ପଟ୍ଟାମୁଣ୍ଡାଇ ବିଡିଓଙ୍କ ସରକାରୀ କ୍ୱାଟରରେ ଅସାମାଜିକଙ୍କ ଆଡ୍ଡା , ଜିଲାପାଳଙ୍କ ନିକଟରେ ଅଭିଯୋଗ

କେନ୍ଦ୍ରାପଡ଼ା,୩୦/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକର ବିଡିଓଙ୍କ ସରକାରୀ କ୍ୱାଟରରେ ଅସାମାଜିକ ଲୋକ ଆଡ୍ଡା ଜମାଉଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ ପଟ୍ଟାମୁଣ୍ଡାଇ ବିଡିଓଙ୍କ ସରକାରୀ କ୍ୱାଟରରେ ବିଡିଓ ରହୁନଥିବା ବେଳେ ସେଠାରେ ଅଧ୍ୟକ୍ଷ ତାଙ୍କର ଦଳୀୟକର୍ମୀଙ୍କୁ ନେଇ ଆସର ଜମାଇଛନ୍ତି । ମଦ ଓ ମାଂସ ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟ ସେଠାରେ ଚାଲୁଥିବା ଅଭିଯୋଗ ହୋଇଛି ।

ସେହି କ୍ୱାଟର ପାଖରେ ଅନ୍ୟ କ୍ୱାଟରରେ ରହୁଥିବା କର୍ମଚାରୀମାନେ ପିଲାଛୁଆ ଓ ପରିବାର ଧରି ରହିବା ଅସମ୍ଭବ ହୋଇପଡିଛି । ସେମାନେ ଶାନ୍ତିରେ ଶୋଇ ପାରୁନଥିବା ଅଭିଯୋଗ ହୋଇଛି । ଏହାବ୍ୟତିତ ଏହି ବ୍ଲକର ବିଭିନ୍ନ କାର୍ଯ୍ୟ ନିମନ୍ତେ ଲାଗିଥିବା ଭଡାଗାଡି ଗୁଡିକ ବ୍ଲକ ପରିସରକୁ ଆସୁନଥିବା ବେଳେ ସେହି ଗାଡିଗୁଡିକ ପାଇଁ ତେଲ ବାବଦକୁ ଓ ଭଡା ବାବଦକୁ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେବାରେ ଲାଗିଛି ।

ସେସବୁ ଗାଡି ଗୁଡିକ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବେଳେ ସରକାରୀ ତହବିଲରୁ ଗାଡିଭଡା ଓ ତେଲ ବାବଦ ଅର୍ଥ ଖର୍ଚ୍ଚ କରାଯାଉଥିବା ଅଭିଯୋଗ ହୋଇଛି । ଏସବୁ ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ତନୁଜ କୁମାର ମଲ୍ଲିକ, ଅଶୋକ କୁମାର ରାଉତ, ବିକ୍ରମକେଶରୀ ଜେନା, ବିରଂଚି ମଲିକ, ଦୁଃଖିଶ୍ୟାମ ସେଠୀ, ହିମାଂଶୁ ଶେଖର କୁଣ୍ଡ, ପଙ୍କଜ ମଲିକ, ସତ୍ୟରଞ୍ଜନ ସାହୁ ଓ ସମରେନ୍ଦ୍ର ଦାଶ ପ୍ରମୁଖ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *