୬ଷ୍ଠ ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡ଼ା, ୧୩/୦୨/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡା, ଭାରତୀୟ ପ୍ରଶାସନିକ ସେବାର ସେବା ନିବୃତଅଧିକାରୀ କ୍ଷେତ୍ର ପରିଦର୍ଶନରେ ଆସି କେନ୍ଦ୍ରାପଡା ଜିଲାରେ ପହଂଚିିଥିଲେ । ଏହି ପରିପ୍ରେକ୍ଷୀରେ ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସହିତ ସର୍ବ ପ୍ରଥମେ ମହାକାଳପଡ଼ା ବ୍ଲକର ବଡ଼କୁଳ ପଂଚାୟତ, ପରେ ପରେ କେନ୍ଦ୍ରାପଡା ବ୍ଲକର ଓସ୍ତପୁର ପଂଚାୟତ ଏବଂ ଶେଷରେ କେନ୍ଦ୍ରାପଡା ପୌରପାଳିକା ଗସ୍ତ କରି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ବିବିଧ ଆଲୋଚନା କରିଥିଲେ । ଅପରାହ୍ଣରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଆୟୋଗ ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ କେନ୍ଦ୍ରାପଡା ଜିଲା ପରିଷଦର ସଭାପତି ସୁଶ୍ରୀ ଲିଲିତା ଦାସ, ପଟ୍ଟାମୁଣ୍ଡାଇ ଓ ଗରଦପୁର ପଂଚାୟତ ସମିତିର ଅଧ୍ୟକ୍ଷ, ପଟ୍ଟାମୁଣ୍ଡାଇ ପୌରପାଳିକା ଅଧ୍ୟକ୍ଷ, କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ, ସରପଂଚ ଓସ୍ତପୁର, ସରପଂଚ ବଡ଼କୁଳ, ସରପଂଚ ବ୍ରାହ୍ମଣସାହି, ଜିଲା ପ୍ରଶାସନର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ ।

ଅର୍ଥ ଆୟୋଗ ଅନୁଦାନରେ ପ୍ରଦାନ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପ୍ରଗତି ଉପରେ ସମୀକ୍ଷା କରି ପ୍ରକଳ୍ପ ଗୁଡିକୁ ଯଥା ସମୟରେ ସମ୍ପୂର୍ଣ୍ଣ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ବିନିଯୋଗ କରିବା ଉପରେ ଆୟୋଗ ଗୁରୁତ୍ୱାରୋପ କରିଥିଲେ । ପରିବେଶ ଅନୁକୂଳ ଓ ଦୀର୍ଘସ୍ଥାୟୀ ବିକାଶ ପରିକଳ୍ପନା କରିବା ପାଇଁ ସମସ୍ତ ଅଧିକାରୀ ଓ ପ୍ରତିନିଧିମାନଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରିଥିଲେ ।

ବଗପାଟିଆଠାରେ ସାତଭାୟା ପୁନର୍ବାସ ପ୍ରକଳ୍ପ, ଗ୍ରାମ ପଂଚାୟତ ଓ ପୌରପାଳିକାର ନିଜସ୍ୱ ଆୟ ବୃଦ୍ଧି ସମ୍ପର୍କିତ ପ୍ରକଳ୍ପ, ଜଳାଶୟ ପୁନରୁଦ୍ଧାର, ସମଅଂଚଳଭିତିିକ ପ୍ରକଳ୍ପ ମୂଲ୍ୟ ଆଦି ଜିଲାର ସ୍ୱତନ୍ତ୍ର ସମସ୍ୟା ଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶେଷରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *