା ଗଢି ଉଠିବ । ତାହାଦ୍ୱାରା ବେକାରୀ ସମସ୍ୟା ଦୂର ହୋଇପାରିବ ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ । ଦିଲ୍ଲୀ ନିର୍ବାଚନରେ ରାଷ୍ଟ୍ରୀୟ ଉପସଭାପତି ଭାବେ ନିର୍ବାଚନ ପରିଚାଳନାରେ ଶ୍ରୀ ପଣ୍ଡା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଦଳକୁ ଶାସନ କ୍ଷମତାକୁ ଫେରାଇ ଆଣିବାରେ ସହାୟକ ହୋଇଥିବାରୁ ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ସଭାପତି ଶଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର ପଣ୍ଡା, ମହମ୍ମଦ ସଲିମ ଖାନ୍, ତେଜେଶ୍ୱର ପରିଡା, ଗୀତାଞ୍ଜଳି ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ସୁନାକର ବେହେରା, ଉପିନ ରାଉତ, ନେହେରୁ ସାହୁ, ଧର୍ମଦର୍ଶୀ କର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *