ବଡ଼ବିଲ କାରୁବାକୀ ଠାରେ ପାରମ୍ପାରିକ ବୋଇତ ବନ୍ଦାଣ ଉତ୍ସବ ପାଳନ।

ବଡ଼ବିଲ,୦୫/୧୧/୨୦୨୫ (ଓଡ଼ିଶା ସମାଚାର)- ଆଜି ବଡ଼ବିଲରେ ଆନନ୍ଦ ଓ ଉଦ୍ଦିପନାର ସହିତ ପାରମ୍ପାରିକ‘ବୋଇତ ବନ୍ଦାଣ’ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଭୋର ୪ଟାରୁ ସହର ଉପକଣ୍ଠ କାରୋନଦୀର କାରୁବାକୀ ଘାଟରେ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ଡଙ୍ଗା ଭସାଇବା ସହ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେପକାଇଥିଲେ । ପ୍ରତି ବର୍ଷପରି ଏବର୍ଷ ମଧ୍ୟ ସାଂସ୍କୃତିକ ଅନୁଷ୍ଠାନ ‘କଳା କଳ୍ପନା’ ପକ୍ଷରୁ ପାମ୍ପାରିକ ‘ବୋଇତ ନିର୍ମାଣ କଳା’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଖଣି ନିଗମର ସହଭାଗିତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସ୍ଥାନୀୟ ଅଂଚଳର ବହୁ ପ୍ରତିଭାବାନ, ବୋଇତ ନିର୍ମାଣ କରି ନିଜର କଳା ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ । ପରିବେଶକୁ ଦୃଷ୍ଟିରେ ରଖି ବୋଇତ ନିର୍ମାଣରେ ପ୍ଲାଷ୍ଟିକ, ପଲିଥିନ୍ ଏବଂ ଥର୍ମକୋଲ ବ୍ୟବହାରକୁ ସଂପୂର୍ଣ୍ଣ ବର୍ଜ୍ଜନ କରାଯାଇଥିଲା । ପ୍ରତିଯୋଗିତାରେ ପ୍ରଦର୍ଶିତ ଆକର୍ଷଣୀୟ ବୋଇତଗୁଡ଼ିକୁ ଦେଖିବା ପାଇଁ ପ୍ରବଳ ଭିଡ଼ଜମିଥିଲା ।

ବିଚାରକଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ନଗଦ ପୁରସ୍କାର ରାଶି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଶେଷରେ ସମୂହ ବୋଇତ ବନ୍ଦାଣରେ ସଭିଏଁ ସାମିଲ ହୋଇଥିଲେ । ମହିଳା ମାନେ ପରମ୍ପରା ଅନୁଯାୟୀ ପାନ, ଗୁଆ, କଉଡ଼ି ସହ ଧୁପ ଦୀପ ଦେଇ ବନ୍ଦାପନା କରିବା ପରେ ଉତ୍ସାହର ସହ ବୋଇତ ଓ ଡଙ୍ଗା ଭସାଇଥିଲେ । ସଙ୍ଗୀତ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା । ୪ ଘଂଟା ଧରି କାରୁବାକୀ ଘାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ବିଜୟୀ ମହାନ୍ତି, ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ସଡିପିଓ ଦେବନ୍ଦ୍ର ନାଥ ପିଙ୍ଗୁଆ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *